ଧରମପୁର ବିଦ୍ୟାଳୟରେ ଗେଟ୍ ନିର୍ମାଣ ପାଇଁ ଦାବି
।ା ପ୍ରଭାନୁ୍ୟଜ ।ା ତାଳଚେର : ତାଳଚେର ବ୍ଲକ୍ ଅନ୍ତର୍ଗତ ଧରମପୁର ଗ୍ରାମରେ ଥିବା ଧରମପୁର ଉଚ୍ଚ ବିଦ୍ୟାଳୟରେ ନାହିଁ ମୁଖ୍ୟ ଫାଟକ । ଫଳରେ ଛାତ୍ରଛାତ୍ରୀ ଓ ଶିକ୍ଷକ ଶିକ୍ଷୟିତ୍ରୀମାନେ ବିଭିନ୍ନ ଅସୁବିଧାର ସମ୍ମୁଖିନ ହେଉଛନ୍ତି । ଯାହାକୁ ନେଇ ଅଭିଭାବକଙ୍କ ମହଲରେ ଅସେନ୍ତୋଷ ପ୍ରକାଶ ପାଇବା ସହିତ ଏହାକୁ ତୁରନ୍ତ ନିର୍ମାଣ ପାଇଁ ଦାବି ହୋଇଛି ।
ପ୍ରକାଶ ଯେ, ୧୯୯୭ ମସିହାରେ ଧରମପୁର ଉଚ୍ଚ ବିଦ୍ୟାଳୟଟି ଗଢି ଉଠିଥିବାବେଳେ ସ୍ଥାନୀୟ ଗ୍ରାମ, ଧରମପୁର, ସାରେଇଲୋ, ଖଇରାପାଳ, ଜନ୍ଦାବହାଳ, ସ୍କଟଲ୍ୟାଣ୍ଡପୁର, ସଇନାଳି, ଏବଂ ପାଖଆଖ ଗାଁର ଛାତ୍ରଛାତ୍ରୀମାନେ ପଢିବାକୁ ଆସନ୍ତି । ତେବେ ମୁଖ୍ୟ ଫାଟକ ନ ଥିବାରୁ ସ୍କୁଲର ରକ୍ଷଣାବେକ୍ଷଣରେ ଅସୁବିଧା ଅନେକ ସମୟରେ ହୋଇଆସୁଛି । ଅପରପକ୍ଷେ ସ୍କୁଲ ଶ୍ରେଣୀଗୃହ ସମ୍ମୁଖରେ ଫେବର୍ ବ୍ଲକ ବିଛା ଯାଇଥିଲେ ହେଁ ଅସାରାଏ ବର୍ଷାରେ ସ୍କୁଲ ପରିସରଟି ନଦୀବନ୍ଧ ଅବସ୍ଥା ସୃଷ୍ଟି କରୁଛି । ଯାହାଫଳରେ ପାଣି ଭିତରେ ଛାତ୍ରଛାତ୍ରୀ ଶ୍ରେଣୀ ଗୃହକୁ ପ୍ରବେଶ କରିବାକୁ ବହୁ ହଇରାଣ ହରକତ ହେଉଛନ୍ତି । ୨୦୨୧ ମସିହାରେ ସମିତିସଭ୍ୟ ପାଣ୍ଠିରୁ ୨ଲକ୍ଷ ୧୦ହାଜର ଟଙ୍କାରେ ଏକ ଫାଟକ ହେବାକୁ ମଞ୍ଜୁର ହୋଇଥିବାବେଳେ ଏହି କାମ ଆରମ୍ଭ ହେବା ପୂର୍ବରୁ ପଞ୍ଚାୟତ ନିର୍ବାଚନ ଆସି ଯାଇଥିଲା । ଯାହାଫଳରେ ଏହା ସେବେଠୁ ସ୍ଥଗିତ ରହିଛି । ତେବେ ବର୍ତ୍ତମାନର ସମିତିସଭ୍ୟଙ୍କ ସମୟରେ ୫ଟି ଅନ୍ତର୍ଭୁକ୍ତ ହୋଇଥିଲାବେଳେ ତାଳଚେର ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କ ଅଧୀନରେ ଏହି ଫାଟକ ହେବାକୁ କୁହାଯାଉଥିବା ବେଳେ ମଧ୍ୟ ଫାଟକ ବନାଇବାକୁ ପଇସା କମ୍ ହେବ ବୋଲି କହି ଏହାକୁ ଅଟକାଇ ଦିଆଯାଇଛି । ଅଞ୍ଚଳବାସୀଙ୍କ କହିବା ଅନୁସାରେ ଏବଂ ଫଳକ ଅନୁସାରେ ଏହି ସ୍କୁଲର ଅନେକ କାମ ୫ଟି ଅନ୍ତର୍ଭୁକ୍ତ ହୋଇ କାମ ସରିଛି । କିନ୍ତୁ କାମ ହେବା ପରେ ମଧ୍ୟ ସ୍କୁଲର ଛାତ୍ରଛାତ୍ରୀ ଓ ଶିକ୍ଷକଶିକ୍ଷୟତ୍ରୀମାନେ ହଇରାଣ ହେଉଛନ୍ତି । କାରଣ ସ୍କୁଲ ଘରରୁ ତଳକୁ ଓହ୍ଲେଇବା ମାତ୍ରେ ଛାତ୍ରଛାତ୍ରୀ ତଥା ଶିକ୍ଷକଶିକ୍ଷୟତ୍ରୀଙ୍କ ଗୋଡ ଯାଇ ପଡୁଚି ପାଣିରେ କାହିଁକି ନା ସ୍କୁଲର ବାରଣ୍ଡାରୁ ଓହ୍ଲାଇବା ସମୟରେ ଖାଲ ଯୋଗୁଁ ପାଣି ଜମୁଛି । ଏପରିକି ସ୍କୁଲର ପଛ ପାର୍ଶ୍ୱରେ ସୌନ୍ଦର୍ଯ୍ୟକରଣ ପାଇଁ ୨ଲକ୍ଷ ମଞ୍ଜୁର ହୋଇଛି ଯାହାଫଳକ ସୂଚାଉଛି । ହେଲେ ଏହା ନିମ୍ନମାନର କାମ ହୋଇଥିବା ଅଞ୍ଚଳବାସୀ ଅଭିଯୋଗ ଆଣିଛନ୍ତି । ସ୍କୁଲକୁ ଲାଗି ଖେଳପଡିଆ ଥିବାବେଳେ ୧ଲକ୍ଷ ଟଙ୍କାର ଗଛ ଲଗାଯାଇଛି ବୋଲି ଯାହାଫଳକ କହୁଛି, କିନ୍ତୁ ଏହା ସୁଲଭ କିସମର ବୃକ୍ଷରୋପଣ ହୋଇ ନଥିବା ମଧ୍ୟ ଜଣାପଡ଼ୁଛି । ତେବେ ଛାତ୍ରଛାତ୍ରୀଙ୍କ ସମସ୍ୟାକୁ ନେଇ ନିର୍ବାଚିତ ଲୋକ ପ୍ରତିନିଧି କେତେ ତତ୍ପରତା ଏଥିରୁ ସ୍ପଷ୍ଟ ଅନୁମେୟ । ସରକାରଙ୍କ ଶିକ୍ଷା ବିଭାଗ ଓ ତାଳଚେର ପ୍ରଶାସନ ଦୃଷ୍ଟି ଦେଇ ସ୍କୁଲର ଫାଟକଟି ତୁରନ୍ତ ନିର୍ମାଣ କରାଯିବାକୁ ଗ୍ରାମବାସୀମାନେ ଦାବି କରିଛନ୍ତି ।