ଅର୍ଥଲଗାଣକାରୀ ସଂସ୍ଥାର ମେନେଜରଙ୍କୁ ମାଡ , କାର୍ଯ୍ୟାଳୟ ଭଙ୍ଗାରୁଜା ଘଟଣାରେ ଜଣେ ଗିରଫ 


ାା ପ୍ରଭାନୁ୍ୟଜ୍ ।ା ଆସିକା : ଆସିକା ଖମ୍ବେଶ୍ୱରୀପାଟଣାରେ ଥିବା ରାଧା ନାମକ ଏକ ଅର୍ଥଲଗାଣକାରୀ ସଂସ୍ଥାର ମେନେଜର ଓ ଫିଲଡ ମେନଙ୍କୁ ଘରେ ରଖି ମାଡ଼ ମରିବା ଏବଂ ଅଫିସ ଭଙ୍ଗାରୁଜା କରିବା ଘଟଣାରେ ଜଣଙ୍କୁ ଗିରଫ କରିଛି ଆସିକା ପୋଲିସ । ଗିରଫ ଜଣଙ୍କ ହେଲେ ଆସିକା ଲାଲାଶାସନ ଶାସ୍ତ୍ରୀନଗରର ପଦ୍ମ ଲୋଚନ ଶତପଥୀ । ପ୍ରକାଶ ଥାଉକି ଗତ କିଛି ଦିନ ତଳେ ରାଧା ନାମକ ଅର୍ଥ ଲଗାଣକାରୀ ସଂସ୍ଥା ଅଧୀନରେ ଲାଲା ଶାସନ ଗ୍ରାମର ପିଙ୍କି ଚୌଧୁରୀ ନାମକ ଜଣେ ମହିଳା ଋଣ କାରବାର ସମୟରେ ମୃତୁ୍ୟ ବରଣ କରିଥିଲେ । ଏହାର ନମିନି ମୁତାବକ ତାଙ୍କ ସ୍ୱାମୀ ଅର୍ଥ ଲଗାଣକାରୀ ସଂସ୍ଥା ଠାରୁ କିଛି ଆର୍ଥିକ ସହାୟତା ମିଳିବା ଥିଲା । ଏହାକୁ ନେଇ ଗତ ୧୭/୦୮/୨୪ରେ ରାଧା ଫାଇନାନ୍ସ କମ୍ପାନୀର ଜଣେ ଫିଲଡ ମେନ ଲାଲା ଶାସନ ଅଂଚଳକୁ ଆସିବା ସମୟରେ ତାକୁ ଅଶୋକ ଏବଂ ତାଙ୍କ ସାଙ୍ଗ ଉଭୟେ ମିଶି ପିଙ୍କିର ଟଙ୍କା ନମିଳିବା ବିଷୟରେ ପଚାରିଥିଲେ । ସେ ସନ୍ତୋଷଜନକ ଉତ୍ତର ନଦେବାରୁ ତାର ଗୋଟିଏ ମୋଟର ସାଇକେଲକୁ ଛଡାଇ ରଖିଥିଲେ । ଏହି ଫିଲଡ ମେନ ଜଣଙ୍କ ତାଙ୍କ ଶାଖା ପରିଚାଳକଙ୍କୁ କହିଥିଲେ । ଗତ ୨୧ ତାରିଖରେ ମେନେଜର ଏବଂ ଅନ୍ୟ ଜଣେ ଫିଲଡ ମେନ ଉଭୟ ଲାଲା ଶାସନରେ ପହଂଚି ଗାଡି ଦେବାକୁ ଅନୁରୋଧ କରିଥିଲେ । କିନ୍ତୁ ଅଶୋକ ଏବଂ ପଦ୍ମ ଉଭୟେ ମିଶି ମେନେଜର ଏବଂ  ଫିଲଡମେନକୁ ଗୋଟିଏ ଘରେ ରଖି ମାଡ଼ ମାରି ଟଙ୍କା ଦେବାକୁ କହିଥିଲେ । ସେମାନେ ଭୟରେ ନିଜ ଶାଖାରେ ଥିବା ୯୮ ହଜାର ଏବଂ ଫୋନ ପେ ମାଧ୍ୟମରେ ୨୦ ହଜାର ଟଙ୍କା ଦେଇଥିଲେ । କିନ୍ତୁ ଉଭୟେ ଟଙ୍କା ରଖି ଆହୁରି ୦୩ ଲକ୍ଷ ଦେବାକୁ ଦାବୀକରି ଖମ୍ବେଶ୍ୱରୀ ପାଟଣା କାର୍ଯ୍ୟାଳୟକୁ ଆଣିଥିଲେ । ସେଠାରେ ଟଙ୍କା ନଦେବାରୁ ଅଫିସର ୪ କମୁ୍ୟଟର, ୨ ପ୍ରିଣ୍ଟର ସମେତ ଅଫିସର ବହୁ ନଥିପତ୍ର ନଷ୍ଟ କରିଥିଲେ । 
ଏସମ୍ପର୍କରେ ଶାଖା ମେନେଜର ଏକ ଲିଖିତ ଅଭିଯୋଗ ଆସିକା ଥାନାରେ ପ୍ରଦାନ କରିଥିଲେ । ଆସିକା ପୋଲିସ ଥାନା କେସ ନମ୍ବର ୫୨୦/୨୪ରେ ଏକ ମାମଲା ରୁଜୁ କରି ଶାସ୍ତ୍ରୀ ନଗରର ପଦ୍ମ ଲୋଚନ ଶତପଥୀକୁ ଗିରଫ କରି କୋର୍ଟ ଚାଲାଣ କରିଥିବା ପୋଲିସ ପକ୍ଷରୁ କୁହାଯାଇଛି । ସଂସ୍ଥାର ଦୁଇଟି ମୋଟର ସାଇକେଲକୁ ଉଦ୍ଧାର କରାଯାଇଛି । ଏହି ଘଟଣାରେ ଅନ୍ୟ ଜଣେ ଫେରାର ରହିଛି ।