୧୪ରୁ ଟି-ସେତୁରେ ଯାନବାହନ ଯାତାୟାତ କଟକଣା

କଟକ: ମକର ସଂକ୍ରାନ୍ତି ଅବସରରେ ପ୍ରଭୁ ସିଂହନାଥ ପୀଠରେ ମକର ମେଳା ପାଇଁ ପ୍ରସ୍ତୁତି ଚୂଡ଼ାନ୍ତ ପର୍ୟ୍ୟାୟରେ ପହଞ୍ଚିଛି । ପ୍ରବଳ ଭିଡ଼କୁ ଦୃଷ୍ଟିରେ ରଖି ଗ୍ରାମାଞ୍ଚଳ ପୁଲିସ୍‌ ପକ୍ଷରୁ ଟ୍ରାଫିକ କଟକଣା ଜାରି କରାଯାଇଛି । ଟି-ସେତୁ ଉପରେ ଯାନବାହାନ ଚଳାଚଳ ସମ୍ପୂର୍ଣ୍ଣ କଟକଣା କରାଯାଇଛି । ଅନ୍ୟ ରାସ୍ତାରେ ଗାଡ଼ିମୋଟରଗୁଡିକ ଯାତାୟାତ କରିବାକୁ ଜିଲ୍ଲା ଏସ୍‌ପିଙ୍କ କାର୍ୟ୍ୟାଳୟ ତରଫରୁ ନୋଟିସ୍‌  ଜାରି କରାଯାଇଛି । ଦୁଇବର୍ଷ ପୂର୍ବରୁ ମକର ମେଳା  ଅବସରରେ ଏଠାରେ ଦଳାଚକଟା ହୋଇ ପ୍ରାଣହାନି  ହୋଇଥିଲା । ତେଣୁ ଏହି ଅଘଟଣର ଯେପରି  ପୁନାରୁବୃତ୍ତି ନହେବ ସେଥିପାଇଁ ଦୃଷ୍ଟି ଦିଆଯାଇଛି ।   ଜାନୁଆରୀ ୧୪ ତାରିଖରୁ ୧୬ ତାରିଖ ପର୍ୟ୍ୟନ୍ତ ବଡମ୍ବା ସ୍ଥିତ ପ୍ରଭୁ ସିଂହନାଥ ପୀଠରେ ମକର ମେଳା  ଉତ୍ସବର ଭବ୍ୟ ଆୟୋଜନ କରାଯାଉଛି । ଏହି ମେଳାରେ  କଟକ ସମେତ ଅନ୍ୟାନ୍ୟ ଜିଲ୍ଲାରୁ ଦୁଇ ଲକ୍ଷରୁ ଅଧିକ  ଶ୍ରଦ୍ଧାଳୁ ସମାଗମ ହେବ । ଏହାକୁ ଦୃଷ୍ଟିରେ ରଖି ସିଂହନାଥ ପୀଠକୁ ସଂଯୋଗ କରୁଥିବା ବୈଦେଶ୍ୱର-ବଡ଼ମ୍ୱା ଟି-ସେତୁ ଉପରେ ସ୍ୱତନ୍ତ୍ର ଧ୍ୟାନ ଦେବାକୁ ପୁଲିସ୍‌  ଏସ୍‌ପି ପ୍ରତୀକ ସିଂ ନିର୍ଦ୍ଦେଶ ଦେଇଛନ୍ତି । ମକର ଯାତ୍ରାକୁ  ଦୃଷ୍ଟିରେ ରଖି ଉକ୍ତ ସେତୁ ଉପରେ ଯାନବାହନ ଯାତାୟାତ  ନିମନ୍ତେ କଟକଣା ଜାରି କରାଯିବା ସହ ନୟାଗଡ଼ ପଟୁ ବଡ଼ମ୍ୱା ଆସୁଥିବା ସମସ୍ତ ଯାନବାହନଗୁଡିକୁ ସିଦ୍ଧମୂଳ  ସେତୁ ଦେଇ ବଡମ୍ୱା ଅଭିମୁଖେ ଗତି କରିବ । ସେହିଭଳି ବଡମ୍ୱା ପଟୁ ଭୁବନେଶ୍ୱର ଓ ଖୋର୍ଦ୍ଧା ଯାଉଥିବା  ଯାନବାହନଗୁଡିକ ଜାତମୁଣ୍ଡିଆ ସେତୁ ଦେଇ ଗତି କରିବ ।