ବିଜେପିର ମିଶ୍ରଣ ପର୍ବ
ନିମାପଡ଼ା,: ନିମାପଡା ନିର୍ବାଚନ ମଣ୍ଡଳୀରୁ ପ୍ରଭାତୀ ପରିଡା ବିଜେପିରୁ ଟିକେଟ ପାଇବା ପରେ ଦିନକୁ ଦିନ ନିମାପଡା ଜନ ସାଧାରଣଙ୍କ ପ୍ରିୟ ହେବାରେ ଲାଗିଛନ୍ତି । ଆଗାମୀ ୨୦୨୪ ସାଧାରଣ ନିର୍ବାଚନରେ ଓଡ଼ିଶାରେ ଡବଲ ଇଞ୍ଜିନ ସରକାର ହେବ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଗ୍ୟାରେଣ୍ଟିକୁ ଭରସା କରି ସାରା ଓଡିଶାରେ ତୃଣମୂଳ ସ୍ତରରୁ ବହୁ ନେତା ଓ କର୍ମୀ ଭାରତୀୟ ଜନତା ପାର୍ଟିରେ ସାମିଲ ହେଉଥିବାର ଦେଖିବାକୁ ମିଳୁଛି । ଏହି ପରିପ୍ରେକ୍ଷୀରେ ଆଜି ନିମାପଡା ନିର୍ବାଚନ ମଣ୍ଡଳୀର ସ୍ଥାନୀୟ ଟାଉନହଲ ଠାରେ ବିଜେପି ପକ୍ଷରୁ ଏକ ମହା ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇ ଯାଇଛି । ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ, ଜଗତସିଂହପୁର ସାଂସଦ ପ୍ରାର୍ଥୀ ବିଭୁ ପ୍ରସାଦ ତରାଇ, ବିଜେପି ବିଧାୟକ ପ୍ରାର୍ଥୀ ପ୍ରଭାତୀ ପରିଡାଙ୍କ ନେତୃତ୍ୱରେ ନିମାପଡା ବିଜେଡି ସଭାପତି ଅଶୋକ ସାହୁ,ବିଜ୍ଞାପିତ ଆଞ୍ଚଳ ପରିଷଦ ଉପାଧ୍ୟକ୍ଷ ସନ୍ତୋଷ ଦାଶ,୧୯ ନମ୍ବର ଜୋନ ଜିଲ୍ଲା ପରିଷଦ ସଭ୍ୟ ପ୍ରଦୀପ୍ତ ଖଟୋଇ, ବ୍ଲକ ଅଧ୍ୟକ୍ଷ ଶଙ୍କର ଭୋଇ, ଉପାଧ୍ୟକ୍ଷା ଆନୁସୂୟା ମହାନ୍ତି, ପୂର୍ବତନ ବ୍ଲକ ଉପାଧ୍ୟକ୍ଷ ଅଜୟ ସ୍ୱାଇଁ, ସରପଞ୍ଚ ସୁରେନ୍ଦ୍ର ସ୍ୱାଇଁ ଓ ପ୍ରଫୁଲ୍ଲ ସ୍ୱାଇଁଙ୍କ ସମେତ ଶହ ଶହ ସଂଖ୍ୟାରେ ବିଜେଡି ଦଳର ଛାମୁଆ ନେତା,ସରପଞ୍ଚ,ସମିତି ସଭ୍ୟ, ୱାର୍ଡ ମେମ୍ବର ପ୍ରମୁଖ ବିଧିବଦ୍ଧ ଭାବେ ବିଜେଡି ପରିତ୍ୟାଗ କରି ବିଜେପି ଦଳରେ ସାମିଲ ହୋଇଛନ୍ତି । ସମସ୍ତଙ୍କୁ ବିଜେପିର ରାଜ୍ୟ ସଭାପତି, ସାଂସଦ ଓ ବିଧାୟକ ପ୍ରାର୍ଥୀ ଦଳୀୟ ଉରୀୟ ଓ ଟୋପି ପିନ୍ଧାଇ ସମ୍ମାନିତ କରିବା ସହ ମୋଦି ପରିବାରର ସଦସ୍ୟ ହିସାବରେ ଗ୍ରହଣ କରିଥିଲେ ।