ଗୋରୁ ବୋଝେଇ ପିକଅପ୍ ଜବତ, ଜଣେ ଗିରଫ


 ।ା ପ୍ରଭାନୁ୍ୟଜ ।ା ବେତନଟୀ: ବେତନଟୀ-ବଡସାହି ଥାନା ସୀମାନ୍ତ ଜାମଦାପାଳ ବ୍ରିଜ ଉପରୁ ଗତକାଲି ବିଳମ୍ବିତ ରାତ୍ରିରେ ୩ଟି ଗୋରୁବୋଝେଇ ପିକ୍ଅପ୍ ଭ୍ୟାନକୁ ଜବତ କରିବା ସହିତ ଜଣେ ପେଶାଦାର ଗୋଚାଲାଣକାରୀକୁ ଗିରଫ କରି କୋର୍ଟଚାଲାଣ କରାଯାଇଥିବା ଜଣାପଡିଛି । ଗିରଫ ଅଭିଯୁକ୍ତ ଜଣକ ହେଲେ ବଡ଼ସାହି ଥାନା ଅଧୀନ ଗୁଡିଆଲବନ୍ଧ ଗ୍ରାମର ସ୍ୱର୍ଗତ ଅଜିତ ମହାନ୍ତର ପୁଅ ରାଜେଶ ମହାନ୍ତି । 
ଖବରୁ ପ୍ରକାଶ ଯେ, ବେଆଇନ ଗୋଚାଲାଣ ନେଇ ବେତନଟୀ ପୁଲିସକୁ ବିଶ୍ୱସ୍ତସୂତ୍ରରୁ ଖବର ମିଳିବା ପରେ ଆଇଆଇସି ସସ୍ମିତା ମହାନ୍ତ ଯୋଜନାବଦ୍ଧ ଭାବେ ସଦଳବଳେ ଚଢାଉ କରିଥିଲେ । ଚଢାଉ ସମୟରେ ଦୁଇଟି ଗୋରୁବୋଝେଇ ପିକଅପ୍ ଭ୍ୟାନର ଚାଳକ ଅନ୍ଧାରରେ ଚମ୍ପଟ ମାରିବାରେ ସଫଳ ହୋଇଥିବାବେଳେ ପେଶାଦାର ଗୋଚାଲାଣକାରୀ ରାଜେଶକୁ ଗିରଫ କରିବାରେ ପୁଲିସ ସଫଳ ହୋଛି । ଜବତ ପିକଅପ୍ଭ୍ୟାନ ମଧ୍ୟରେ ଶଙ୍କର ଦଣ୍ଡପାଟ ନାମରେ ପଞ୍ଜୀକୃତ ଓଡି-୧୧ଜେଡ-୧୪୮୬, ଜୀତେନ୍ଦ୍ରନାଥ ମହାନ୍ତ ନାମରେ ପଞ୍ଜୀକୃତ ଓ ଆର-୦୪ ଏଚ୍-୩୬୭୮ ଏବଂ ଡବ୍ଲୁ୍ୟବି-୧୫ଡି ୨୯୫୮ ନମ୍ବର ବିଶିଷ୍ଟ ତିନିଗୋଟି ପିକଅପ୍ ଭ୍ୟାନ ରହିଛି । ଜବତ ତିନିଗୋଟି ପିକଅପ୍ ଭ୍ୟାନରୁ ମୋଟ ୨୫ଟି ଗୋରୁଗାଈ ଉଦ୍ଧାର କରାଯାଇଥିଲା । ବେତନଟୀ ପୁଲିସ ପକ୍ଷରୁ ଉଦ୍ଧାର ଗୋରୁଗାଈ ଗୁଡିକର ସ୍ୱାସ୍ଥ୍ୟ ପରୀକ୍ଷା ପରେ ବାଲେଶ୍ୱର ସ୍ଥିତ ମା’ଭାରତୀ ଗୋସେବାକେନ୍ଦ୍ରକୁ ହସ୍ତାନ୍ତର କରାଯାଇଛି । ଏପଟେ ପେଶାଦାର ଗୋଚାଲାଣକାରୀ ଗୁଡିଆଲବନ୍ଧ ଗ୍ରାମର ଅଭିଯୁକ୍ତ ରାଜେଶ ମହାନ୍ତର ସ୍ୱାସ୍ଥ୍ୟ ପରୀକ୍ଷାପରେ ବେତନଟୀ ଜେଏମ୍ଏଫସି କୋର୍ଟକୁ ଚାଲାଣ କରାଯାଇଥିଲା । ଜାମିନ ନାମଞ୍ଜୁର ପରେ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି । ପ୍ରକାଶଥାଉକି, ପେଶାଦାର ଗୋଚାଲାଣକାରୀ ରାଜେଶ ଚଳିତବର୍ଷ ଫେବୃଆରୀ ୧୪ ତାରିଖରେ ଓଡି-୦୧-୩୮୩୩ ନମ୍ବର ବିଶିଷ୍ଟ ପିକ୍ଅପ ଭ୍ୟାନ ଯୋଗେ ବେଆଇନ ଗୋଚାଲାଣ ସମୟରେ ବେତନଟୀ ପୁଲିସ ହାତରେ ଧରାପଡି ଜେଲ୍ ଯାଇଥିଲେ ।