ବ୍ୟବସ୍ଥା, ଅବ୍ୟବସ୍ଥାର ବିଚାର

ଆଜ୍ଞା ନମସ୍କାର,
ଛୋଟ କଥାର ବଡ ବିଚାର 'ଅମୃତ ବିନ୍ଦୁ  ।' 'ଅମୃତ ବିନ୍ଦୁ'ର ଆଜିର ଅଧ୍ୟାୟରେ ଆମେ ଅବଲୋକନ କରିବା, ବିଚାର କରିବ ବ୍ୟବସ୍ଥା, ଅବ୍ୟବସ୍ଥାକୁ ନେଇ କିଛି କଥା  । ଆଜିର କଥାକୁ ଆପଣ ଗ୍ରହଣ କରିବେ, ବିଚାରିବେ ବୋଲି ଆଶା  ।
ଅବ୍ୟବସ୍ଥା ସବୁବେଳେ ବ୍ୟବସ୍ଥିତ କାର୍ଯ୍ୟଧାରାକୁ ହଟେଇ ଦିଏ  । ସଚରାଚର ସାମାଜିକ ଜୀବନରେ ଦେଖାଯାଏ ଯେ କୌଣସି ଏକ ଭଲ ବ୍ୟବସ୍ଥା ବା ଭଲ କାର୍ଯ୍ୟକୁ ବିଗାଡି ଦେବା କିମ୍ବା ନିନ୍ଦିତ କରିବା ଖୁବ୍ ସହଜ  । ଏପରି ହେଉଥିବାର କାରଣ ହେଲା ଏକ ପ୍ରାକୃତିକ ନିୟମ ଭାବରେ ଖରାପ ବ୍ୟବସ୍ଥା, ଭଲ ବ୍ୟବସ୍ଥାକୁ ଖୁବ୍ କମ୍ ଦିନ ଭିତରେ ପରିବେଶରୁ ହଟେଇ ଦିଏ  । 
ଅର୍ଥବ୍ୟବସ୍ଥା ଯେତେ ଭଲ ହେଲେ ମଧ୍ୟ ନକଲି ମୁଦ୍ରା ପ୍ରଚଳନ ଭିତରକୁ ଆସିଗଲେ ତାହା ଅସଲି ମୁଦ୍ରାକୁ ପ୍ରଚଳନରୁ ହଟେଇ ଦିଏ  । ସେଥିପାଇଁ ଅର୍ଥବ୍ୟବସ୍ଥାରେ ଏକ ତତ୍ତ୍ୱ ହେଲା-ଖରାପ ମୁଦ୍ରା, ଭଲ ମୁଦ୍ରାକୁ ପ୍ରଚଳନରୁ ହଟେଇ ଦିଏ  । ସେଥିପାଇଁ ପ୍ରତ୍ୟେକ ରାଷ୍ଟ୍ରରେ ଅର୍ଥବ୍ୟବସ୍ଥାକୁ ସୁଦୃଢ କରିବା ନିମିତ୍ତ ନକଲି ମୁଦ୍ରା ଉପରେ କଠୋର କାର୍ଯ୍ୟାନୁଷ୍ଠାନ ନିଆଯାଏ  । ଏହି ନିୟମ ହିଁ ସବୁକ୍ଷେତ୍ରରେ ଲାଗୁ ହୁଏ  । କୌଣସି ଏକ ବ୍ୟବସ୍ଥିତ ପରିବେଶରେ ଅବ୍ୟବସ୍ଥା ଦେଖା ଦେଲେ ତାକୁ ତୁରନ୍ତ ଦୂର କରିବା ଉଚିତ୍ । ଅନ୍ୟଥା ଅବ୍ୟବସ୍ଥା ହିଁ ବ୍ୟବସ୍ଥାକୁ ପରିବେଶକୁ ଦେବ  ।
ହାଣ୍ଡିଏ ରସଗୋଲାରେ ଟୋପାଏ ବିଷ ପକେଇ ଦେଲେ ହାଣ୍ଡିକଯାକ ରସଗୋଲା ତାର ମୌଳିକ ଖାଦ୍ୟଗୁଣକୁ ହରାଇ ବିଷରେ ପରିଣତ ହୋଇଯାଏ  । ବିଶାଳ ସବୁଜ ଜଙ୍ଗଲରେ ପଡିଥିବା ଶୁଖିଲା ପତ୍ର ବଜ୍ରପାତର ସାମାନ୍ୟ ଅଗ୍ନିକଣିକାରେ ଜଳି ଉଠି ସମଗ୍ର ଜଙ୍ଗଲକୁ ଜାଳିପୋଡି ଧ୍ୱଂସ କରିଦିଏ, ଛାରଖାର କରିଦିଏ  । ସବୁବେଳେ ଭଲ ଜିନିଷଟି ଖରାପ ଜିନିଷ ଦ୍ୱାରା ପ୍ରଭାବିତ ହୁଏ  । ଖରାପ ଜିନିଷ କ୍ୱଚିତ୍ ଭଲ ଜିନିଷ ଦ୍ୱାରା ପ୍ରଭାବିତ ହୁଏ  । ଏହାର କାରଣ ହେଉଛି ଭଲ ଜିନିଷଟି ଉପରକୁ ଉଠିବାକୁ ଚେଷ୍ଟା କରେ ଏବଂ ଖରାପ ଜିନିଷଟି ସବୁବେଳେ ନିମ୍ନମୁଖୀ ହୁଏ  । ନିମ୍ନମୁଖୀ ହେବା ପାଇଁ ସଂଘର୍ଷର ଆବଶ୍ୟକତା ନାହିଁ, କିନ୍ତୁ ଉର୍ଦ୍ଧ୍ୱମୁଖୀ ହେବା ପାଇଁ କଠିନ ସଂଘର୍ଷ ସବୁବେଳେ ଆବଶ୍ୟକ  । 
ନଦୀର ନିର୍ମଳ ଜଳଧାରା ବର୍ଷାଋତୁ ପରେ ଶରତ ଋତୁର ଆଗମନରେ ହୁଏ  । ଏହି ନିର୍ମଳ ଜଳଧାରାକୁ ଗୋଳିଆ କରିବା ପାଇଁ ବର୍ଷର ଯେକୌଣସି ସମୟର ଅସରାଏ ବର୍ଷା ହିଁ ଯଥେଷ୍ଟ  । କାରଣ ନିର୍ମଳ ଜଳକୁ ଗୋଳିଆ କରିବା ହେଉଛି ଏକ ନକାରାତ୍ମକ କାର୍ଯ୍ୟ, ଯାହାକି ଖୁବ୍ କମ୍ ସମୟରେ ହୋଇଯାଏ  । କିନ୍ତୁ ଗୋଳିଆ ଜଳକୁ ନିର୍ମଳ ହେବା ପାଇଁ ଦୀର୍ଘ ସମୟ ଲାଗେ  । ଏହି ଦୀର୍ଘ ସମୟ ହିଁ ଧୈର୍ଯ୍ୟ ଓ ସଂଘର୍ଷର ସମୟ  ।
ପଢିଥିବା ହେତୁ ଆପଣଙ୍କ ନିକଟରେ  । ନମସ୍କାର  ।