ଆଠବର୍ଷ ହେବ ଚାଲିଛି ବ୍ରହ୍ମବରଦା-କାକୁଡିକୁଦ ବ୍ରିଜ୍
ବ୍ରହ୍ମବରଦା: ୨୦୧୬ରୁ ଆରମ୍ଭ ହୋଇ ୨୦୧୯ରେ ଶେଷ ହେବାକୁ ଥିବା ଏହି ବହୁପ୍ରତିକ୍ଷିତ ବି୍ରିଜ କେବେ ଉଦ୍ଘାଟିତ ହେବ, ସେଇ ସମୟକୁ ଅଞ୍ଚଳବାସୀ ଅପେକ୍ଷା କରିରହିଛନ୍ତି । ନିର୍ମାଣ କାର୍ଯ୍ୟ କେବେ ଶେଷ ତାହାକୁ ନେଇ ସମସ୍ତେ ସନ୍ଦିହାନ ଭିତରେ ରହିଥିବା ବେଳେ ଯାଜପୁର ଗ୍ରାମ୍ୟ ଉନ୍ନୟନ ବିଭାଗୀୟ ଅଧିକ୍ଷଣ ଯନ୍ତ୍ରୀ ଜ୍ଞାନରଞ୍ଜନ ନାୟକ ଚଳିତ ବର୍ଷ ମାର୍ଚ୍ଚ ସୁଦ୍ଧା ବି୍ରଜ ଶେଷ ହେବ ବୋଲି କହିଛନ୍ତି । ବ୍ରିଜର ବାକିଥିବା ନିର୍ମାଣ କାର୍ଯ୍ୟ ଚଳିତ ସପ୍ତାହରୁ ଆରମ୍ଭ ହୋଇ ଆସନ୍ତା ମାର୍ଚ୍ଚ ମାସ ଶେଷ ପୂର୍ବରୁ ଶେଷ କରିବାକୁ ଲକ୍ଷ୍ୟ କରାଯାଇଛି ବୋଲି ସମ୍ପୃକ୍ତ ବିଭାଗୀୟ ଅଧିକାରୀଙ୍କ ପକ୍ଷରୁ ସୂଚନା ମିଳିଛି । ଯଦି ଏହା ସମ୍ଭବ ହୁଏ, ତେବେ ନଦୀର ଉଭୟ ପାର୍ଶ୍ୱରେ ବସବାସ କରୁଥିବା ହଜାର ହଜାର ଗ୍ରାମବାସୀ ମାନଙ୍କର ଦୀର୍ଘ ବର୍ଷର ସ୍ୱପ୍ନ ପୂରଣ ହେବ । ବ୍ରହ୍ମବରଦା ଏକ ବ୍ୟବସାୟିକ ପେଣ୍ଠସ୍ଥଳୀ ଭାବେ ବେଶ ଜଣାଶୁଣା । ଏଠାରେ ବ୍ୟାଙ୍କ, ଏଟିଏମ, ମେଡିକାଲ, ବହୁ ସରକାରୀ ଓ ବେସରକାରୀ ସ୍କୁଲ, କଲେଜ, ସାପ୍ତାହିକ ହାଟ, ଥାନା, ପୋଷ୍ଟ ଅଫିସ ସହ ବଡ ବଡ ଶିଳ୍ପ ପ୍ରତିଷ୍ଠାନ ମାନ ରହିଥିବାରୁ ଏହା ଉପରେ ବହୁ ଗ୍ରାମ ନିର୍ଭରଶୀଳ । କିନ୍ତୁ ଏହି ଗ୍ରାମ ଦେଇ ବହିଯାଇଥିବା ବ୍ରାହ୍ମଣୀ ନଦୀ ଗ୍ରାମବାସୀଙ୍କ ଗମନାଗମନରେ ବାଧା ସୃଷ୍ଟି କରେ । ନଦୀର ଅପରପାର୍ଶ୍ୱରେ ଥିବା ଝାଲପଡା, କାକୁଡିକୁଦ, ସାନବାଗସାହି, ବଡବାଗସାହି, ସିଠାଳୋଇ, ରୁଦ୍ରପୁର ଓ ସୁଜନପୁର ଆଦି ଗ୍ରାମ ମାନଙ୍କ ପାଇଁ ପ୍ରତିବନ୍ଧକ ସାଜେ । ରାତି ପାହିଲେ ଉକ୍ତ ଅଞ୍ଚଳର ସହ ସହ ସ୍କୁଲ କଲେଜ ଛାତ୍ରୀଛାତ୍ର, ଲୋକେ ଓ ବ୍ୟବସାୟୀ ନଦୀ ପାର ହୋଇ ବ୍ରହ୍ମବରଦା ଅଞ୍ଚଳକୁ ବେପାରବଣିଜ କରିବାକୁ ଆସିଥାନ୍ତି । ଖରାଦିନେ ବାଉଁଶ ପୋଲ ସାହାର୍ଯ୍ୟରେ ବାଲିରେ ପୋତି ହୋଇ ଓ ବର୍ଷା ଦିନେ ନଦୀରେ ହୁଲି ଡଙ୍ଗା ଯୋଗେ ନିଜ ଜୀବନକୁ ପାଣି ଛଡାଇ ବିପଦପୂର୍ଣ୍ଣ ଯାତ୍ରା କରିଥାନ୍ତି ।
ଏହି ସବୁ ପରିସ୍ଥିତିକୁ ଦୃଷ୍ଟିରେ ରଖି ବ୍ରହ୍ମବରଦା-କାକୁଡିକୁଦ ମୁଖ୍ୟ ରାସ୍ତାକୁ ସଂଯୋଗୀକରଣ କରିବା ନିମନ୍ତେ ଉକ୍ତ ବ୍ରାହ୍ମଣୀ ନଦୀ ଉପରେ ଓଡ଼ିଶା ସରକାରଙ୍କ ଗ୍ରାମ୍ୟ ଉନ୍ନୟନ ବିଭାଗ ତରଫରୁ ୨୪ଡିସେମ୍ବର ୨୦୧୬ ରିଖ ଦିନ ପୂର୍ବତନ ବରୀ ବିଧାୟକ ଦେବାଶିଷ ନାୟକଙ୍କ ଦ୍ୱାରା ବିଜୁ ସେତୁର ଭିତିପ୍ରସ୍ତର ସ୍ଥାପନ କରାଯାଇଥିଲା । ସେ ସମୟରେ ଏହାର ଆୟବ୍ୟୟ ଅଟକଳ ବାବଦରେ ୧୦କୋଟି ୪୨ଲକ୍ଷ ୩୯ହଜାର ୨୭୦ଟଙ୍କା ଥିବାବେଳେ ୨୦୧୯ଏପ୍ରିଲ ମାସ ସୁଦ୍ଧା ଏହାର ନିର୍ମାଣ କାର୍ଯ୍ୟ ଶେଷ କରିବାକୁ ସରକାରଙ୍କ ପକ୍ଷରୁ ନିର୍ଦ୍ଧାରଣ କରାଯାଇଥିଲା । କିନ୍ତୁ ଭିତିପ୍ରସ୍ତର ସ୍ଥାପନର ୯ବର୍ଷ ଓ ଅବଧି ପୁରିବାର ପାଖାପାଖି ୬ ବର୍ଷ ପୂରିଯାଇଥିଲେ ମଧ୍ୟ ସେତୁଟିର ନିର୍ମାଣ କାର୍ଯ୍ୟ ଶେଷ ହୋଇପାରି ନଥିଲା । ସେତୁଟିର କାକୁଡିକୁଦ ଗ୍ରାମ ପଟୁ ସାତଟି ପିଲାରର କାମ ଶେଷ ହୋଇଥିବା ବେଳେ ବ୍ରହ୍ମବରଦା ପଟୁ ଆଉ ମାତ୍ର ଗୋଟିଏ ପିଲାର କାମ ବାକିଥିଲା । କିନ୍ତୁ ଗୋଟିଏ ପିଲର କାମ ଶେଷ ପାଇଁ ମାସ ପରେ ମାସ ବର୍ଷ ପରେ ବର୍ଷ ବିତିଯାଇଥିଲେ ମଧ୍ୟ ତାହା ଆଜି ପର୍ଯ୍ୟନ୍ତ ମାଟି ତଳୁ ଉଠି ନ ପାରି ଅଧାପନ୍ତରିଆ ଭାବେ ପଡ଼ିରହିଥିଲା । ଏହାବାଦ ସେତୁ ନିର୍ମାଣ କାର୍ଯ୍ୟ ଆରମ୍ଭ ଦିନରୁହିଁ ଉଭୟ ଗ୍ରାମ ପଟୁ ଜମି ବିବାଦ ଲାଗି ଲାଗିରହିଥିଲା । ବ୍ରହ୍ମବରଦା ପଟୁ ୨୨ ଡିସିମିଲ ଜମି ଓ କାକୁଡ଼ିକୁଦ ପଟୁ ୧୦ଡିସିମିଲ ଜମି ବ୍ୟକ୍ତିଗତ ମାଲିକାନାରେ ଥିବାରୁ ସେତୁ ନିର୍ମାଣ କାର୍ଯ୍ୟ ବିଳମ୍ବ ହୋଇଥିଲା । ପରେ ବିଭାଗୀୟ ଯନ୍ତ୍ରୀ ଓ ଉଭୟ ପଂଚାୟତର ପ୍ରତିନିଧି ମାନେ ଉପସ୍ଥିତ ରହି ଜମିମାଲିକଙ୍କୁ ଡକାଯାଇ ସେମାନଙ୍କୁ ଉଚିତ ପ୍ରାପ୍ୟ ଦିଆଯିବ ପ୍ରତିଶ୍ରୁତି ଦିଆଯାଇଥିଲା । କିନ୍ତୁ ଆଜି ପର୍ଯ୍ୟନ୍ତ ଜମି ମାଲିକ ସେମାନଙ୍କ ପ୍ରାପ୍ୟ ପାଇ ପାରି ନଥିବା ବେଳେ, ଆଗାମୀ ମାର୍ଚ୍ଚ ମାସ ସୁଧା ବ୍ରିଜ୍ କାମ କିପରି ଶେଷ ହେବ ତାକୁ ନେଇ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଏନେଇ ବିଭାଗୀୟ ଅଧିକ୍ଷଣ ଯନ୍ତ୍ରୀ ଜ୍ଞାନରଞ୍ଜନ ନାୟକଙ୍କୁ ଫୋନ ଯୋଗେ ପଚାରିବାରୁ ସେ କହିଥିଲେ କି ବ୍ରିଜ୍ ନିର୍ମାଣ ପାଇଁ ଯେଉଁ ମାଲିକ ମାନେ ଜମି ହରାଇଛନ୍ତି ସେମାନଙ୍କ ପ୍ରାପ୍ୟ ଅର୍ଥରାଶି ସରକାର ସମ୍ପୃକ୍ତ ବିଭାଗକୁ ପଠାଇ ସାରିଛନ୍ତି । ଜମି ହରାଇଥିବା ମାଲିକଙ୍କ ଉପଯୁକ୍ତ କାଗଜପତ୍ର ଯାଞ୍ଚ ଓ ଦାଖଲ ପରେ ଖୁବ ଶୀଘ୍ର ସେମାନଙ୍କ ପ୍ରାପ୍ୟ ଅର୍ଥରାଶି ତାଙ୍କୁ ପ୍ରଦାନ କରାଯିବ ବୋଲି କହିଛନ୍ତି ।