ବାଲିଚନ୍ଦ୍ରପୁର ଥାନା ଘେରିଲା ବିଜେଡ଼ି
ବାଲିଚନ୍ଦ୍ରପୁର : ଥାନା ଅଞ୍ଚଳରେ ଆଇନଶୃଙ୍ଖଳା ବିପର୍ଯ୍ୟସ୍ତ ହୋଇପଡ଼ିଛି । ଥାନା ଅଞ୍ଚଳରୁ ବେଫିକର ଲଘୁ ଖଣିଜ ସଂପଦ ଲୁଟପାଟ୍ ହେଉଛି । ହେଲେ ପୁଲିସ ହାତବାନ୍ଧି ବସିଛି । ବିଜେପି ସରକାର ସମୟରେ ସରକାରୀ କାଇଦା କଟକଣାକୁ ଫୁ କରି ଦିଆଯାଇଛି । ଏଭଳି କିଛି ଅଭିଯୋଗ ନେଇ ବଡ଼ଚଣା ବିଜେଡ଼ି ପକ୍ଷରୁ ଆଜି ବାଲିଚନ୍ଦ୍ରପୁର ଥାନା ଘେରାଉ କରାଯାଇଥିଲା । ଦଳର ନେତା କ୍ୟାପଟେନ ରାଜ ନାରାୟଣ ମହାପାତ୍ରଙ୍କ ନେତୃତ୍ୱରେ ହଜାର ହଜାର ବିଜେଡ଼ି କର୍ମୀ ଇନ୍ଦରସନ ପୋଲ ନିକଟରୁ ଶୋଭାଯାତ୍ରାରେ ଆସି ବାଲିଚନ୍ଦ୍ରପୁର ଥାନା ଆଗରେ ପହଁଚିଥିଲେ । ଥାନା ନିକଟରେ ପୂର୍ବତନ ସରପଞ୍ଚ ଜ୍ଞାନରଞ୍ଜନ ସାହୁଙ୍କ ସଭାପତିତ୍ୱରେ ଅୟୋଜିତ ପ୍ରତିବାଦ ସଭାରେ ପ୍ରାକ୍ତନ ସାଂସଦ ଶର୍ମୀଷ୍ଟା ସେଠୀ, ଜିଲ୍ଲା ପରିଷଦ ଉପାଧ୍ୟକ୍ଷ ଗଣେଶ୍ୱର ବରାଳ, ପୂର୍ବତନ ବିଜେଡି ସଭାପତି କୈଳାସ ଚନ୍ଦ୍ର ରାଉତ, ପୂର୍ବତନ ଅଧ୍ୟକ୍ଷ ପ୍ରହଲ୍ଲାଦ ନନ୍ଦ, ପୂର୍ବତନ ମହିଳା ସଭାନେତ୍ରୀ ସରସ୍ୱତୀ ବେହେରା, ପ୍ରବିର ସାମଲ, ଯଶୋଦୀପ୍ତ ସାମଲ, ନିରଞ୍ଜନ ବିଶ୍ୱାଳ, ଦିଲ୍ଲୀପ ସାମଲ, କୁଳମଣି ବାରିକ ପ୍ରଭୃତି ଅଭିଭାଷଣ ରଖି ଥାନା ଅଞ୍ଚଳରେ ଆଇନ ଶୃଙ୍ଖଳା ପରିସ୍ଥିତିର ଅବନତି ଓ ପ୍ରଶାସନର ଜାଣତରେ ସ୍ପଷ୍ଟ ଦିବାଲୋକରେ ଚାଲିଥିବା ବାଲି, ମୋରମ ଓ ଚୋରା ମୂର୍ତର୍ି ପଥର ଚାଲାଣ ବିରୁଦ୍ଧରେ ନାରାବାଜୀ ଦେଇଥିଲେ । ବାଲିଚନ୍ଦ୍ରପୁର ପୁଲିସର ପ୍ରତ୍ୟକ୍ଷ ତତ୍ୱାବଧାନରେ ଚାଲିଥିବା ବେଆଇନ୍ କାରବାର ଓ ସାଧାରଣ ଲୋକଙ୍କୁ ନ୍ୟାୟ ପ୍ରଦାନରେ ବ୍ୟାପକ ପାତରଅନ୍ତର ସମ୍ପର୍କରେ ଯୁକ୍ତି ଉପସ୍ଥାପନ କରିଥିଲେ । ପରେ ରାଜନାରାୟଣଙ୍କ ନେତୃତ୍ୱରେ ଏକ ପ୍ରତିନିଧି ଦଳ ଥାନାରେ ଉପସ୍ଥିତ ଉପଖଣ୍ଡ ଆରକ୍ଷୀ ଅଧିକାରୀ ଲକ୍ଷ୍ମୀଧର ସ୍ୱାଇଁଙ୍କୁ ଦାବି ପ୍ରଦାନ କରିଥିଲେ । ଏକ ମାସ ମଧ୍ୟରେ ଦାବି ଗୁଡିକୁ ଉପରେ ସରକାର ଆବଶ୍ୟକ ପଦକ୍ଷେପ ନନେଲେ ଚଣ୍ଡିଖୋଲ ରାଜରାସ୍ତାକୁ ଅଚଳ କରି ଦିଆଯିବ ବୋଲି ଚେତାବନୀ ଦେଇଥିଲେ । ଘେରାଉ କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଅନନ୍ତ ମହାରଣା, ରଞ୍ଜନ ବଳ, ଗୁଲାମ କିବିରିଆ ଖାନ, ରତିକାନ୍ତ ସେଠୀ, କାର୍ତ୍ତିକ ମହାନ୍ତି ପ୍ରମୁଖ ସାମିଲଥିଲେ ।