"ନିର୍ବାଚନ ୨୦୨୪ ଓଡ଼ିଶା ରାଜନୀତିର କଡ଼ ଲେଉଟାଣି' ପୁସ୍ତକ ଉନ୍ମୋଚିତ : ପୁସ୍ତକଟି ଓଡ଼ିଆଙ୍କ ଜୀବନରେ ପ୍ରେରକ ହେବ: ଧର୍ମେନ୍ଦ୍ର
ଭୁବନେଶ୍ୱର : ଶୁକ୍ରବାର ଭୁବନେଶ୍ୱର ଠାରେ ସାମ୍ବାଦିକ ତଥା ଲେଖକ ଚୌଧୁରୀ ଅମିତାଭ ଦାସଙ୍କ ଦ୍ୱାରା ଲିଖିତ "ନିର୍ବାଚନ ୨୦୨୪ ଓଡ଼ିଶା ରାଜନୀତିର କଡ଼ ଲେଉଟାଣି' ପୁସ୍ତକ ଉନ୍ମୋଚିତ ହୋଇଯାଇଛି । ଏହି ଅବସରରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ପୁସ୍ତକକୁ ଉନ୍ମୋଚିତ କରିଥିଲେ । ଏହି ଅବସରରେ ସେ କହିଥିଲେ କି, ଲୋକାର୍ପିତ ପୁସ୍ତକ ଓଡ଼ିଆ ସାମାଜିକ ଜୀବନରେ ପ୍ରେରକ ହେବ । ଏହି ପୁସ୍ତକରେ ୨୦୨୪ ନିର୍ବାଚନର ଟିକିନିଖି ବିବରଣୀକୁ ସ୍ଥାନ ଦିଆଯାଇଛି । ପୁସ୍ତକଟି ତଥ୍ୟ ଭିତ୍ତିକ । ଅନେକ ଅକୁହା ଓ ସାର୍ବଜନୀନ କଥା ଏଥିରେ ଉଲ୍ଲେଖ ଅଛି । ଆଜି ଏଭଳି ବିଷୟକୁ ତଥ୍ୟ ଆଧାରିତ ପୁସ୍ତକର ରୂପ ଦେଇଥିବାରୁ ଲେଖକ ଏବଂ ପ୍ରକାଶନ ସଂସ୍ଥାକୁ ଧନ୍ୟବାଦ ଜଣାଇଥିଲେ ଧର୍ମେନ୍ଦ୍ର । ଏହା ସହିତ ଓଡ଼ିଶା ନିର୍ବାଚନ ସମ୍ପର୍କରେ ସମ୍ପର୍କିତ ପୁସ୍ତକ ଭବିଷ୍ୟତର ପିଢି ତଥା ଆଗାମୀ ପିଢିର ଜନପ୍ରତିନିଧିମାନଙ୍କୁ ଅନୁପ୍ରାଣିତ କରିବ । ଏହି ବହି ଆଗାମୀ ଦିନରେ ଓଡ଼ିଶାର ସାମାଜିକ ଜୀବନକୁ ସ୍ୱଚ୍ଛ କରିବା ପାଇଁ ନିଶ୍ଚିତ ଭାବରେ ସହାୟକ ହେବ ବୋଲି ସେ କହିଥିଲେ ।