ରାସନ ଚାଉଳ ଗିଳିଦେଲେ, ସହାୟକ ଯୋଗାଣ ଅଧିକାରୀଙ୍କ ନିକଟରେ ଫେରାଦ ହେଲେ ହିତାଧିକାରୀ

 ବ୍ରହ୍ମବରଦା: ଗରିବଙ୍କ ପେଟକୁ ଲାତ ମାରି ରାସନ ଚାଉଳ ଗିଳିଦେଲେ ଯୋଗାଣ ସହାୟକ । ଗରିବ ଲୋକଙ୍କ ଚାଉଳକୁ ଖାଇ ଯୋଗାଣ ସହାୟକ ଲୁଚି ବୁଲୁଥିବା ବେଳେ ବିଭାଗୀୟ ଅଧିକାରୀସବୁ ଜାଣି ଚୁପହୋଇ ବସି ରହିଛନ୍ତି । ଗୋଟିଏ ପଟେ ସରକାର ଗରିବ, ଅସହାୟ ଲୋକ ମାନଙ୍କ ପାଇଁ ମାସିକ ମୁଣ୍ଡ ପିଚ୍ଛା ୫କେଜି ଚାଉଳ ଯୋଗାଇ ଦେଉଥିବା ବେଳେ ସଂପୃକ୍ତ ଯୋଗାଣ ସହାୟକ ଓ ଅଧିକାରୀ ମିଲିଭଗତରେ ଶତାଧିକ ଉପଭୋକ୍ତାଙ୍କ ଚାଉଳକୁ ହଡପ କରାଯାଇଥିବା ନେଇ ଅଭିଯୋଗ ହୋଇଛି । ଏଭଳି ଘଟଣା ଯାଜପୁର ବ୍ଲକ ଝାଲପଡା ପଞ୍ଚାୟତରୁ ଆସିଛି । ଏଠାରେ ୧୬ଟି ୱାର୍ଡକୁ ୫ହଜାର ୨ଶହ ଲୋକ । ଏହାର ୯୦ପ୍ରତିଶତ ରାସନ ହିତାଧିକାରୀଙ୍କୁ ଦୁଇଜଣ ଯୋଗାଣ ସହାୟକ ନିଯୁକ୍ତି ପାଇଛନ୍ତି । କାକୁଡିକୁଦ, ନିଳକଣ୍ଠପୁର ଗ୍ରାମର୧୧ଟି ୱାର୍ଡକୁ ନେଇ ଜଣେ ଓ ଝାଲପଡା, ସାନବାଗସାହି ୫ଟି ୱାର୍ଡକୁ ନେଇ ପର୍ଶୁରାମ ମୁଦୁଲି ଯୋଗାଣ ସହାୟକ ଭାବେ ନିଯୁକ୍ତି ପାଇଛନ୍ତି । ହେଲେ କିଛି ବର୍ଷ ହେଲା ପର୍ଶୁରାମ ଅସୁସ୍ଥ ରହିଥିବା ବେଳେ ତାଙ୍କ ପୁଅ  ରାସନ ସାମଗ୍ରୀ ବଣ୍ଟନରେ ଟାଳଟୁଳ ନିତି ଅବଲମ୍ବନ କରିଛନ୍ତି । ଫଳରେ ଗରିବ ହିତାଧିକାରୀ ଚାଉଳ ପାଇଁ ବାରମ୍ବାର ମାସମାସ ଦୌଡି ଦୌଡି ହନ୍ତସନ୍ତ ହେଉଥିବା ଅଭିଯୋଗ ହୋଇଛି । ଏନେଇ ଗତ କିଛିଦିନ ପୂର୍ବରୁ ବରୁଆଁ-ବାଲିଚନ୍ଦ୍ରପୁର ମୁଖ୍ୟ ରାସ୍ତାରେ ଲୋକେ ଟାୟାର ଜାଳି ୪ ଘଣ୍ଟା କାଳ ରାସ୍ତା ଅବରୋଧ କରିଥିଲେ । ପରେ ସଂପୃକ୍ତ ଏମଆଇ ଘଟଣା ସ୍ଥଳରେ ପହଞ୍ଚି ତୁରନ୍ତ ଚାଉଳ ଯୋଗାଇ ଦେବାକୁ ପ୍ରତିଶ୍ରୁତି ଦେବାରୁ ରାସ୍ତା ଅବରୋଧ ହଟିଥିଲା । କିନ୍ତୁ ଉକ୍ତ ଘଟଣା ଘଟିବାର ଆଜିକୁ ଦୁଇ ମାସ ପରେ ପୁଣି ଏହାର ପୁନରାବୃତ୍ତି ଘଟିଥିବା ଦେଖିବାକୁ ମିଳିଛି । ଗତ ଅକ୍ଟୋବର ମାସରୁ ୩ ମାସ ପାଇଁ ଚାଉଳ ବଣ୍ଟନ ଶେଷ ହୋଇଯାଇଥିବା ବେଳେ ଏହି ୫ଟି ୱାର୍ଡର ହିତାଧିକାରୀ ଆଜି ପର୍ଯ୍ୟନ୍ତ ଚାଉଳ ପାଇବାରୁ ବଞ୍ଚିତ ହୋଇଛନ୍ତି । ବାରମ୍ବାର ଏମଆଇ ଓ ବିଡିଓଙ୍କୁ ଅବଗତ କରିଥିଲେ ମଧ୍ୟ ଫଳ ଶୂନ । ଏଣୁ ଆଜି ସାନବାଗସାହି ଓ ଝାଲପଡା ଗ୍ରାମର ୧୦୦ରୁ ଊଦ୍ଧ୍ୱର୍ ହିତାଧିକାରୀ ଜିଲାଯୋଗାଣ ଅଧିକାରୀ ସେକ୍ ସଲ୍ଲାଉଦ୍ଧିନ ଖାନଙ୍କୁ ଭେଟି ଲିଖିତ ଅଭିଯୋଗ କରିଛନ୍ତି । ଶ୍ରୀ ଖାଁନ ୭ଦିନ ମଧ୍ୟରେ ତଦନ୍ତ କରାଯାଇ ପଦକ୍ଷେପ ନିଆଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ । ଯଦି କିଛି ସୁଫଳ ନମିଳିଲା, ତେବେ ଉପଭୋକ୍ତା ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେବେ ଦେବେ ବୋଲି ଚେତାବନି ଦେଇଛନ୍ତି ।