ଗାଜାରେ ଇସ୍ରାଏଲର ବୋମା ମାଡ ୨୭୪ ମୃତ, ୭୦୦ ଆହତ
ନୂଆଦିଲ୍ଲୀ :ଗାଜାରେ ଇସ୍ରାଏଲ ସେନାର ପ୍ରଚଣ୍ଡ ଆକ୍ରମଣ । କେନ୍ଦ୍ରୀୟ ଗାଜାରେ ଥିବା ନୁସିରେତ ଶରଣାର୍ଥୀ ଶିବିର ଉପରେ ପ୍ରଚଣ୍ଡ ବୋମା ମାଡ କରିଛି ଇସ୍ରାଏଲ । ଜଳ, ସ୍ଥଳ ଓ ସମୁଦ୍ରରୁ ଘନଘନ ଆକ୍ରମଣ ହୋଇଛି । ଏଥିରେ ୨୭୪ ଜଣ ପ୍ରାଣ ହରାଇଥିଲା ବେଳେ ୭ଶହରୁ ଅଧିକ ଆହତ ହୋଇଛନ୍ତି । ମୃତାହତଙ୍କ ମଧ୍ୟରେ ଅଧିକାଂଶ ମହିଳା ଓ ପିଲା ଥିବା ଜଣାପଡିଛି । ଆହତଙ୍କୁ ଅଲ୍-ଅକ୍ସା ମାର୍ଟିୟାର୍ସ ହସ୍ପିଟଲରେ ଭର୍ତ୍ତି କରାଯାଇଛି । ହସ୍ପିଟାଲରେ ସ୍ଥାନର ଅଭାବ ଯୋଗୁ ରାସ୍ତା କଡରେ ମଧ୍ୟ ଅନେକ ଆହତ ପଡିରହିଛନ୍ତି । ଡାକ୍ତର ଓ ଅନ୍ୟ ସ୍ୱାସ୍ଥ୍ୟକର୍ମୀମାନେ ସେମାନଙ୍କୁ ବଞ୍ଚାଇବା ଲାଗି ଯଥାସମ୍ଭବ ଚେଷ୍ଟା କରୁଛନ୍ତି । ତୁହାକୁ ତୁହା ବୋମା ମାଡ ଯୋଗୁ ଗୋଟିଏ ପରେ ଗୋଟିଏ ଜୀବନ ଚାଲିଯାଉଛି ।
ହସ୍ପିଟାଲ ଠାରୁ ଆରମ୍ଭ କରି ରିଲିଫ ଶିବିର ପର୍ଯ୍ୟନ୍ତ ବିଭିନ୍ନ ସ୍ଥାନରେ ଇସ୍ରାଏଲ ସେନା ବୋମାମାଡ କରୁଥିବାରୁ ଲୋକମାନେ କୁଆଡେ ଯିବେ ସ୍ଥିର କରିପାରୁନାହାନ୍ତି । ଉକ୍ତ ଶିବିରରେ ୪ଜଣ ଇସ୍ରାଏଲ ବନ୍ଦୀଙ୍କୁ ଉଦ୍ଧାର କରିବାକୁ ଯାଇ ଏପରି ଆକ୍ରମଣ ହୋଇଥିବା ଜଣାପଡିଛି । ପାଲେଷ୍ଟାଇନ ରାଷ୍ଟ୍ରପତି ମହମ୍ମୁଦ ମୁସ୍ତାଫ ଇସ୍ରାଏଲର ଏଭଳି ଆକ୍ରମଣକୁ ତୀବ୍ର ନିନ୍ଦା କରିବା ସହ ତୁରନ୍ତ ଜାତିସଂଘ ନିରାପତ୍ତା ପରିଷଦର ଜରୁରି ବୈଠକ ଡାକିବାକୁ ଦାବି କରିଛନ୍ତି । ସେ କହିଛନ୍ତି, ତୁରନ୍ତ ଇସ୍ରାଏଲକୁ ଏଭଳି ରକ୍ତପାତରୁ ନିବୃତ୍ତ କରାଯିବା ଉଚିତ୍ । ଗତ ଗୁରୁବାର ନୁସିରେତ ଅଞ୍ଚଳରେ ଥିବା ଏକ ରିଲିଫ ଶିବିର ଉପରେ ଇସ୍ରାଏଲ ସେନା ଆକ୍ରମଣ କରିବାରୁ ୪୦ ଜଣ ସାଧାରଣ ନାଗରିକ ପ୍ରାଣ ହରାଇଥିଲେ । ଅନ୍ୟପକ୍ଷରେ ଏହି ଆକ୍ରମଣରେ ୧୭ଜଣ ହମାସ ଆତଙ୍କୀ ନିପାତ ହୋଇଥିବା ଇସ୍ରାଏଲ ଦାବି କରିଥିଲା । ହେଲେ ତା’ର ଏହି ଦାବିକୁ ପାଲେଷ୍ଟାଇନ ଖଣ୍ଡନ କରିଛି । ଏହି ଆକ୍ରମଣକୁ ନେଇ ବିଭିନ୍ନ ଦେଶ ଓ ଆନ୍ତର୍ଜାତିକ ସଂଗଠନ ଦୃଢ ନିନ୍ଦା କରିଛନ୍ତି । ଅକ୍ଟୋବର ୭ ତାରିଖରୁ ପାଲେଷ୍ଟାଇନ ଉପରେ ଇସ୍ରାଏଲ ଆକ୍ରମଣରେ ୩୭ହଜାର ୮୪ ଜଣ ମୃତୁ୍ୟବରଣ କରିଥିବା ବେଳେ ୮୪ହଜାର ୪୯୪ ଜଣ ଆହତ ହୋଇଥିବା ଗାଜାର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି ।