ସମସ୍ୟା ଘେରରେ ଢେଙ୍କାନାଳ ମୁଖ୍ୟ ଡାକ୍ତରଖାନା
ଢେଙ୍କାନାଳରୁ ଲକ୍ଷ୍ମୀନାରାୟଣ ତ୍ରିପାଠୀ : ସରକାର ସ୍ୱାସ୍ଥ୍ୟ ଉପରେ ଅଧିକ ଗୁରୁତ୍ୱାରୋପ କରିବା ସହ ଉତ୍ତମ ସ୍ୱାସ୍ଥ୍ୟ ସେବା ଯୋଗାଇ ଦେବା ପାଇଁ ସର୍ବଦା ଚେଷ୍ଟିତ । ଏଥିପାଇଁ କୋଟି କୋଟି ଟଙ୍କା ମଧ୍ୟ ଖର୍ଚ୍ଚ କରୁଛନ୍ତି । ହେଲେ ବାସ୍ତବ କ୍ଷେତ୍ରରେ କିନ୍ତୁ ତାହାର ପ୍ରତିଫଳନ ହେଉନଥିବା ବିଭିନ୍ନ ସ୍ଥାନରେ ଦେଖିବାକୁ ମିଳୁଛି । ଯାହାର ଜ୍ୱଳନ୍ତ ଉଦାହରଣ ଢେଙ୍କାନାଳର ମୁଖ୍ୟ ଡାକ୍ତରଖାନାରେ ଦେଖିବାକୁ ମିଳିଛି । କୋଟିକୋଟି ଟଙ୍କା ବ୍ୟୟରେ ବିଭିନ୍ନ ଅତ୍ୟାଧୁନିକ ସରଞ୍ଜାମ ସହ ଲୋକମାନଙ୍କୁ ସବୁପ୍ରକାର ଚିକିତ୍ସା ଯୋଗାଇ ଦେବା ପାଇଁ ଏହା ମଧ୍ୟରେ ହୋଇଛି ବ୍ୟବସ୍ଥା । ହେଲେ ଏହି ଡାକ୍ତରଖାନାଟି ଅନେକ ଅବ୍ୟବସ୍ଥା ଓ ସମସ୍ୟା ଭିତରେ ଚାଲିଥିବା ଦେଖାଯାଉଛି । ଏଠାରେ ସବୁଥାଇ ଯେମିତି କିଛି ନ ଥିବା ଭଳି ପରିସ୍ଥିତି ସୃଷ୍ଟି ହୋଇଛି । ରୋଗୀ ତଥା ତାଙ୍କ ସମ୍ପର୍କୀୟମାନେ ବିଭିନ୍ନ ସମୟରେ ନାନାଦି ଅଭିଯୋଗ କରୁଥିବା ବେଳେ ତାହାର ଫଳ କିଛି ହେଉନାହିଁ । ଯାହାକୁ ନେଇ ବୁଦ୍ଧିଜୀବୀ ମହଲରେ ଘୋର ଅସନ୍ତୋଷ ଦାନା ବାନ୍ଧୁଛି ।
ଢେଙ୍କାନାଳ ମୁଖ୍ୟ ଡାକ୍ତର ଖାନାରେ ଅନ୍ତେବାସୀ ରୋଗୀଙ୍କ ପାଇଁ ୩ଶହ ଶଯ୍ୟା ରହିଥିବାବେଳେ ଦୈନିକ ୧ହଜାରରୁ ଅଧିକ ରୋଗୀ ଏଠାକୁ ସ୍ୱାସ୍ଥ୍ୟସେବା ପାଇଁ ଆସୁଛନ୍ତି । ଏହି ୭ ମହଲା କୋଠାରେ ମୁଖ୍ୟ ଚିକିତ୍ସାଳୟ ଖୋଲିବା ୬ ବର୍ଷ ବିତିଲାଣି । ହେଲେ ଆବଶ୍ୟକ ସଂଖ୍ୟକ ଡାକ୍ତର ନିଯୁକ୍ତି ହୋଇପାରୁନାହିଁ । ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ୧୧୭ଟି ଡାକ୍ତର ପଦବୀରୁ ୭୦ ଟି ପଦବୀ ଖାଲି ଅଛି । ପୁଣି ନିଯୁକ୍ତି ପାଇଥିବା ଡାକ୍ତରଙ୍କ ମଧ୍ୟରୁ ୧୧ ଜଣ ଉଚ୍ଚ ଶିକ୍ଷା ନିମନ୍ତେ ଯାଇଛନ୍ତି । ଛାତି ଓ ଯକ୍ଷ୍ମା ବିଭାଗରେ ଆଜକୁ ୭ ବର୍ଷ ହେବ କେହି ଡାକ୍ତର ନାହାନ୍ତି । ସେହିପରି କୁଷ୍ଠ ରୋଗ ବିଶେଷଜ୍ଞ ଡାକ୍ତର ପଦବୀ ଦୀର୍ଘ ଦିନ ହେବ ଖାଲିପଡିଛି । କେହି ରେଡ଼ିଓଲୋଜିଷ୍ଟ ନ ଥିବାରୁ ଜଟିଳ ରୋଗ ନିରୂପଣ ପାଇଁ ଅଲଟ୍ରାସାଉଣ୍ଡ ହୋଇପାରୁନାହିଁ । କିଛିଦିନ ହେବ ସିଡିଏମଓ ଓ ମେଡିକାଲ ସୁପରିଟେଣ୍ଡେଣ୍ଟ ପଦବୀ ଖାଲି ରହିଛି । ଜିଲ୍ଲା ରକ୍ତ ଭଣ୍ଡାର ଅଧିକାରୀଙ୍କୁ ଅତିରିକ୍ତ ଭାବେ କାଜୁୟାଲିଟି ଓ ଲାବୋରୋଟୋରୀ ଦାୟିତ୍ୱ ଦିଆଯାଇଛି । ଆବଶ୍ୟକୀୟ ଡାକ୍ତର ଅଭାବରୁ ଅନେକ ସମୟରେ ଆଉଟଡୋରରେ ନାହିଁ ନ ଥିବା ଭିଡ ହେଉଥିବା ବେଳେ ସାଧାରଣ ରୋଗୀମାନେ ଲାଇନରେ ଘଣ୍ଟା ଘଣ୍ଟା ଛିଡା ହୋଇ ଫେରିଯାଉଥିବା ଦେଖିବାକୁ ମିଳୁଛି । ପୂର୍ବରୁ ଚିକିତ୍ସା ଯୋଗୁଁ ଅନେକ ରୋଗୀ ମୃତୁ୍ୟ ମୁଖରେ ପଡିଥିବା ଭଳି ଅଭିଯୋଗ ହୋଇଥିଲେ ମଧ୍ୟ ତାହା ବାରମ୍ବାର ଘଟି ଚାଲିଛି ।
ଡାକ୍ତରଖାନାର ନିୟମିତ ରକ୍ଷଣାବେକ୍ଷଣ ଓ ମରାମତି କାମ ସଠିକ୍ ଭାବରେ ହେଉନଥିବାବେଳେ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରାଯାଇ କେବଳ ନୂଆ ନୂଆ ଘର ଓ କୋଠା ନିର୍ମାଣ ଚାଲିଛି । ଏପଟେ ଡାକ୍ତରଖାନାର ମୁଖ୍ୟ ବିଭାଗକୁ ଯିବାକୁ ଥିବା କାଓକ୍ୟାଚର ଭାଙ୍ଗି ଗଲାଣି । ପରିସରରେ ବିଭିନ୍ନ ଡ୍ରେନ ଉପରେ ପଡିଥିବା ସିମେଣ୍ଟ ସ୍ଲାବ ଗୁଡିକ ଅନେକ ଯାଗାରେ ଭାଙ୍ଗିଗଲାଣି । ଡ୍ରେନ ଭିତରେ ପାଣି ନିଷ୍କାସନ ହୋଇପାରୁ ନଥିବାରୁ ତାହା ଜମା ହୋଇ ପୂତ୍ତିଗନ୍ଧମୟ ପରିବେଶ ସୃଷ୍ଟି ହେଉଛି । ସେହିପରି ପ୍ରାୟ ସମୟରେ ବିଭିନ୍ନ ୱାର୍ଡରେ ପାଣିର ଅଭାବ ଦେଖାଦେଉଥିବାବେଳେ ଅନେକ ସମୟରେ ବିଦୁ୍ୟତ୍ ସମସ୍ୟା ମଧ୍ୟ ରୋଗୀଙ୍କୁ କଲବଲ କରୁଛି । ଅନ୍ୟପକ୍ଷରେ ବିଭିନ୍ନ ବିଭାଗର ଡ଼ାକ୍ତରମାନେ ଡାକ୍ତର ଖାନାରେ ନାଁକୁ ମାତ୍ର ଚାକିରି କରି ବିଭିନ୍ନ ବାହାରେ ଘରୋଇ କ୍ଲିନିକ୍ରେ ରୋଗୀ ଦେଖିବାରେ ଅଧିକ ସମୟ ଓ ଗୁରୁତ୍ୱ ଦେବା ସହ ମୋଟା ଅଙ୍କ କମାଉଛନ୍ତି । ଏସବୁ ଅବ୍ୟବସ୍ଥା ଓ ସମସ୍ୟା ଭିତରେ ରୋଗୀ ତଥା ତାଙ୍କର ସମ୍ପର୍କୀୟମାନେ ହନ୍ତସନ୍ତ ହେଉଥିବାବେଳେ ସାଧାରଣ ଲୋକମାନେ ଏସବୁ ଦେଖି ଶୁଣି ଏକପ୍ରକାର ଅତିଷ୍ଠ ହୋଇ ପଡିଲେଣି । ବୁଦ୍ଧିଜୀବୀମାନେ ଏଥିନେଇ ଚିନ୍ତା ପ୍ରକଟ କରିଛନ୍ତି । ସରକାର ଓ ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେଇ ଜିଲ୍ଲାର ଏଭଳି ଗୋଟିଏ ବଡ ଡାକ୍ତରଖାନାକୁ ଯଥାସମ୍ଭବ ସୁବ୍ୟବସ୍ଥିତ କରିବାକୁ ସାଧାରଣରେ ଦୃଢ ଦାବି ହୋଇଛିି ।