ଯୁବକଙ୍କୁ ଛୁରିରେ ଭୁଶି ହତ୍ୟା, ଅଭିଯୁକ୍ତ ଗିରଫ
ହିଞ୍ଜିଳିକାଟୁ : ଗଞ୍ଜାମ ଜିଲ୍ଲା ହିଞ୍ଜିଳି ଥାନା ରାଳବ ଗ୍ରାମରେ ଗତ ସୋମବାର ଅପରାହ୍ନରେ ଗାଁ ଦାଣ୍ଡରେ ଛୁରୀ ଭୁସି ଗ୍ରାମର ହରି ପଟ୍ଟନାୟକ(୫୫)ଙ୍କୁ ହତ୍ୟା କରାଯାଇଥିଲା । ସଂପୃକ୍ତ ଘଟଣାରେ ମଙ୍ଗଳବାର ସାଇଣ୍ଟଫିକ୍ ଟିମ୍ ରାଳବ ଗ୍ରାମରେ ପହଞ୍ଚô ତନାଘନା କରିବା ସହ ଘଟଣାସ୍ଥଳରୁ ରକ୍ତ ନମୁନା ସଂଗ୍ରହ କରି ତଦନ୍ତ ଚଳାଇଛି ।
ପ୍ରକାଶ ଯେ, ଗତ ସୋମବାର ଅପରାହ୍ନରେ ହିଞ୍ଜିଳି ଥାନା ରାଳବ ଗ୍ରାମର ତ୍ରିନାଥ ମଣ୍ଡପରେ ଗ୍ରାମର କିଛି ଯୁବକ ଶୋଇଥିଲେ । ବର୍ଷା ହେବାରୁ ମଣ୍ଡପରେ ଶୋଇଥିବା ହରି ପଟ୍ଟନାୟକଙ୍କ ପୁଅ ସାଗର ପଟ୍ଟନାୟକ (୨୨) ମଣ୍ଡପରେ ଲାଗିଥିବା ପଙ୍ଖା ବନ୍ଦ କରି ଦେଇଥିଲେ । ମଣ୍ଡପରେ ଶୋଇଥିବା ସେହି ଗ୍ରାମର ଅନ୍ୟ ଜଣେ ଯୁବକ ଅରୁଣ ଦଳାଇ (୩୪)ସାଗରଙ୍କୁ କାହିଁକି ପଙ୍ଖା ବନ୍ଦ କଲୁ ବୋଲି ଗାଳିଗୁଲଜ କରିବା ସହ ମାଡ ମାରିଥିଲେ । ଘଟଣା ସମ୍ପର୍କରେ ସାଗରଙ୍କ ବାପା ହରି ଜାଣିପାରି ତାଙ୍କ ପୁଅକୁ କାହିଁକି ମାଡ ମାରିଛି ବୋଲି ଅରୁଣଙ୍କୁ ପଚାରିଥିଲେ । ଅରୁଣ ଉତ୍ୟକ୍ତ ହୋଇ ହରିଙ୍କୁ ଗାଳିଗୁଲଜ କରିବା ସହ ହତ୍ୟା ଧମକ ଦେଇଥିଲେ । ପରବର୍ତ୍ତୀ ସମୟରେ ଅରୁଣ ଘରୁ ଏକ ଧାରୁଆ ଛୁରୀ ଆଣି ଗାଁ ଦାଣ୍ଡରେ ହରିଙ୍କ ପେଟ ଓ ଗଳାକୁ ଭୁଷି ଦେଇଥିଲେ । ରକ୍ତ ଜୁଡୁବୁଡୁ ହୋଇ ଘଟଣାସ୍ଥଳରେ ହିଁ ହରି ଟଳି ପଡ଼ିଥିଲେ । ଖବର ପାଇ ଆସିକା ପୁଲିସ ଉପଖଣ୍ଡ ଅଧିକାରୀ ସନ୍ତୋଷ କୁମାର ଜେନା, ହିଞ୍ଜିଳି ଥାନା ଆଇଆଇସି ଶ୍ରୀନିବାସ ସେଠି ଓ ଟିମ୍ ଘଟଣା ସ୍ଥଳରେ ପହଞ୍ଚô ଘଟଣାର ସରଜମିନ ତଦନ୍ତ ଆରମ୍ଭ କରିଥିଲେ । ଅନ୍ୟପକ୍ଷରେ ଆକ୍ରମଣକାରୀ ଅରୁଣ ଘଟଣାସ୍ଥଳରୁ ଫେରାର ହେବାକୁ ଉଦ୍ୟମ କରୁଥିବାବେଳେ ପୁଲିସ କାବୁ କରିବା ସହିତ ରକ୍ତଭିଜା ଧାରୁଆ ଛୁରୀକୁ ଜବତ କରିଥିଲା । ଘଟଣା ନେଇ ମୃତକଙ୍କ ସ୍ତ୍ରୀ ଗିତାଞ୍ଜଳି ପଟ୍ଟନାୟକଙ୍କ ଅଭିଯୋଗ ଭିତ୍ତିରେ ହିଞ୍ଜିଳି ଥାନାରେ କେସ ନଂ ୬୩୫/୨୫ ରେ ଏକ ମାମଲା ରୁଜୁ କରାଯାଇଛି । ତେବେ ଗିରଫ ଅରୁଣଙ୍କୁ କୋର୍ଟଚାଲାଣ କରାଯାଇଥିବା ଥାନା ଆଇଆଇସି ଶ୍ରୀନିବାସ ସେଠି କହିଛନ୍ତି ।