ଲିଙ୍ଗରାଜ ମନ୍ଦିରରେ ଫଟୋ ଉଠାଇ ଅଡୁଆରେ ପିସିସି ସଭାପତି

ସୋସିଆଲ ମିଡିଆରେ ଏବେ ଲିଙ୍ଗରାଜ ମନ୍ଦିରର ଫଟୋ ଗୁଡ଼ିକୁ ଭାଇରାଲ ହେଉଛି । ଲିଙ୍ଗରାଜ ମନ୍ଦିରରେ କେମିତି ନେତାମାନେ ସମର୍ଥକ ଓ କର୍ମୀଙ୍କ ଗହଣରେ ଫଟୋ ଉଠାଇ ସୋସିଆଲ ମିଡିଆ ଆକାଉଣ୍ଟରେ ପୋଷ୍ଟ କରିଛନ୍ତି ସେନେଇ ବି ଚର୍ଚ୍ଚା ଚାଲିଛି । କେବଳ କଂଗ୍ରେସ ନୁହେଁ ବରଂ ବିଜେପିର ବି ବଡ଼ବଡ଼ ନେତା ଯେବେ ଯେବେ ଲିଙ୍ଗରାଜ ମନ୍ଦିର ଗସ୍ତରେ ଆସିଛନ୍ତି ସେବେ ଫଟୋ ଉଠାଇ ପୋଷ୍ଟ କରିଛନ୍ତି । ଏମିତିରେ ସୋମବାର ଶ୍ରୀଲିଙ୍ଗରାଜଙ୍କ ଦର୍ଶନ କରିବା ପରେ ସୋସିଆଲ ମିଡିଆରେ ଫଟୋ ପୋଷ୍ଟ କରିଥିଲେ ପିସିସି ସଭାପତି ଭକ୍ତ ଦାସ । ହେଲେ ଏବେ ତାହା ବିବାଦୀୟ ହୋଇପଡ଼ିଛି । କେମିତି ନିଷିଦ୍ଧାଞ୍ଚଳରେ ସେ ଫଟୋ ଉଠାଇଲେ ସେନେଇ ପ୍ରଶ୍ନବାଚୀ ସୃଷ୍ଟି ହେବା ପରେ କଂଗ୍ରେସ ସମର୍ଥକ କିନ୍ତୁ ଏଥିରେ ବିଜେପିକୁ ବିବାଦ ଘେରକୁ ଟାଣିଛନ୍ତି ।
ଲିଙ୍ଗରାଜ ମନ୍ଦିର । ନିୟମ ଅନୁସାରେ ସେଠାରେ କେହି ଫଟୋ ଉଠାଇପାରିବେ ନାହିଁ । ହେଲେ ନେତାମାନେ କେମିତି ସେଠାରେ ଫଟୋ ଉଠାଇଲେ ସେନେଇ ବି ପ୍ରଶ୍ନ ଉଙ୍କି ମାରୁଛି । ଖାସ କରି ଭକ୍ତଙ୍କ ଫଟୋକୁ ନେଇ ବିବାଦ ହେବା ପରେ ଫେସବୁକ୍ରେ ଗୋଟିଏ ପ୍ରକାର ୱାର ଚାଲିଥିବା କହିଲେ ଅତ୍ୟୁକ୍ତି ହେବ ନାହିଁ । ଫେସବୁକ୍ରେ ପ୍ରକାଶ ମିଶ୍ର ନାମକ ଜଣେ ୟୁଜର୍ସ ଲେଖିଛନ୍ତି ବିଜେପି ନେତାମାନେ ମନ୍ଦିର ଭିତରେ ଫଟୋ ଉଠାଇ ପୋଷ୍ଟ କରିଛନ୍ତି । ଏବେ ଭକ୍ତଦାସ ବି ଉଠାଇଥିଲେ । ଏ କ୍ଷେତ୍ରରେ ଭକ୍ତଙ୍କ ଲାଗି ନିୟମ ଅଲଗା କି ବୋଲି ସେ ପ୍ରଶ୍ନ କରିଛନ୍ତି । ମୋଟ୍ ଉପରେ ରାଜ୍ୟର ପ୍ରମୁଖ ମନ୍ଦିର ଗୁଡ଼ିକରେ ଫଟୋ ଉଠାଇବାକୁ ନେଇ କଟକଣା ଜାରି କରାଯାଇଛି । ପୁରୀର ଶ୍ରୀମନ୍ଦିର ହେଉ କି ଭୁବନେଶ୍ବରର ଲିଙ୍ଗରାଜ ମନ୍ଦିର ହେଉ । ସେପଟେ ଘଟଗାଁର ତାରିଣୀ ମନ୍ଦିର ହେଉ…କି ଯାଜପୁରର ବିରଜା ମନ୍ଦିର ହେଉ…ସବୁଠି ଫଟୋ ଉଠାକୁ ନେଇ କଟକଣା ଜାରି କରାଯାଇଛି । ହେଲେ ନେତା ସତେ ଯେମିତି ନିୟମ ବିରୋଧରେ ଯାଉଛନ୍ତି । ଅବଶ୍ୟ କେନ୍ଦ୍ରୀୟ ନେତା ହୁଅନ୍ତୁ କି ରାଜ୍ୟସ୍ତରର ନେତା ହୁଅନ୍ତୁ ସେମାନେ ଯେବେ ମନ୍ଦିର ଗସ୍ତରେ ଯାଉଛନ୍ତି ସେହି ସମୟରେ ପ୍ରଶାସନିକ ଅଧିକାର ଉପସ୍ଥିତ ରହୁଛନ୍ତି କି ନାହିଁ ? ଯଦି ରହୁଛନ୍ତି କାହିଁକି ବାରଣ କରୁନାହାନ୍ତି ? କିଛି ଏମିତି ପ୍ରଶ୍ନ ଉଙ୍କି ମାରୁଥିବା ବେଳେ ଏନେଇ କିନ୍ତୁ ଲିଙ୍ଗରାଜ ମନ୍ଦିର ପ୍ରଶାସନର କୌଣସି ପ୍ରତିକ୍ରିୟା ଆମର ହସ୍ତଗତ ହୋଇନାହିଁ । ସେପଟେ ଏନେଇ ବୟାନ ଦେଇଛନ୍ତି ଆଇନମନ୍ତ୍ରୀ ପୃଥୀରାଜ ହରିଚନ୍ଦନ । କହିଛନ୍ତି ନିୟମ ଅନୁଯାୟୀ ପ୍ରମୁଖ ମନ୍ଦିରଗୁଡିକ, ଯେଉଁ ଗୁଡିକ ଏଏସ୍ଆଇ ମ୍ୟାନେଜମେଣ୍ଟ ଅଧୀନରେ ଅଛି, ସେଠାରେ ଫଟୋ ଉଠାଇବା ସମ୍ପୂର୍ଣ୍ଣ ନିଷେଧ । ଜାଣିବା ଶୁଣିବା ଲୋକେ ଏହାକୁ ଉଲ୍ଲଙ୍ଘନ କରିବେ ତାହା ଠିକ୍ ନୁହେଁ । ଏ ନେଇ ଆମେ ତର୍ଜମା କରିବୁ ।