ରାଷ୍ଟ୍ରବାଦର ଶିଖାକୁ ପ୍ରଜ୍ଜ୍ୱଳିତ କରୁଛି ‘ରାଷ୍ଟ୍ରଦୀପ’ : ସାମ୍ବାଦିକଙ୍କ ସମସ୍ୟାର ସମାଧାନ ହେବ : ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର : ଆଜି ସ୍ଥାନୀୟ ଜୟଦେବ ଭବନ ଠାରେ ରାଷ୍ଟ୍ରଦୀପର ଷଷ୍ଟିପୂର୍ତ୍ତି ସମାରୋହ କାର୍ଯ୍ୟକ୍ରମ ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତିଯେ, "ରାଷ୍ଟ୍ରଦୀପ’ ଓଡିଆ ସମ୍ବାଦପତ୍ର ଜଗତରେ ଏକ ଉଜ୍ୱଳ ଆଲୋକ ବର୍ତ୍ତିକା । ରାଷ୍ଟ୍ରଦୀପ ପରି ରାଷ୍ଟ୍ରୀୟ ବିଚାରଧାରା ପୋଷଣ କରୁଥିବା ଗଣମାଧ୍ୟମଙ୍କ ଭୂମିକା ଆଜିର ସମାଜ ପାଇଁ ଅତ୍ୟନ୍ତ ଗୁରତ୍ୱପୂର୍ଣ୍ଣ । ରାଷ୍ଟ୍ରଦୀପ ପରି ଗଣମାଧ୍ୟମ ଯେତେ ସକ୍ରିୟ ମୁଖର, ଶକ୍ତିଶାଳୀ ଓ ପ୍ରଭାବଶାଳୀ ହେବ, ତାହା ଦେଶ ଓ ରାଜ୍ୟ ପାଇଁ କଲ୍ୟାଣକାରୀ ହେବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।
ଓଡିଶାରେ ଗଣମାଧ୍ୟମ ଓ ସାମ୍ବାଦିକଙ୍କ ସମସ୍ୟା ପ୍ରତି ମୁଁ ଓ ଆମ ସରକାର ଅବଗତ ଅଛୁ । ଏନେଇ ବିଭିନ୍ନ ସାମ୍ବାଦିକ ସଂଗଠନଙ୍କ ପକ୍ଷରୁ ସରକାରଙ୍କୁ ଯେଉଁ ଦୃଷ୍ଟି ଆକର୍ଷଣ କରାଯାଇଛି ସେ ଦିଗରେ କ’ଣ କରାଯାଇପାରିବ ଏଥିପ୍ରତି ଆମେ ସମ୍ବେଦନଶୀଳ ଅଛୁ । ସମସ୍ୟାର ସମାଧାନ ପାଇଁ ସକ୍ରିୟତା ପୂର୍ବକ ଚିନ୍ତା କରୁଛୁ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ । ସେ କହିଥିଲେଯେ, ଗଣମାଧ୍ୟମ ସମାଜର ଆଖି ଓ କାନ ପରି କାର୍ଯ୍ୟ କରିଥାଏ । ଗଣମାଧ୍ୟମ ଅଧିକରୁ ଅଧିକ ପାଠକ ବା ଦର୍ଶକ ସଂଖ୍ୟା ବୃଦ୍ଧି କରିବା ସହିତ ଅଧିକ ପେସାଦାର ମନୋଭାବ ନେଇ ତଥା ସମାଜ ପ୍ରତି ଦାୟିତ୍ୱବୋଧର ଭାବନା ନେଇ କାର୍ଯ୍ୟ କଲେ ଏହା ତାଙ୍କ ପାଇଁ ତଥା ସମାଜ ପାଇଁ ମଙ୍ଗଳମୟ ହେବ । ସମାଜ କ’ଣ ଚାହୁଁଛି, ବିଶେଷକରି ସରକାରଙ୍କ ଠାରୁ ଏହା କ’ଣ ଆଶା କରୁଛି, ଏସବୁ ଗଣମାଧ୍ୟମରେ ପ୍ରତିଫଳିତ ହୋଇଥାଏ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ । ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟବକ୍ତା ତଥା ଲେଖକ ଡକ୍ଟର ରାମ ମାଧବ, ରାଷ୍ଟ୍ରଦୀପର ସଭାପତି ଅନୁପ କୁମାର ବୋଷ, ରାଷ୍ଟ୍ରଦୀପର ସମ୍ପାଦକ ଚିତ୍ତରଞ୍ଜନ ମହାପାତ୍ର, ରାଷ୍ଟ୍ରଦୀପ ପରିଚାଳନା ସମିତିର ସମ୍ପାଦକ ସତ୍ୟନାରାୟଣ ମିଶ୍ର ପ୍ରମୁଖ ମଞ୍ଚାସୀନ ଥିଲେ । କାର୍ଯ୍ୟକ୍ରମର ପରିଚାଳନା କରିଥିଲେ ପ୍ରଜ୍ଞା ପାରମିତା ଆଚାର୍ଯ୍ୟ କରିଥିଲେ ।