ନାବାଳିକା ଅପହରଣ, ୪ ଗିରଫ

 ନବରଙ୍ଗପୁର : ନାବାଳିକାଙ୍କୁ ଅପହରଣ କରି ତାମିଲନାଡୁର କରୁମାଥମପେଟି ଗାଁରେ ଦାଦନ ଶ୍ରମିକ କାର୍ଯ୍ୟରେ ଲଗାଇବା ଅଭିଯୋଗରେ ୪ଜଣ ଗିରଫ ହୋଇଛନ୍ତି । ଏ ନେଇ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ନବରଙ୍ଗପୁର ଏସ୍ଡିପିଓ କୃଷ୍ଣଚନ୍ଦ୍ର ଭତ୍ରା । ଏସ୍ଡିପିଓଙ୍କ ସୂଚନା ଅନୁଯାୟୀ ନବରଙ୍ଗପୁର ଜିଲ୍ଲା କୋଡିଙ୍ଗା ଥାନା ଅନ୍ତର୍ଗତ ଗୋତିବେଢା ଗ୍ରାମର ରଘୁ ଭତ୍ରା ନାମକ ଜଣେ ବ୍ୟକ୍ତି ଗତ ୨୪ ତାରିଖ ଦିନ ତାଙ୍କ ସମ୍ପର୍କୀୟ ତିନି ନାବାଳିକା ଝିଅଙ୍କୁ କେହି ଅପହରଣ କରିଥିବା ନେଇ କୋଡ଼ିଙ୍ଗା ଥାନାରେ ଅଭିଯୋଗ କରିଥିଲେ । ଥାନାରେ ଏତଲା ପରେ ପୋଲିସ ଏକ ଟିମ୍ ଗଠନ କରି ସେମାନଙ୍କ ମୋବାଇଲ ଟ୍ରାକିଙ୍ଗ କରି ସେମାନେ ତାମିଲନାଡୁରେ ଥିବା ଜାଣିବାକୁ ପାଇଥିଲେ । ଏହାପରେ ପୁଲିସର ଏକ ଟିମ୍ ନାବାଳିକାମାନେ ଦାଦନ ଶ୍ରମିକ ଭାବେ କାମ କରୁଥିବା ଜାଣି ପାରି ସେଠାରେ ପହଞ୍ଚô ତିନି ନାବାଳିକାଙ୍କୁ ଉଦ୍ଧାର କରିଥିଲେ । ତେବେ ଥାନାକୁ ଆଣି ତଦନ୍ତ ପରେ ସେମାନଙ୍କୁ ପ୍ରଲୋଭନ ଦେଖାଇ ଚାରିଜଣ ଲୋକ ଯିଏକି ଗୋଟିବେଢା ଗ୍ରାମର ଖଗପତି ଜାନୀ, କାମତା ଗାଁର ବିକାଶ ନାୟକ ଓ ଆଟିଗାଁର ମିଡୁଲା ଯାନୀ ଏବଂ ନବରଙ୍ଗପୁର ଥାନା ଅନ୍ତର୍ଗତ ପଖନାଗୁଡା ଗ୍ରାମର ପ୍ରତାପ ହରିଜନ ନାମକ ବ୍ୟକ୍ତି ଗାଡିରେ ତାମିଲନାଡୁ ନେଇ ଦାଦନ ଶ୍ରମିକ ଭାବେ କାର୍ଯ୍ୟରେ ଲଗାଇଥିବା ଜଣାପଡିଥିଲା ।  ଘଟଣାର ତଦନ୍ତ ପରେ ନାବାଳିକାଙ୍କ ବୟାନ ଅନୁସାରେ ପୋଲିସ ଚାରି ଜଣଙ୍କୁ ଗିରଫ କରିଥିବା କହିଛନ୍ତି ଏସ୍ଡିପିଓ । ଅଭିଯୁକ୍ତମାନଙ୍କ ଠାରୁ ୪ଟି ମୋବାଇଲ, ଗୋଟିଏ ଚାରି ଚକିଆ ଗାଡି ଓ ଗୋଟିଏ ବାଇକ ଜବତ କରିଛି ପୁଲିସ । ଆହୁତ ସାମ୍ବାଦିକ ସମ୍ମିଳନୀରେ କୋଡ଼ିଙ୍ଗା ଥାନା ଅଧିକାରୀ ଯୁଗଳ ଶବର ଉପସ୍ଥିତ ଥିଲେ ।