ଚାଷ ଉଜାଡି ଦେଲା ଫୁଲଝର ବନ୍ଧ; ଚାଷୀ ମୁଣ୍ଡରେ ଚଡକ
ଦାନଗଦୀ : ଡ୍ୟାମ ବନ୍ଧ ଫୁଲଝରରେ ହେବା ପରେ କାହାର ପୁଷମାସ ତ ଆଉ କାହାର ସର୍ବନାଶ ହୋଇଛି । ଦାନଗଦୀ ତହସିଲ ଅଧୀନରେ ଥିବା ଗୋବର୍ଦ୍ଧନପୁର ରାଜସ୍ୱ ନିରୀକ୍ଷକଙ୍କ ଅନ୍ତର୍ଗତ ନୟା ବଗପାଟିଆ ମୌଜାର ଚାଷୀ ଭକ୍ତବନ୍ଧୁ ମହାନ୍ତଙ୍କ ଅଭିଯୋଗ ମତେ ଫୁଲଝର ବନ୍ଧକୁ ଲାଗି ଖାତା ନମ୍ବର ୩୬୨ ପ୍ଲଟ ନମ୍ବର ୨୦ରେ ତାଙ୍କର ଚାଷ ଜମିରେ ପରିମାଣ ୨.୩ ଏକର ରହିଛି । ବର୍ଷା ଦିନେ ଭଲ ଧାନ ଚାଷ ହେଉଥିଲା । ଯେତେବେଳେ ଫୁଲଝର ବନ୍ଧ କାମ ହେଲା ସେ ଏହାର ପ୍ରତିବାଦ କଲେ ଯେ ମୋ ଜମିକୁ ଲାଗି ବନ୍ଧ ହେଲେ ଚାଷ ଜମିରେ ବର୍ଷା ଦିନେ ପାଣି ଜମି ଯିବ । ଫସଲ ନଷ୍ଟ ହେବ, ଚାଷ ଆଉ ହେବ ନାହଁ । କିନ୍ତୁ ଠିକାଦାର କି ନେତା, ରାଜସ୍ୱ ବିଭାଗ ତାଙ୍କ ଅଭିଯୋଗକୁ କର୍ଣ୍ଣପାତ ନ କରି ବନ୍ଧ କାମ କରିଦେଲେ । ଏହି ବନ୍ଧ ହେଲା ପରେ ବର୍ଷାରେ ଦୁଇ ଏକର ତିନି ଗୁଣ୍ଠ ଜମିରେ ମଣିଷ ଉଚ୍ଚରେ ପାଣି ଜମି ରହୁଛି । ଯେଉଁ ଜମିରେ କି ଚାଷ କରିବା ଅସମ୍ଭବ । ୧୦ ବର୍ଷ ହେବ ବନ୍ଧ କାମ ପରେ ତାଙ୍କର ଏତେ ପରିମାଣର ଥିବା ଜମି ପାଣି ଜମି ରହୁଛି । ଏହାକୁ ନେଇ ସେ ଜିଲାପାଳଙ୍କ ଠାରୁ ଆରମ୍ଭ କରି ରାଜସ୍ୱ ବିଭାଗ, ନେତା ମନ୍ତ୍ରୀଙ୍କ ପାଖରେ ଅଭିଯୋଗ କଲେ ମଧ୍ୟ ତାଙ୍କ କଥା କେହି ଶୁଣୁ ନାହଁନ୍ତି ବୋଲି ଅଭିଯୋଗ କରନ୍ତି । ଚାଷୀଙ୍କର ଭାତ ହାଣ୍ଡି ବୋଲି ଥିବା ଏହି ଜମିରେ ଚାଷ କରି ସେ ତାଙ୍କ ପରିବାର ପ୍ରତିପୋଷଣ କରୁଥିବା ବେଳେ ଦୀର୍ଘ ୧୦ ବର୍ଷ ହେବ ଅଫିସ ଦୌଡ଼ି ଦୌଡ଼ି ନୟାନ୍ତ ହେଲେଣି । ଚାଷୀଙ୍କର ଦୁଃଖ ଶୁଣିବାକୁ କେହି ଆଗେଇ ଆସୁ ନାହଁନ୍ତି । ତାଙ୍କର ଅଭିଯୋଗ ହେଲା ପ୍ରଶାସନ ମୋର ଚାଷ ଜମିକୁ ନେଇ ମୋତେ କ୍ଷତି ପୂରଣ ଦିଅନ୍ତୁ କିମ୍ୱା ତା ପ୍ରତିବଦଳରେ ଆଉ କେଉଁଠି ଜମି ଯୋଗାଇ ଦିଅନ୍ତୁ । ଏଥିପ୍ରତି ପ୍ରଶାସନ ଦୃଷ୍ଠି ଦେବାକୁ ଦାବି କରାଯାଇଛି ।