କେବେ ବିକଶିତ ହେବ ଯାଜପୁର ସହର ବସଷ୍ଟାଣ୍ଡ
ଯାଜପୁର ସଦର: ଗାଁରୁ ସହର ସବୁରି ବିକାଶ ପାଇଁ ସରକାର ପଦକ୍ଷେପ ନେଉଛନ୍ତି । ଏହା ସହ ଗାଁରୁ ସହରକୁ ଯୋଡ଼ିବା ଲକ୍ଷ୍ୟରେ ସଡ଼କପଥର ବିକାଶକୁ ଗୁରୁତ୍ୱ ଦେଉଛନ୍ତି । ବିକଶିତ ସଡ଼କପଥ ସହ ଯାତ୍ରୀଙ୍କୁ ସମସ୍ତ ପ୍ରକାରର ସୁବିଧା ଉପଲବ୍ଧ ନିମନ୍ତେ ଆଧୁନିକ ବସଷ୍ଟାଣ୍ଡ ନିର୍ମାଣ କରୁଛନ୍ତି । କିନ୍ତୁ ରାଜ୍ୟର ଅନ୍ୟତମ ଶକ୍ତିପୀଠ ଯାଜପୁରର ଅଧିଷ୍ଟାତ୍ରୀ ଦେବୀ ମା’ ବିରଜା, ପୂଣ୍ୟତ୍ୟୋୟା ସ୍ତଳ ରାଜ୍ୟର ପୁରାତନ ରାଜଧାନୀ ଯାଜପୁର ସହରର ବସଷ୍ଟାଣ୍ଡ ଆଜିବି ଅବହେଳିତ ହୋଇରହିଛି । ବିଭିନ୍ନ ଦେବାଦେବୀଙ୍କ ପାଇଁ ନିଜସ୍ୱ ପରିଚୟ ସୃଷ୍ଟି କରି ପାରିଥିବା ଯାଜପୁର ସହରରେ ବିଭିନ୍ନ ପର୍ଯ୍ୟଟନ ସ୍ଥଳୀ ରହିଥିବା ହେତୁ ନିଜର ପାରଦର୍ଶିତା ଲାଭ କରିପାରିଛି । ରାଜ୍ୟ ତଥା ରାଜ୍ୟ ବାହାରୁ ବହୁ ଲୋକ ପରିବାର ସହିତ ଯାଜପୁର ସହରକୁ ମା’ବିରଜା ଏବଂ ପୂଣ୍ୟ ବୈତରଣୀ ନଦୀ କୂଳରେ ଅବସ୍ତିତ ବରାହ ନୃସିଂହଙ୍କ ନିକଟକୁ ତିର୍ଥ କରିବା ପାଇଁ ଆସିଥାନ୍ତି । ହେଲେ ବିଡ଼ମ୍ବନା ଯୋଗାଯୋଗ ମୁଖ୍ୟ ଆଧାର ପାଲଟିଥିବା ଯାଜପୁର ସହର ବସଷ୍ଟାଣ୍ଡକୁ ଦେଖିଲେ, ବିକାଶର ବହୁ ଦୂରରେ ଥିବା ମନେ ହୁଏ ।
ଆଜି ପର୍ଯ୍ୟନ୍ତ ଯାଜପୁର ସହରରେ ବସ୍ ଷ୍ଟାଣ୍ଡର କୈାଣସି ସମସ୍ୟା ଦୂର ହେଉନାହିଁ । ଶିକ୍ଷା, ସ୍ୱାସ୍ଥ୍ୟ ଓ ଅନ୍ୟାନ୍ୟ ଦିଗରୁ ଦେଖୁବାକୁ ଗଲେ ଆଖପାଖ ଜିଲାରୁ ଯାଜପୁର ସହରକୁ ବିଭିନ୍ନ ଜିଲାରୁ ଗାଡ଼ି ଗମନା ଗମନ କରିଥାନ୍ତି । କିନ୍ତୁ ସହର ମଧ୍ୟରେ ବସ୍ ଷ୍ଟାଣ୍ଡର ସମସ୍ୟା ଥିବାରୁ ବଡ଼ ବଡ଼ ଗାଡ଼ି ରାସ୍ତା ପାର୍ଶ୍ୱରେ ରଖି ଦେଉଥିଲା ବେଳେ ଯାତାୟାତ କରିବା ପାଇଁ ବହୁ ସମସ୍ୟା ଉପୁଜିଥାଏ । ଯାଜପୁରର ପୂର୍ବତନ ବିଧାୟକଙ୍କ ଉଦ୍ୟମରେ ଯାଜପୁର ସହରରେ ବହୁ ଉନ୍ନତୀମୂଳକ କାର୍ଯ୍ୟ ହୋଇଥିବା ବେଳେ ଯାଜପୁର ସହରର ବସ୍ଷ୍ଟାଣ୍ଡ ନିଜର ପ୍ରକୃତ ଜନ୍ମ ସ୍ଥାନ କେଉଁଠାରେ ହେବ ତାହା ଆଜି ପର୍ଯ୍ୟନ୍ତ ଅନ୍ଧକାର ମଧ୍ୟରେ ନିଜର ପ୍ରକୃତ ପରିଚୟ ଖୋଜୁଛି । ବିଭିନ୍ନ ସ୍ଥାନରେ ସହର ପାଇଁ ବସ୍ ଷ୍ଟାଣ୍ଡର ସ୍ଥାନ ନିରୂପଣ ହୋଇଥିଲେ ମଧ୍ୟ ଏହା ଆଜି ପର୍ଯ୍ୟନ୍ତ ସ୍ଥାନ ନିରୁପଣ ହୋଇପାରିଲା ନାହିଁ । ସହରର ବିଭିନ୍ନ ସଂଗଠନର ପ୍ରତିନିଧି ଏବଂ ବୁଦ୍ଧୀଜୀବୀ, ଅବସରପ୍ରାପ୍ତ ସଂଗଠନ ମାନଙ୍କ ମତ, ସହର ମଧ୍ୟରେ ଥିବା ବିରାଟ ବାଳାଆଶ୍ରମ ପଡ଼ିଆ ଥିବା ସ୍ଥାନରେ ବସ୍ ଷ୍ଟାଣ୍ଡର ନିର୍ମାଣ ହେଲେ ସମସ୍ତ ଜନସାଧାରଣ ସହିତ ଯାଜପୁର ସହର ମଧ୍ୟ ଦେଇଯିବା ଆସିବା କରୁଥିବା ବଡ଼ବଡ଼ ଗାଡ଼ି ଗୁଡ଼ିକ ସହିତ ପାର୍କର୍ିଂ ସ୍ଥଳର ସମସ୍ୟା, ସହର ମଧ୍ୟରେ ଯାତାୟାତର ଅସୁବିଧା, ବିଭିନ୍ନ ପ୍ରକାରର ଦୁର୍ଘଟଣାର ସମସ୍ୟା ସମାଧାନର ସହିତ ସହର ମଧ୍ୟରେ ବସବାସ କରୁଥିବା ଅଧିବାସୀ ମାନଙ୍କ ଘରଦ୍ୱାର ସ୍ଥାନାନ୍ତରିତ କାର୍ଯ୍ୟ ମଧ୍ୟ ଏଡାଇ ଦିଆଯାଇପାରିବ । ପୂର୍ବତନ ବିଧାୟକଙ୍କ ଉଦ୍ୟମରେ ଯାଜପୁର ସହରରେ ମେଡିକାଲ କଲେଜ ପ୍ରତିଷ୍ଠା ହୋଇଥିବା ବେଳେ, ପୁରାକାର୍ଯ୍ୟ ଆରମ୍ଭ ହୋଇଗଲେ ସହର ମଧ୍ୟରେ ଯାତାୟାତ ପାଇଁ ବହୁ ସମସ୍ୟା ଦେଖା ଦେଇପାରେ । କାରଣ ଯାଜପୁର ସହିତ ଅନ୍ୟ ଜିଲାରୁ ମଧ୍ୟ ବଡ଼ ମେଡିକାଲ ସହ ମେଡିକାଲ କଲେଜ, ବିଭିନ୍ନ ଶିକ୍ଷାନୁଷ୍ଠାନ, ଜାତୀୟବ୍ୟାଙ୍କ, ଜିଲ୍ଲା ପ୍ରଶାସନ ଏବଂ ବିଭିନ୍ନ ପ୍ରକାରର କାର୍ଯ୍ୟ ପାଇଁ ବହୁତ ଜନସାଧାରଣ, ଛାତ୍ରଛାତ୍ରୀ ସହର ମଧ୍ୟକୁ ଆସିଥାନ୍ତି । ସହର ମଧ୍ୟରେ ବସ୍ଷ୍ଟାଣ୍ଡ ଥିବା ଯୋଗୁଁ ସହର ସବୁବେଳେ ଗାଡ଼ି ଗୁଡ଼ିକ ପାଇଁ ଗହଳିରେ ପରିପୂର୍ଣ୍ଣ ରହିଥାଏ । ଏଥିପାଇଁ ସହର ମଧ୍ୟରେ ବିଭିନ୍ନ ପ୍ରକାରର ଅପରିସ୍ତିତି ପରିସ୍ଥିତି ସୃଷ୍ଟି ହୋଇଥାଏ । ବଡ଼ ଗାଡ଼ି ଗୁଡ଼ିକ ସହର ମଧ୍ୟ ଦେଇ ବସ୍ ଷ୍ଟାଣ୍ଡକୁ ଯିବା ଆସିବା କରିବା ଦ୍ୱାରା ଜନସାଧାରଣ ବହୁ ଅସୁବିଧାର ସମ୍ମୁଖୀନ ହେଉଥିବା ବେଳେ, ବିଭିନ୍ନ ପ୍ରକାରର ଦୁର୍ଘଟଣା ମଧ୍ୟ ଘଟିଥାଏ । ବଡ଼ବଡ଼ ଗାଡ଼ି ଚାଳନା ଯୋଗୁଁ ସହର ବହୁ ମାତ୍ରାରେ ପରିବେଶ ଦୂଷିତ ହେଉଥିବା ବେଳେ ଗାଡ଼ି ଗୁଡ଼ିକର ଧୁଳି, ଧୂଆଁ ଯୋଗୁଁ ଶ୍ୱାସଜନିତ ରୋଗ ସୃଷ୍ଟି ହେଉଛି । ଯାଜପୁର ସହରରେ ଥିବା ବାଳାଆଶ୍ରମ ପଡ଼ିଆରେ ବସଷ୍ଟାଣ୍ଡ ହେଲେ ସମସ୍ତ ପ୍ରକାରର ଅସୁବିଧା ଦୂର ହୋଇପାରିବ । କଟକ, ଭୁବନେଶ୍ୱର ଆଡକୁ ଆସୁଥିବା ବଡ଼ ବଡ଼ ଗାଡ଼ି ଗୁଡ଼ିକ ସହିତ ମଙ୍ଗଳପୁର, ବିଂଝାରପୁର ଆଡୁ ଆସୁଥିବା ଗାଡ଼ି ଗୁଡ଼ିକ ସହର ମଧ୍ୟ ଦେଇ ପ୍ରବେଶ ନକରି, ନିର୍ମିତ ହୋଇଥିବା ରିଙ୍ଗରୋଡ ଦେଇ ଯିବା ଆସିବା କରିବା ପାଇଁ ଯାଜପୁର ସହରବାସୀ ଏବଂ ବିଭିନ୍ନ ସଂଗଠନ ପକ୍ଷରୁ ଦାବି କରାଯାଇଛି । ବିଜେପି ସରକାର ଏଥିପ୍ରତି ଦୃଷ୍ଟି ଦେବେ ବୋଲି ଅଞ୍ଚଳବାସୀ ଆଶାବ୍ୟକ୍ତ କରିଛନ୍ତି ।