ଜେଜେମା କାନ୍ଧରେ ଶିଶୁ ଭବିଷ୍ୟତ!

୧୦ ବର୍ଷର ଛୁଆଟି ଉପରୁ ବାପା ଓ ମା'ଙ୍କ ହାତ ଉଠିଗଲା । ଜନ୍ମ କରି ଦୁନିଆକୁ ଜାଣିବା ପୂର୍ବରୁ ମା’ ଛାଡି ଚାଲି ଯାଇଥିଲା ଆରପାରିକୁ, ଏବେ ବାପା ଦୁନିଆରୁ ଚାଲିଗଲେ । ଏବେ ଦୃଷ୍ଟିହୀନ ବୁଢୀମା’ ହିଁ ପିଲାର ବର୍ତ୍ତମାନ ଓ ଭବିଷ୍ୟତ । ବାପା ମା’ ଚାଲିଗଲା ପରେ ଗୋଟିଏ ଛୋଟ ପିଲା ପାଇଁ ଦୁନିଆରେ ଆଉ କ’ଣ ବାକି ରହିଲା । ଜେଜେ ମା’ କେବେ ଯେ ପର କରି ଚାଲିଯିବ ତାହା ମଧ୍ୟ କହିବା ସମ୍ଭବ ନୁହେଁ । ତା’ହାଲେ ଏ ପିଲାଟିର ଭବିଷ୍ୟତ କ’ଣ ଅନ୍ଧକାର ହୋଇଯିବ । ଏଭଳି ଅନେକ ପ୍ରଶ୍ନ ଏବେ ଲୋକଙ୍କ ମନରେ ରହିଛି । ଏଭଳି ଏକ ହୃଦୟ ବିଦାରକ ଘଟଣା ଦେଖିବାକୁ ମିଳିଛି ମୟୂରଭଞ୍ଜ ଜିଲ୍ଲା ବାଙ୍ଗିରିପୋଷି ବ୍ଲକର ଖଇରବଣି ଗ୍ରାମରେ । ଖଇରବଣୀ ଗ୍ରାମ ଏକ ବ୍ରାହ୍ମଣ ଶାସନ ଗାଁ ଅଟେ । ଆଖପାଖରେ ବିଭିନ୍ନ ଜାତିର ଲୋକେ ମଧ୍ୟ ରୁହନ୍ତି । ହେଲେ ଅନେକ ବର୍ଷ ପୂର୍ବରୁ ଝାରଖଣ୍ଡ ରାଜ୍ୟ ଛାଡି ପଳାଇ ଆସି ରାନୀ ସର୍ଦ୍ଦାର ନାମକ ଜଣେ ଆଦିବାସୀ ମହିଳା ଏହି ଖଇରବଣୀ ଗ୍ରାମର ରେଳଲାଇନ ଆରପଟେ ଗୋଟିଏ କୁଡ଼ିଆ କରି ନିଜ ପୁଅ ଶତ୍ରୁଘନ ସହ ରହୁଥିଲା । ତେବେ ଛୁଆଟିକୁ ତା’ ବୁଢ଼ୀ ଜେଜେମା ପାଳି ପୋଷି ବଡ଼ କରିଥିଲା । ସୋରଜ ବଡ଼ ହୋଇ ଏବେ ଘର ସାମ୍ନାରେ ଥିବା ଗାଁ ସ୍କୁଲରେ ତୃତୀୟ ଶ୍ରେଣୀରେ ପାଠ ପଢଛନ୍ତି । ଇତିମଧ୍ୟରେ ଶତ୍ରୁଘନର ବାରମ୍ବାର ଦେହ ଖରାପ ହେଉଥିଲା । ତାକୁ ଚିକିତ୍ସା କରାଇବାକୁ କେହି ନଥିଲେ । ବୁଢ଼ୀ ମାର ଆଖିରେ ଆଉ ଦିଶୁନାହିଁ । କିଛିଦିନ ପୂର୍ବରୁ ପ୍ରବଳ ଦେହ ଖରାପ ହୋଇଥିଲା । ଔଷଧ ଆଣି ଖାଇବାରୁ ଭଲ ହୋଇଯାଇଥିଲା । ନିକଟରେ ଥିବା ସୋରଜ ନନା ବୋଲି ଜଣେ ଗ୍ରାମର ଭଦ୍ରବ୍ୟକ୍ତି ତାଙ୍କ ଘରକୁ ଅନେକ ସାହାର୍ଯ୍ୟ କରିଆସୁଥିଲେ । ହେଲେ ଅଚାନକ ପୁଣି ଶତ୍ରୁଘନର ଦେହ ଖରାପ ହୋଇଥିଲା । ଚିକତ୍ସା ଅଭାବରୁ ଗତ ବୁଧବାର ଭୋର ସକାଳୁ ସେ ଛୋଟ ପୁଅ ଓ ବୁଢ଼ୀ ମା'କୁ ଏକାକରି ଆରପାରିକୁ ଚାଲିଯାଇଥିଲେ । ସରପଞ୍ଚ, ଗ୍ରାମବାସୀ ଓ ବିଧାୟିକା ସଞ୍ଜଲି ମୁର୍ମୁଙ୍କ ସାହାର୍ଯ୍ୟରେ ସ୍ଥାନୀୟ ଲୋକେ ଶତ୍ରୁଘନର ଅନ୍ତିମ ସଂସ୍କାର କରାଯାଇଥିଲା । ମା, ବାପା ନଥିବା ଏହି ପିଲାଟିର ଭାବିଷ୍ୟତ କ’ଣ ହେବ, ତା ଭବିଷ୍ୟତ କିଏ ଗଢ଼ିବ, ଆଖିକୁ ଦିଶୁ ନଥିବା ବୁଢୀମା ସୋରଜକୁ କିପରି ଖାଇବାକୁ ଦେବ, କିପରି ପିନ୍ଧିବାକୁ ଦେବ ଏସବୁ ପ୍ରଶ୍ନ ଭିତରେ ଅନ୍ଧକାର ହୋଇଯିବକି ସୋରଜର ଭବିଷ୍ୟତ । ଏଥିପ୍ରତି ଜିଲ୍ଲା ପ୍ରଶାସନ, ସରକାର ଏଥିପ୍ରତି ଦୃଷ୍ଟି ଦେବାକୁ ଦାବି କରିଛନ୍ତି ।