ବୈକୁଣ୍ଠଧାମ ଆଶ୍ରମ ଭାଙ୍ଗିବ

କଟକ: ସାଧାରଣ ପ୍ରଶାସନ ବିଭାଗର  ସତ୍ୟପାଠ ପରେ ହାଇକୋର୍ଟ ବୈକୁଣ୍ଠଧାମ ଆଶ୍ରମ ଭଙ୍ଗାଯିବା ଉପରେ ଜାରି ରହିତାଦେଶକୁ ଶୁକ୍ରବାର ହଟାଇ ଦେଇଛନ୍ତି । ରହିତାଦେଶ ହଟିଯିବା ଫଳରେ ବୈକୁଣ୍ଠନାଥ ଆଶ୍ରମ ଭାଙ୍ଗିବା ଏକରକମ ସ୍ପଷ୍ଟ ହୋଇଯାଇଛି। ଭୁବନେଶ୍ୱର  ଉନ୍ନୟନ କର୍ତ୍ତୃପକ୍ଷ (ବିଡିଏ) ଏବେ ଯେକୌଣସି ସମୟରେ  ବିବାଦୀୟ ଆଶ୍ରମକୁ ଭାଙ୍ଗିପାରିବେ । ମାମଲାର ଶୁଣାଣି କରି ହାଇକୋର୍ଟର ବିଚାରପତି ଜଷ୍ଟିସ୍‌  ବି.ପି. ରାଉତରାୟ ରହିତାଦେଶ ଉଠାଇ ଦେଇଥିବାବେଳେ  ପ୍ରତିଜବାବ ଦାଖଲ ପାଇଁ ଆବେଦନକାରୀ ବୈକୁଣ୍ଠନାଥ  ସେବାଶ୍ରମ କର୍ତ୍ତୃପକ୍ଷଙ୍କୁ ମହଲତ ଦେଇଛନ୍ତି। ସାଧାରଣ  ପ୍ରଶାସନ ପକ୍ଷରୁ ଦିଆଯାଇଥିବା ସତ୍ୟପାଠର ପ୍ରତିଜବାବ  ରଖିବା ଲାଗି ବୈକୁଣ୍ଠଧାମ ସେବାଶ୍ରମ ଟ୍ରଷ୍ଟ ପକ୍ଷରୁ  ଅଦାଲତଙ୍କଠାରୁ ସମୟ ଲୋଡ଼ାଯାଇଥିଲା । ଅଦାଲତ ଏଥିପାଇଁ ଅନୁମତି ପ୍ରଦାନ କରିବା ସହ ମାମଲାର ଶୁଣାଣି  ଫେବ୍ରୁଆରୀ ୩ ତାରିଖକୁ ଧାର୍ୟ୍ୟ କରିଛନ୍ତି । 
ମାମଲାରୁ ଜଣାଯାଇଛି ଯେ, ଘାଟିକିଆ ମୌଜାରେ  ବେଆଇନ ଭାବେ ତିଆରି ହୋଇଥିବା ବୈକୁଣ୍ଠଧାମ ଆଶ୍ରମକୁ  ଭାଙ୍ଗିବାକୁ ବିଡିଏ କର୍ତ୍ତୃପକ୍ଷ ଗତବର୍ଷ ନଭେମ୍ବର ୨୦  ତାରିଖରେ ନିଷ୍ପତ୍ତି ନେଇଥିଲେ । ବିଡିଏର ଏହି ନିଷ୍ପତ୍ତିକୁ  ଚ୍ୟାଲେଞ୍ଜ କରି ବୈକୁଣ୍ଠଧାମ ସେବାଶ୍ରମ ଟ୍ରଷ୍ଟ ହାଇକୋର୍ଟଙ୍କ  ଦ୍ୱାରସ୍ଥ ହୋଇଥିଲା । ହାଇକୋର୍ଟ ଏହି ମାମଲାର ଶୁଣାଣି  କରି ରାଜ୍ୟ ସରକାରଙ୍କୁ ନୋଟିସ୍‌ କରିଥିଲେ । ଏଥିସହ ଉକ୍ତ ବିବାଦୀୟ ଜମି ଉପରେ କୌଣସି କଠୋର କାର୍ୟ୍ୟାନୁଷ୍ଠାନ  ଗ୍ରହଣ କରାଯାଇପାରିବ ନାହିଁ ବୋଲି ଅନ୍ତରୀଣ ଆଦେଶ  ଦେଇଥିଲେ । ମାମଲାର ଶୁଣାଣି ଅବସରରେ ଏହି ଟ୍ରଷ୍ଟ  ପକ୍ଷରୁ ହାଇକୋର୍ଟରେ ବିଦ୍ୟାଳୟ ଏବଂ ଗଣଶିକ୍ଷା ବିଭାଗ  ପକ୍ଷରୁ ସାଧାରଣ ପ୍ରଶାସନ ବିଭାଗକୁ ଲେଖାଯାଇଥିବା ଏକ  ଚିଠିକୁ ଦାଖଲ କରାଯାଇଥିଲା । ଉକ୍ତ ଚିଠିରେ ଗଣଶିକ୍ଷା  ବିଭାଗ ଏହି ଜମିକୁ ଟ୍ରଷ୍ଟ ନାମରେ କରିବା ଲାଗି ସୁପାରିସ୍‌  କରିଛି ବୋଲି କୁହାଯାଇଥିଲା । ହାଇକୋର୍ଟ ଏହି ଚିଠି  ଆଧାରରେ ଆଶ୍ରମ ଭଙ୍ଗାଯିବା ଉପରେ ରୋକ୍‌ ଲଗାଇଥିଲେ ।