ରାଜସ୍ୱ ଅମଲାଙ୍କ ଆନ୍ଦୋଳନ ସ୍ଥଗିତ

ନବରଙ୍ଗପୁର : ୧୦ ଦଫା ଦାବି ପୂରଣ କରିବାରେ ରାଜ୍ୟ ସରକାରଙ୍କ ଟାଳଟୁଳ ନୀତିକୁ ବିରୋଧ କରି କାର୍ଯ୍ୟରେ ଯୋଗ ଦେଲେ ଅଗଷ୍ଟ ୧୧ ତାରିଖରୁ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ରାଜ୍ୟର ରାଜସ୍ୱ ଅମଲାମାନେ ସାମୂହିକ ଭାବେ ଆନ୍ଦୋଳନକୁ ଓହ୍ଲାଇଥିଲେ । ଫଳରେ ସରକାରୀ କାର୍ଯ୍ୟାଳୟରେ ଜନସାଧାରଣକୁ ସ୍ୱାଭାବିକ ସେବା ମିଳିବା ସମ୍ଭବପର ହେଉନଥିଲା । ଏହାକୁ ନେଇ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ ଓ ମୁଖ୍ୟ ଶାସନ ସଚିବଙ୍କ ସହିତ ରାଜସ୍ୱ ଅମଲା ସଂଘର ନେତୃବୃନ୍ଦମାନେ ଏକ  ସୌହାର୍ଦ୍ଦ୍ୟପୂର୍ଣ୍ଣ ବାତାବରଣ ମଧ୍ୟରେ ଆଲୋଚନା କରିଥିଲେ । ଏବଂ ଦୀର୍ଘ ୧୫ ଦିନ ଭିତରେ ଦାବିଗୁଡ଼ିକ ପୂରଣ କରାଯିବ ବୋଲି ପ୍ରତିଶ୍ରୁତି ମିଳିବା ପରେ ଗତ ମଙ୍ଗଳବାର ଠାରୁ ରାଜସ୍ୱ ଅମଲାଙ୍କ ଆନ୍ଦୋଳନ ପ୍ରତ୍ୟାହୃତ ହୋଇଛି ବୋଲି ସଂଘ ସଭାପତି ତ୍ରିପତି ବାଲାଜୀ ସାହୁ ସୂଚନା ଦେଇଛନ୍ତି । 
ଅନ୍ୟପକ୍ଷରେ ସମ୍ଭାବ୍ୟ ବନ୍ୟା ପରିସ୍ଥିତି ଓ ପଶ୍ଚିମ ଓଡିଶା ଗଣପର୍ବ ନୂଆଁଖାଇ ଉପଲକ୍ଷେ ସରକାରୀ ସେବା ଯୋଗାଇଦେବା ଆବଶ୍ୟକ ହୋଇପଡ଼ିଛି । ଏଥିସହିତ ରାଜ୍ୟ ସରକାରଙ୍କ ସନ୍ତୋଷଜନକ ପ୍ରତିଶ୍ରୁତି ପରେ ଆନ୍ଦୋଳନ ପ୍ରତ୍ୟାହାର କରାଯାଇଛି ବୋଲି ସଭାପତି ଶ୍ରୀ ସାହୁ ସୂଚନା ଦେଇଛନ୍ତି । ଉଲ୍ଲେଖ ଯେ, ଜିଲ୍ଲାସ୍ତରରେ କାର୍ଯ୍ୟରତ ରାଜସ୍ୱ ଅମଲାମାନଙ୍କର ୧୦ ଦଫା ଦାବି ପୂରଣ କରିବା ନିମନ୍ତେ ରାଜ୍ୟ ସରକାରଙ୍କୁ ବାରମ୍ବାର ନିବେଦନ କରିବା ପରେ ମଧ୍ୟ ସରକାରଙ୍କ ବୈମାତୃକ ମନୋଭାବ ପୋଷଣ କରିବାକୁ ନେଇ ଅସନ୍ତୋଷ ପ୍ରକାଶ ପାଇଥିଲା । ଦାବିଗୁଡିକ ମଧ୍ୟରେ ଜିଲ୍ଲାସ୍ତରୀୟ କାର୍ଯ୍ୟରତ ରାଜସ୍ୱ ଅମଲାମାନଙ୍କ ମୂଳ ଦରମା ଓଆରଏସପି -୨୦୧୭ ନିୟମ ଅନୁଯାୟୀ ଲେବେଲ୍‌- ୯କୁ ବୃଦ୍ଧି କରାଇବା, ନୂତନ ପଦବୀ ସୃଷ୍ଟି ଓ ପଦବୀ ପୁନର୍ଗଠନ କରାଯିବା, ରାଜ୍ୟରେ କାର୍ଯ୍ୟରତ ସମସ୍ତ ସରକାରୀ କର୍ମଚାରୀଙ୍କୁ ବାର୍ଷିକ ୨୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ସ୍ୱାସ୍ଥ୍ୟ ବୀମା ଲାଗୁ କରାଯିବା, ୧୯୯୦ ମସିହାରେ ଲାଗୁ କରାଯାଇଥିବା ନିୟମାବଳୀ ଅନୁଯାୟୀ ମୃତ ସରକାରୀ କର୍ମଚାରୀଙ୍କ ପରିବାରର ଯେକୌଣସି ଜଣେ ସଦସ୍ୟଙ୍କୁ ଯୋଗ୍ୟତାଭିତ୍ତିରେ ଅନୁକମ୍ପାମୂଳକ ନିଯୁକ୍ତି ପ୍ରଦାନ କରାଯିବା ଦାବି ନେଇ ଗତ ଅଗଷ୍ଟ ୧୧ ତାରିଖରୁ ଆନ୍ଦୋଳନ ଜାରି ରହିଥିଲା ।