ପରିବାରବାଦ୍ ରାଜନୀତିକୁ ବ୍ରେକ୍ ଦେଲେ ଲିକୁ ଓ ଟୁଟୁ
ଯାଜପୁର: ଆଗକୁ କ’ଣ ହେବ ତାହା କହିବା ଠିକ୍ ହେବନି । କାରଣ ରାଜନୀତିରେ କିଛି ବି ସମ୍ଭବ ବା ଅସମ୍ଭବ ନୁହେଁ । ଆଜି ଯିଏ ପର କାଲି ସିଏ ନିଜର । ଆଜି ଯାହାକୁ ଭୋଟର ଦୂରେଇ ଦେଇଥାନ୍ତି, କାଲି ଆପଣାଇ ଥାନ୍ତି । ବାଞ୍ଚବର୍ଷରେ ଥରେ ହେଉଥିବା ଗଣତନ୍ତ୍ର ପର୍ବରେ ଏଭଳି ଦୃଶ୍ୟ ବାରମ୍ବାର ଦେଖିବାକୁ ମିଳେ । ଆଜି ଦେଖିବାକୁ ମିଳୁଛି ଆସନ୍ତା କାଲି ବି ଦେଖିବାକୁ ମିଳିବ । କିନ୍ତୁ ଆଜି ଯାହା ଦେଖିବାକୁ ମିଳିଲା, ତାହାକୁ ପରିବାର ରାଜନୀତିରେ ବ୍ରେକ୍ ବୋଲି କୁହାଯାଇପାରେ । ଆମେ କହୁଛୁ, ଧର୍ମଶାଳା ଏବଂ ସୁକିନ୍ଦା ବିଧାନସଭା ନିର୍ବାଚନର ଫଳାଫଳର କଥା । ଉଭୟ ବିଧାନସଭା ଆସନରୁ ନବାଗତ ପୁରୁଖା ବା ରାଜନୀତିରେ ଅଭିଜ୍ଞଙ୍କୁ ହରାଇ ହଟଚମଟ ସୃଷ୍ଟି କରିଛନ୍ତି । ରାଜ୍ୟ ହେଉ କି ଜିଲାରେ ମୋଦି ଲହର ସହ ଏକ ପରିବର୍ତନର ହାୱା ପହୁଥିବାର ଦେଖିବାକୁ ମିଳିଥିଲା । କିନ୍ତୁ ଧର୍ମଶାଳାରେ ମୋଦି ଲହର ବଦଳରେ ବାଲଟି ଲହର ଦେଖିବାକୁ ମିଳିଲା । ବାଲଟି ଚିହ୍ନରେ ଲଢୁଥିବା ସ୍ୱାଧୀନ ହିମାଂଶୁ ଶେଖର ସାହୁ ବିଜେପିର ସ୍ମୃତିରେଖା ପହିଙ୍କ ରାଜନୈତିକ ଭବିଷ୍ୟତ ଉପରେ ପ୍ରଶ୍ନଚିହ୍ନ ଆଙ୍କିବା ପୂର୍ବକ ବିଜେଡ଼ିର ପ୍ରଭାବଶାଳୀ ବିଧାୟକ ପ୍ରଣବ ବଳବନ୍ତରାୟଙ୍କୁ ହ୍ୟାଟି୍ରକ୍ ବିଜୟ ଉପରେ ରୋକ ଲଗାଇଲେ । ଧର୍ମଶାଳାରେ ପରିବାରବାଦ ରାଜନୀତି ଏକ ବଡ଼ ରାଜନୈତିକ ପ୍ରସଙ୍ଗ ଭାବେ ଉଭା ହୋଇଥିଲା । ବିଜେପିର ସ୍ମୃତିରେଖା ପହିଙ୍କ ଠାରୁ ଆରମ୍ଭ କରି ସ୍ୱାଧୀନ ହିମାଂଶୁ ବା ଲିକୁଙ୍କ ସହ ଅନ୍ୟତମ ସ୍ୱାଧୀନ ପ୍ରାର୍ଥୀ ସତୀଶ ବିଶ୍ୱାାଳ ପରିବାର ରାଜନୀତି ବିରୁଦ୍ଧରେ ଜନମତ ସୃଷ୍ଠି କରିଥିଲେ । ପରିବାରବାଦ ରାଜନୀତିର ଫାଇଦା ଲିକୁଙ୍କୁ ମିଳିଲା । ପରିବାରବାଦ ରାଜନୀତି ଥିଲା ଏଇଆ ପ୍ରଣବଙ୍କ ପୂର୍ବରୁ ତାଙ୍କ ପିତା ସ୍ୱର୍ଗତ କଳ୍ପତରୁ ଦାସ ଧର୍ମଶାଳାରୁ ବିଧାୟକ ଭାବେ ପ୍ରତିନିଧିତ୍ୱ କରୁଥିଲେ । ସ୍ପର୍ଗତ ଦାସ ରାଜ୍ୟସଭାକୁ ଯିବାର ବାଟ କାଡ଼ି ପୁଅ ପ୍ରଣବଙ୍କୁ ଧର୍ମଶାଳାର ବିଧାୟକ କରାଇବାରେ ବଡ଼ ଭୁମିକା ଲିଭାଇଥିଲେ । ଏଥିସହ ପ୍ରଣବ ବିଧାୟକ ହୋଇଥିବା ବେଳେ ତାଙ୍କ ଭାଇଙ୍କୁ ଧର୍ମଶାଳା ବ୍ଲକ ଅଧ୍ୟକ୍ଷ କରାଇଥିଲେ । ଗୋଟିଏ ପରିବାର ଧର୍ମଶାଳାକୁ କରାୟତ କରି ରଖିଥିବା ଅଭିଯୋଗ ଆଣି ନିର୍ବାଚନରେ ଏହାକୁ ବଡ଼ ପ୍ରସଙ୍ଗ କରିଥିଲେ । ଧର୍ମଶାଳା ଭୋଟରଙ୍କୁ ଏହା ବେଶ ପ୍ରଭାବିତ କରିଥିଲା, ଏବଂ ନିର୍ବାଚନରେ ପରିବାରବାଦ ରାଜନୀତିକୁ ବ୍ରେକ ଦେଲେ । ସମାନ ନିଷ୍ପତି ସୁକିନ୍ଦା ଭୋଟର ନେଲେ । ସୁକିନ୍ଦା ଘଡ଼ାଇ ପରିବାରର ଗଡ଼ ହୋଇଥିଲା । ନବେ ଦଶକରୁ ୨୪ ପର୍ଯ୍ୟନ୍ତ କେହି ବି ଘଡ଼ାଇ ପରିବାର ଆଗରେ ମୁଣ୍ଡ ଟେକି ପାରିଥିଲେ । କଂଗ୍ରେସର ଶରତ ରାଉତ୍ ଘଡ଼ାଇ ପରିବାରକୁ ବ୍ରେକ ଦେବାକୁ ଚେଷ୍ଟା କରି କରି ଫେଲ ମାରିଲେ । ହେଲେ ଟୁଟୁ ବା ପ୍ରଦୀପ ବଳସାମନ୍ତ ଏଥିରେ ସଫଳ ହେଲେ । ବାର ବାର ଦ’ ବାର ତିନିବାରକୁ ଧରମ ଛାଡ଼ ଭଳି ଟୁଟୁ ଲଗାତାର ଦୁଇଥର ଘଡ଼ାଇ ପରିବାରକୁ ବ୍ରେକ ଦେବାକୁ ଚେଷ୍ଟା କରି ଫେଲ ମାରିବା ପରେ ତୃତୀୟଥରରେ ସଫଳ ହେଲେ । ଟୁଟୁ ଗଲା ଦୁଇ ନିର୍ବାଚନ ଅପେକ୍ଷା ୨୪ରେ ପରିବାରବାଦ ରାଜନୀତିକୁ ବଡ଼ ପ୍ରସଙ୍ଗ କରିଥିଲେ । ମୋଦିଙ୍କ ଲହର ସାଙ୍ଗକୁ ପରିବର୍ତ୍ତନର ନାରା ଭିତରେ ପରିବାରବାଦ ରାଜନୀତିକୁ ଗାଁ ଗାଁରେ ପହଞ୍ଚାଇଲେ ଟୁଟୁ ଏବଂ ତାଙ୍କ ଟିମ୍ । ଯାହା ଭୋଟରଙ୍କ ବେଶ ଛୁଇଁ ପାରିଥିଲା । ଆଉ ଭୋଟର ମଧ୍ୟ ଟୁଟୁଙ୍କ ପରିବାରବାଦ ରାଜନୀତି ବିରୁଦ୍ଧରେ ଘଡ଼ାଇ ପରିବାର ବିରୁଦ୍ଧରେ ମତଦାନ କଲେ । ଘଡ଼ାଇ ପରିବାର ବୋଇଲେ ପ୍ରୀତିରଂଜନ ଘଡ଼ାଇ ଏବଂ ତାଙ୍କ ପିତା ପ୍ରଫୁଲ ଚନ୍ଦ୍ର ଘଡ଼ାଇ । ପ୍ରୀତି ୨୦୨୪ ଓ ୨୦୧୯ରେ ଦୁଇଥର ସୁକିନ୍ଦାରୁ ନିର୍ବାଚିତ ହୋଇଥିବା ବେଳେ ତା ପୂର୍ବରୁ ତାଙ୍କ ପିତା ୧୯୯୦ରୁ ୨୦୦୯ ପର୍ଯ୍ୟନ୍ତ ଲଗାତାର ପାଞ୍ଚଥର ବିଜୟୀ ହୋଇଥିଲେ । ପ୍ରଫୁଲଙ୍କ ପରେ ପୁତ୍ର ପ୍ରୀତି ଏହାକୁ ପରିବାରବାଦ ରାଜନୀତି କହି ଟୁଟୁ ଏବଂ ତାଙ୍କ ଟିମ୍ ଘଡ଼ାଇ ଗଡ଼ରେ ବାଜି ମାରିନେଲେ । ଧର୍ମଶାଳା ହେଉ କି ସୁକିନ୍ଦାରେ ଆଗାମୀ ଦିନରେ ପରିବାରରାଜ ରାଜନୀତି ଦେଖିବାକୁ ମିଳିବ କି ନାହିଁ ତାହା ଭୋଟରଙ୍କ ବିଶ୍ୱାସ ଉପରେ ନିର୍ଭର କରେ ।