ବିଜେଡି ପକ୍ଷରୁ ୮ ଘଣ୍ଟିଆ ବନ୍ଦ ଡାକରା
ରାଇଘର : ନବରଙ୍ଗପୁର ଜିଲ୍ଲା ରାଇଘର ବିଜେଡି ପକ୍ଷରୁ ଆଜି ବାର ଘଣ୍ଟିଆ ବନ୍ଦ ଡାକରା ଦିଆଯାଇଛି । ଧାନର ପ୍ରାପ୍ୟ ଚାଷୀଙ୍କୁ ନ ମିଳିବା ଯୋଗୁଁ ଗତ କିଛି ଦିନ ତଳେ ଲ୍ୟାମ୍ପସ୍ ଏମ ଡି ନିଲମ୍ବିତ ହୋଇଥିଲେ । ବର୍ତ୍ତମାନ ସୁଦ୍ଧା ମଣ୍ଡିରେ ଧାନ ଦେଇ ଚାଷୀଙ୍କୁ ଟଙ୍କା ମିଳି ନଥିବାରୁ ଚାଷୀ ଅସନ୍ତୋଷ ପ୍ରକାଶ କରିଛନ୍ତି ।
ତେବେ ନିୟମାନୁସାରେ ଚାଷୀ ଧାନ ଦେବାର ୧୨ରୁ ୨୪ଘଣ୍ଟା ମଧ୍ୟରେ ପ୍ରାପ୍ୟ ପ୍ରଦାନ କରାଯିବା କଥା । କିନ୍ତୁ ୪ ମାସ ହେଲା ଚାଷୀ ମଣ୍ଡିରେ ଧାନ ଦେବା ପରେ ଟିପି କଟା ଯାଇ ନ ଥିବାରୁ ୩୪୪ ଜଣ ଚାଷୀଙ୍କ ୧୪୨୦୦ କ୍ୱିଣ୍ଟାଲ ଧାନ ବାବଦରେ ୪ କୋଟି ୪୦ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କା ଏ ଯାଏ ପଇଠ ହୋଇନାହିଁ । ୪ ମାସ ହେବ ପଇସା ନ ମିଳିବାରୁ ଆଜି ବ୍ଲକ୍ ବିଜେଡି ପକ୍ଷରୁ ଏହି ବନ୍ଦ ଡାକରା ଦିଆଯାଇଛି । ବ୍ଲକ୍ରେ ସମୁଦାୟ ୩୧୮୭ ଜଣ ଚାଷୀ ପଞ୍ଜୀକୃତ କରିଥିଲେ । ସେଥି ମଧ୍ୟରେ ୨୮୦୦ ଜଣ ଚାଷୀ ମଣ୍ଡିରେ ଧାନ ଦେଇଥିଲେ । ଏବଂ ବିଳମ୍ବରେ ସାଇଡ୍ ଖୋଲିବାରୁ ଏହି ସମସ୍ୟା ସୃଷ୍ଟି ହେଲା ବୋଲି ଏମ୍ଡି ପ୍ରକାଶ କରିଥିଲେ । ପରେ କୃଷକ ସଂଘ ତଥା କଂଗ୍ରେସ ପାର୍ଟି ଲ୍ୟାମ୍ପ୍ସ ଘେରାଉ କରିଥିଲେ । ଘଟଣାର ଉଚ୍ଚସ୍ତରୀୟ ତଦନ୍ତ ପାଇଁ ଦାବି ହଉଥିବା ବେଳେ ବିଜେଡ଼ି ପକ୍ଷରୁ ଚାଷୀଙ୍କ ସ୍ୱାର୍ଥକୁ ସମର୍ଥନ ଜଣାଇ ଏହି ବନ୍ଦ ଡାକରା ଦିଆଯାଇଛି । ଏହି ବନ୍ଦ ଡାକରାରେ ବିଜେଡ଼ିର ବ୍ଲକ ଅଧକ୍ଷ ଗୁପ୍ତ ପ୍ରସାଦ ଝାଙ୍କର, ପୂର୍ବତନ ବିଧାୟକ ସୁବାଷ ଗଣ୍ଡ, ପୂର୍ବତନ ବ୍ଲକ ଅଧକ୍ଷ ଚିତ୍ତ ଗଣ୍ଡ, ରାମନାଥ କେଉଟ, ବିଜେଡ଼ିର ବିଧାୟକ ପାର୍ଥି ନବିନା ନାୟକ, ଜିଲ୍ଲାପରିଷଦ ଉପାଧକ୍ଷା ଲିପିକା ବାରୋଇଙ୍କ ସମେତ ଅନ୍ୟମାନେ ଉପସ୍ଥିତ ଥିଲେ ।