ଶ୍ରାବଣ ଦ୍ୱିତୀୟ ସୋମବାର ଚଳଚଞ୍ଚଳ ପଞ୍ଚଲିଙ୍ଗେଶ୍ୱର
ାା ପ୍ରଭାନୁ୍ୟଜ୍ ।ା ନୀଳଗିରି : ପବିତ୍ର ଶ୍ରାବଣ ମାସ ଦ୍ୱିତୀୟ ସୋମବାର ଅବସରରେ ଉତ୍ତର ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ ବାବା ପଞ୍ଚଲିଙ୍ଗେଶ୍ୱର ପୀଠରେ ଲକ୍ଷାଧିକ କାଉଡ଼ିଆ ଭକ୍ତଙ୍କ ଜଳାଭିଷେକ ଦେଖିବାକୁ ମିଳିଛି । ଦେବଗିରି ପାହାଡ଼ କନ୍ଦରରେ ପାଞ୍ଚ ଗୋଟି ଲିଙ୍ଗ ଅବତାରରେ ପବିତ୍ର ଝରଣାର କୋରଡ ସନ୍ଧିରେ ରହି ଭକ୍ତଙ୍କୁ ସ୍ପର୍ଶ ଆକାରରେ ଦର୍ଶନ ଦେଇଥାଆନ୍ତି । କାହିଁ ଅନାଦି କାଳରୁ ବାବାଙ୍କର ମହିମା ସୁଦୂର ପ୍ରସାରୀ । ଚଳିତ ବର୍ଷ ଶ୍ରାବଣର ଆଜି ଦ୍ୱିତୀୟ ସୋମବାର ହୋଇଥିବା ବେଳେ ଲକ୍ଷାଧିକ କାଉଡ଼ିଆ ଜଳଭାର ନେଇ ବାବାଙ୍କ ମସ୍ତକରେ ଜଳାଭିଷେକ କରୁଥିବାର ଦେଖାଦେଇଛି । ଜିଲ୍ଲା, ପଡ଼େଶୀ ଜିଲ୍ଲା ତଥା ରାଜ୍ୟ ବାହାରୁ ବହୁ ଭକ୍ତ ବିଭିନ୍ନ ନଦନଦୀରୁ ପବିତ୍ର ଜଳକୁ କାନ୍ଧରେ ବୋହି, ସମସ୍ତ ଯନ୍ତ୍ରଣାକୁ ଭୁଲି ଭୋଳା ବାବା ପାର୍ କରେଗା, ଜଟିଆ ବାବା ପାର କରେଗା, ବୋଲବମ୍ ହରହର ବମ୍ ଆଦି ପ୍ରଭୁ ଭୋଳାଶଙ୍କରଙ୍କ ବିଭିନ୍ନ ନାମ ଧରି ରାସ୍ତାରେ ଯାଉଥିବା ବେଳେ ଏକ ଭକ୍ତି ଭାବମୟ ପରିବେଶ ଦେଖିବାକୁ ମିଳିଛି । ରବିବାର ରାତ୍ରୀ ୧୨ଘଟିକା ପରେ ସମସ୍ତ ନିତିକାନ୍ତୀ ସମାପନ ପରେ ଭକ୍ତମାନେ ଲମ୍ବା ଧାଡ଼ିରେ ଯାଇ ପ୍ରଭୁଙ୍କ ମସ୍ତକରେ ଜଳାଭିଷେକ କରିଥିଲେ । ପ୍ରଶାସନ ଏବଂ ମନ୍ଦିର ଟ୍ରଷ୍ଟ ପକ୍ଷରୁ ଭକ୍ତମାନଙ୍କ ପାଇଁ ସମସ୍ତ ପ୍ରସ୍ତୁତି କରାଯାଇଥିବା ବେଳେ ଶୃଙ୍ଖଳା ରକ୍ଷା ପାଇଁ ବିଭିନ୍ନ ସ୍ଥାନରେ ପୋଲିସ ପ୍ରଶାସନ ତରଫରୁ ବ୍ୟାପକ ପୋଲିସ ମୁତୟନ କରାଯାଇଥିଲା ।