ତୁଟୁନି ବିଜେପିର ଅସନ୍ତୋଷ


ଭଣ୍ଡାରିପୋଖରୀ: ଭଣ୍ଡାରିପୋଖରୀ ବିଧାନସଭା କ୍ଷେତ୍ରରେ ଦଳୀୟ ପ୍ରାର୍ଥୀ ଚୟନକୁ ନେଇ ସୃଷ୍ଟି ହୋଇଥିବା ଅସନ୍ତୋଷ ଏଯାବତ ଥମୁନାହିଁ । ଦଳର ବିଭିନ୍ନ ନିର୍ବାଚନୀ ବୈଠକ ଓ କାର୍ଯ୍ୟକ୍ରମରେ ଦଳର ବହୁ ନେତା ଓ ଆଗଧାଡ଼ିର କାର୍ଯକର୍ତ୍ତା ଏଯାଏ ସାମିଲ ହେଉନଥିବାରୁ ଏହା କର୍ମୀ ଓ ସମର୍ଥକଙ୍କ ମନରେ ଦ୍ନ୍ଦ ସୃଷ୍ଟି କରୁଥିବା ବେଳେ ଭୋଟର ମାନଙ୍କୁ ପ୍ରଭାବିତ କରୁଥିବା ନେଇ ଆଶଙ୍କା ପ୍ରକାଶ ପାଇଛି । ରବିବାର ସକାଳେ ବିଜେପି ନେତା ତଥା ଟିକେଟ ପାଇଁ ଅଶାୟୀ ଥିବା ବଦ୍ରିନାରାୟଣ ଧଳଙ୍କ ବାସଭବନରେ ଭେଟି ଦଳୀୟ ପ୍ରାର୍ଥୀ ସୁଧାଂଶୁ ନାୟକ ଓ ଅନ୍ୟ କେତେକ କାର୍ଯ୍ୟକର୍ତ୍ତା ଫଟୋ ଉଠାଇଥିଲେ । ପରେ ଏହାକୁ ସାମାଜିକ ଗଣମାଧ୍ୟମରେ ଛାଡିଥିଲେ । ମାତ୍ର ଅପରାହ୍ନରେ ଦଳ ପକ୍ଷରୁ ଭଣ୍ଡାରିପୋଖରୀ ବ୍ଲକର ମଜୁରିଗଡ଼ିଆରେ ଅନୁଷ୍ଠିତ ବରିଷ୍ଠ ନାଗରିକଙ୍କ ବୈଠକରେ ବଦ୍ରିଙ୍କ ଅନୁପସ୍ଥିତ ଥିବା ପୁଣି ଦଳୀୟ ଅସନ୍ତୋଷ ଥମିନାହିଁ ବୋଲି ବାର୍ତ୍ତା ଦେଇଥିବା କୁହାଯାଉଛି । ଏପରିକି ଏହି ବୈଠକରେ ଅନ୍ୟତମ ନେତା ତଥା ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ପଞ୍ଚାନନ ରାଉତଙ୍କ ସମେତ ଅନେକ ବରିଷ୍ଠ ଓ ଆଗଧାଡ଼ିର ସଙ୍ଗଠକଙ୍କ ଅନୁପସ୍ଥିତ ରହିବା ଦଳରେ ଥିବା ଅସନ୍ତୋଷର ଫାଟ ଠିକ ଭାବେ ବୁଜି ହୋଇନଥିବା ଘଟଣାକୁ ପଦାରେ ପକାଇଛି । ତେବେ ଏଥିନେଇ ବିଜେପି ନେତା ବଦ୍ରୀ ଧଳ ନିଜର ପ୍ରତିକ୍ରିୟା ଦେଇ କହିଛନ୍ତି ଯେ ଗତ ଦଶ ବର୍ଷ ଧରି ସେ ଭଣ୍ଡାରିପୋଖରୀ ଜନସାଧାରଣଙ୍କ ସେବା ଓ ସୁଖଦୁଃଖରେ ସାମିଲ ଅଛନ୍ତି । ଦଳର ହିତ ଓ ସଙ୍ଗଠନ ପାଇଁ କାର୍ଯ୍ୟ କରୁଛନ୍ତି । ମାତ୍ର କେତେକ କୁଚକ୍ରି ଓ ହୀନମନ୍ୟ ବ୍ୟକ୍ତିଙ୍କ ବିଶ୍ୱାସଘାତକତା ତାଙ୍କ ଶୁଭେଚ୍ଛୁ ଓ ସମର୍ଥକଙ୍କ ହୃଦୟକୁ ଆଘାତ ଦେଇଛି । ଯେଉଁଥି ପାଇଁ ସେମାନଙ୍କ ସହ ଆଲୋଚନାର ଆବଶ୍ୟକତା ରହିଛି । ଅନ୍ୟପକ୍ଷରେ ଦଳର ପୂର୍ବତନ ଜିଲା ସଭାପତି ଅକ୍ଷୟ ସାହୁ ପ୍ରତିକ୍ରିୟା ପ୍ରକାଶ କରି କିଛି ବ୍ୟକ୍ତି ନିଜର ଲାଳସା ଚରିତାର୍ଥ କରିବା ପାଇଁ ନବାଗତ ଦଳୀୟ ପ୍ରାର୍ଥୀଙ୍କୁ ଭୁଲ ରାସ୍ତାରେ ପରି·ଳନା କରୁଥିବାରୁ ସମସ୍ୟା ରହିଛି ବୋଲି କହିଛନ୍ତି । ଦଳ ଏପର୍ଯ୍ୟନ୍ତ ତୃତୀୟ ସ୍ଥାନରେ ରହିଥିବାରୁ ବିଜୟ ପାଇଁ ସମସ୍ତଙ୍କ ସହଯୋଗର ଆବଶ୍ୟକତା ଥିବାବେଳେ ଦଳ ପାଇଁ ଦୀର୍ଘ ବର୍ଷ ଧରି ଲୁହ ଲହୁ ଦେଇଥିବା କାର୍ଯ୍ୟକର୍ତ୍ତାଙ୍କୁ ଅଣଦେଖା କରି କାର୍ଯ୍ୟକ୍ରମ ହେଉଥିବାରୁ ଅସନ୍ତୋଷ ସୃଷ୍ଟି ହୋଇଛି ବୋଲି କହିଛନ୍ତି । ତେବେ ଏଭଳି ଅବସ୍ଥାରେ ଦଳୀୟ ନେତା ଆଗକୁ କେଉଁଭଳି ସମାଧାନର ରାସ୍ତା ବାହାର କରୁଛନ୍ତି ତାହା ଉପରେ ନଜର ରହିଛି ।