ସୀମାରେ ଏନ୍କାଉଣ୍ଟର, ଜଣେ ମାଓବାଦୀ ମୃତ
ନବରଙ୍ଗପୁର: ନିର୍ବାଚନ ପୂର୍ବରୁ ନବରଙ୍ଗପୁର ପୁଲିସକୁ ସଫଳତା ମିଳିଛି । ଓଡିଶା ସୀମାରେ ହୋଇଥିବା ଏନକାଉଣ୍ଟରରେ ଜଣେ ପୁରୁଷ ନକ୍ସଲଙ୍କ ମୃତୁ୍ୟ ଘଟିଛି । ଏନେଇ ପ୍ରେସମିଟରେ ସୂଚନା ଦେଇଛନ୍ତି ଡ଼ିଆଇଜି ଚରଣ ସିଂ ମିନା । ଡିଆଇଜିଙ୍କ ସୂଚନା ଅନୁସାରେ ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକ ହାତୀଗାଁ ସଂରକ୍ଷିତ ଜଙ୍ଗଲରେ ନକ୍ସଲ ରହିଥିବା ଗୋଇନ୍ଦା ସୂତ୍ରରୁ ଖବର ପରେ ତତ୍ପର ହୋଇଥିଲେ ଓଡିଶା ପୁଲିସ୍ । ନକ୍ସଲ ବିରୋଧୀ ସ୍ୱତନ୍ତ୍ର ଦୁଇ ଏସଓଜି ଟିମ ଘଞ୍ଚ ଜଙ୍ଗଲ ମଧ୍ୟକୁ ଅପରେସନ ଯାଇଥିଲେ । ଏହି ସମୟରେ ନକ୍ସଲମାନେ ପୁଲିସ ଉପରକୁ ଗୁଳି ଚଳନା କରିଥିଲେ । ଏସଓଜି ଟିମ ସଦସ୍ୟ ଲୁଚି ଯାଇ ନକ୍ସଲଙ୍କୁ ଆତ୍ମସମର୍ପଣ ପାଇଁ ଅପିଲ କରିଥିଲେ । କିନ୍ତୁ ନକ୍ସଲମାନେ ଏସଓଜି ଉପରକୁ ଗୁଳି ମାଡ଼ କରିଥିଲେ । ଏସଓଜି ଯବାନମାନେ ଆତ୍ମରକ୍ଷା ପାଇଁ ପ୍ରତି ଉତ୍ତରରେ ଗୁଳି ମାଡ଼ କରିଥିଲେ । କିଛି ସମୟ ଉଭୟଙ୍କ ମଧ୍ୟରେ ଗୁଳି ଚଳନା ପରେ ଘଞ୍ଚ ଜଙ୍ଗଲରେ ନକ୍ସଲମାନେ ଲୁଚି ଯାଇଥିଲେ । ଗୁଳି ବିନିମୟ ଫଳରେ ପରେ ଜଣେ ପୁରୁଷ ନକ୍ସଲଙ୍କ ମୃତୁ୍ୟ ଦେହ ଉଦ୍ଧାର ହୋଇଛି । ଅନେକ ନକ୍ସଲ ଘଞ୍ଚ ଜଙ୍ଗଲ ମଧ୍ୟରେ ଲୁଚି ଯାଇଛନ୍ତି । ସେନେଇ ସର୍ଚ୍ଚ ଅପରେସନ ଜାରୀ ରହିଥିବା ଡିଆଇଜି ସୂଚନା ଦେଇଛନ୍ତି । ଏସଓଜି ଟିମ୍ ଉଦ୍ଧାର ହୋଇଥିବା ସାମଗ୍ରୀ ମଧ୍ୟରେ ରହିଛି ଗୋଟିଏ ରାଇଫଲ , ଗୋଟିଏ ଦେଶୀ ପିସ୍ତଲ, ଆଇଡି ଟିଫିନ ବୋମା ୬ ଟି , ଜୀବନ୍ତ ଗୁଳି ୪ ଟି, ବିଦ୍ୟୁତ ତାର ଗୋଟିଏ ବଣ୍ଡଲ, ବ୍ୟାଟେରୀ ୧୦ଟି, ମାଓ ୟୁନିଫର୍ମ ଗୋଟିଏ, ମାଓ ପୁସ୍ତିକା, ୬ଟି ଛତା, ଟାରପାଲିନ ଗୋଟିଏ, ଛୁରୀ ଭଳି ଅନ୍ୟ ମାରଣାସ୍ତ୍ର ସହ ମାଓ ସାମଗ୍ରୀ ଜବତ ହୋଇଛି । ଏହାସହିତ ସେମାନଙ୍କ ଠାରୁ ଦୈନିକ ବ୍ୟବହାର କରିବା ଉପଯୋଗୀ ଜିନିଷ ଓ ବିସ୍ଫୋରକ ସାମଗ୍ରୀ ଜବତ କରିଛି । ଏହାସହ ଆଗାମୀ ୧୩ ତାରିଖରେ ହେବାକୁ ଥିବା ନିର୍ବାଚନ ମତଦାନ ପାଇଁ ଶାନ୍ତି ଶୃଙ୍ଖଳାରେ ସାରିବା ପାଇଁ ପୁଲିସ୍ ତତ୍ପର ଓ ସଜାଗ ଥିବା କହିଛନ୍ତି ଡିଆଇଜି ଚରଣ ସିଂ ମିନା ।