ବିଏମ୍ଏସ୍ ଏକ ସଂଘ ନୁହେଁ, ଲଢ଼େଇର ମାଧ୍ୟମ
ଭଦ୍ରକ : ଭାରତୀୟ ମଜଦୁର ସଂଘର ସ୍ଥାପନା ହେବାର ମୂଳ ଲକ୍ଷ୍ୟ ଶ୍ରମିକମାନଙ୍କ ହିତ ସାଧନ । ତ୍ୟାଗ, ତପସ୍ୟା ଓ ବଳିଦାନର ମୂଳମନ୍ତ୍ରରେ ଦୀକ୍ଷିତ ଏହି ସଂଘର ପ୍ରତ୍ୟେକଟି ସଦସ୍ୟସଦସ୍ୟା ଏକ ହୋଇ ଗରିବ, ମଜଦୁରର ହକ୍ ପାଇଁ ଲଢ଼େଇ କରି ଆସିଛି ଏବଂ ଆଗାମୀ ଦିନରେ ମଧ୍ୟ କରି ଚାଲିଥିବ । ଏହି ଲଢ଼େଇର ଫଳ ମଜଦୁରମାନଙ୍କ ମୁହଁରେ ହସ ଫୁଟାଇଥାଏ ବୋଲି ଭାରତୀୟ ମଜଦୁର ସଂଘର ୭୦ତମ ବର୍ଷ ପୂର୍ତ୍ତି ପାଳନ ଅବସରରେ ଅତିଥିମାନେ ମତବ୍ୟକ୍ତ କରିଥିଲେ । ଅଙ୍ଗନୱାଡି କର୍ମୀଙ୍କୁ ସରକାରୀ କର୍ମଚାରୀର ମାନ୍ୟତା, ସେମାନଙ୍କ ସାମାଜିକ ସୁରକ୍ଷା, ଆଶାକର୍ମୀ, ପାଚିକା, ସହାୟିକା ଭଳି ସବୁ କ୍ଷେତ୍ରରେ କାର୍ଯ୍ୟରତ ଥିବା କର୍ମଚାରୀଙ୍କୁ ସରକାରୀ କର୍ମଚାରୀର ମାନ୍ୟତା ସହ ଇଏସ୍ଆଇ, ଇପିଏଫ୍ ପରିସରଭୁକ୍ତ କରି ଚାକିରି ସର୍ତ୍ତାବଳୀ ଲାଗୁ କରିବାକୁ ଭାରତୀୟ ମଜଦୁର ସଂଘ ଆନେ୍ଦାଳନରତ । ଦେଶର ସର୍ବ ବୃହତ୍ ଶ୍ରମିକ ସଂଗଠନ ଭାବେ ଭାରତୀୟ ମଜଦୁର ସଂଘ ପରିଗଣିତ ହେଉଥିବା ବେଳେ ଏହି ସଂଘ ରାଜ୍ୟର ସବୁ କ୍ଷେତ୍ରରେ ଅବହେଳିତ ଶ୍ରମିକମାନଙ୍କୁ ନ୍ୟାୟ ପ୍ରଦାନ କ୍ଷେତ୍ରରେ ସଂଗ୍ରାମ ଜାରି ରଖିଛି । ସ୍ଥାନୀୟ ସଂସ୍କୃତି ଭବନରେ ଅନୁଷ୍ଠିତ ଉତ୍ସବକୁ ମୁଖ୍ୟ ଅତିଥି ଜିଲ୍ଲାପାଳ ଦିଲିପ ରାଉତରାଏ, ମଣ୍ଡଳ ଶ୍ରମ ଆୟୁକ୍ତ ଶଚ୍ଚିଦାନନ୍ଦ ଜେନା, ସଂଘର ଜିଲ୍ଲା ସଭାପତି ମନୋଜ ବସନ୍ତରାୟ, ରାଜ୍ୟ ଉପସଭାପତି ତଥା ମୁଖ୍ୟବକ୍ତା ଶାନ୍ତନୁ କୁମାର ମହାପାତ୍ର, ଅଖିଳ ଭାରତ ମଧ୍ୟାହ୍ନ ଭୋଜନ କର୍ମଚାରୀ ସଂଘର ଉପସଭାପତି ମୁକ୍ତିକାନ୍ତ ସାହୁ ପ୍ରମୁଖ ପ୍ରଦୀପ ପ୍ରଜ୍ୱଳନ କରି ଉଦ୍ଘାଟନ କରିଥିଲେ । ଜିଲ୍ଲା ସଭାପତି ଶ୍ରୀ ବସନ୍ତରାୟ ସଭାରେ ସଭାପତିତ୍ୱ କରିଥିଲେ । ଆଶାକର୍ମୀ ସଂଘ ଜିଲ୍ଲା ସମ୍ପାଦିକା ସଞ୍ଜୁଲତା ରାଉତ, ପ୍ରଭାସିନୀ ଦାସ, କନକ ବିଶ୍ୱାଳ ଶ୍ରମିକ ସଂଗୀତ ଗାନ କରିଥିଲେ । ବିଏମ୍ଏସ୍ ଜିଲ୍ଲା ସମ୍ପାଦକ ପରେଶ ନାଥ ଧଳ ଅତିଥି ପରିଚୟ ପ୍ରଦାନ କରିଥିଲେ । ସଂଘ ପକ୍ଷରୁ ଆଗାମୀ ଦିନରେ ସଂଘ ସହ ଅନୁବନ୍ଧିତ ପ୍ରତାପ ପଣ୍ଡା ସ୍ମୃତି ସଂସଦ ଆନୁକୁଲ୍ୟରେ ଅଗଷ୍ଟ ମାସରେ ରକ୍ତଦାନ, ବୃକ୍ଷରୋପଣ ଆଦି କାର୍ଯ୍ୟକ୍ରମ କରାଯିବ ବୋଲି ସଂଘ ପକ୍ଷରୁ ସୂଚନା ଦିଆଯାଇଥିଲା ।