ଧନ୍ୟବାଦ ମୁଖ୍ୟମନ୍ତ୍ରୀ କାର୍ଯ୍ୟକ୍ରମ 

ଅନୁଗୁଳ : ଅନୁଗୁଳ ସଭାଘର ଠାରେ ଧନ୍ୟବାଦ୍ ମୁଖ୍ୟମନ୍ତ୍ରୀ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ବିଜେପି କୃଷକ ମୋର୍ଚ୍ଚା ପକ୍ଷରୁ ଜିଲ୍ଲା କୃଷକ ମୋର୍ଚ୍ଚା ସଭାପତି ବିଜୟ ମାଝୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ରାଜ୍ୟ ଖାଉଟି କଲ୍ୟାଣ ଓ ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ଯୋଗ ଦେଇ ରାଜ୍ୟରେ ଡବଲ ଇଞ୍ଜିନ୍ ସରକାର ଆସିବା ପରେ ଆଜି ସମସ୍ତ କ୍ଷେତ୍ରରେ ବିକାଶ ଚାଲୁ ରହିଛି । ରାଜ୍ୟରେ ମୋହନ ଚରଣ ମାଝୀଙ୍କ ନେତୃତ୍ୱରେ ଲୋକଙ୍କ ସରକାର ଆଜି ମହିଳା, ଯୁବକ, ଶ୍ରମିକ ଓ କୃଷକମାନଙ୍କର ବିକାଶ ପାଇଁ କାର୍ଯ୍ୟ କରୁଛି । ନିର୍ବାଚନ ସମୟରେ ବିଜେପିର ସଂକଳ୍ପ ପତ୍ରରେ ସ୍ଥାନିତ ହୋଇଥିବା ସମସ୍ତ ପ୍ରତିଶ୍ରୁତି ପୂରଣ ହେବାରେ ଲାଗିଛି ।  ବିକଶିତ ଓଡିଶା ଗଠନ ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଅହରହ ପରିଶ୍ରମ କରୁଛନ୍ତି ଏବଂ ତାଙ୍କୁ ଯେତେ ଧନ୍ୟବାଦ ଦେଲେ ମଧ୍ୟ କମ୍ ହେବ ବୋଲି ସେ ପ୍ରକାଶ କରିଥିଲେ ।  କୃଷକ ମୋର୍ଚ୍ଚା ରାଜ୍ୟ ସଭାପତି ମହେଶ୍ୱର ସାହୁ ଯୋଗ ଦେଇ କୃଷକଙ୍କର ସମସ୍ୟାକୁ ସବୁ କ୍ଷେତ୍ରରେ ହୃଦୟଙ୍ଗମ କରି କରାଯାଉଥିବା ସମାଧାନ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଦେଇଥିଲେ । ଢେଙ୍କାନାଳ ସାଂସଦ ରୁଦ୍ର ନାରାୟଣ ପାଣି କେନ୍ଦ୍ରରେ ମୋଦି ସରକାର ଏବଂ ରାଜ୍ୟରେ ମୋହନ ସରକାର ୨୦୪୭ ଓ ୨୦୩୬ ମିଶନକୁ ନେଇ ବିକଶିତ ଭାରତ ସଙ୍ଗେ ବିକଶିତ ଓଡ଼ିଶା ଗଠନ ଦିଗରେ କାର୍ଯ୍ୟ କରୁଛନ୍ତି ଏବଂ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ନେତୃତ୍ୱରେ ସମଗ୍ର ରାଜ୍ୟରେ ବିକାଶର ଧାରା ଚାଲୁ ରହିବା ସହ ସାଧାରଣଲୋକ ମୁଖ୍ୟମନ୍ତ୍ରୀଙ୍କୁ ଭେଟି ନିଜର ଅଭିଯୋଗ ଜଣାଇ ପାରୁଥିବାରୁ ସେ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଅର୍ପଶ କରିଥିଲେ । ଏହି ସଭାରେ ଅନୁଗୁଳ ବିଧାୟକ ପ୍ରତାପ ଚନ୍ଦ୍ର ପ୍ରଧାନ, ଛେଣ୍ଡିପଦା ବିଧାୟକ ଅଗସ୍ତି ବେହେରା, ଜିଲ୍ଲା ସଭାପତି ଯଯାତି ପଟ୍ଟନାୟକ, ରାଜ୍ୟ କୃଷକ ମୋର୍ଚ୍ଚା ଉପସଭାପତି ପୁଲିନ ପ୍ରକାଶ ପୁହାଣ, ରାଜ୍ୟ ସାଧାରଣ ସମ୍ପାଦକ ଉପେନ୍ଦ୍ର ଭଗତ,ରାଜ୍ୟ ସମ୍ପାଦକ ବିକ୍ରମ କେଶରୀ ରାଉତରାୟ, ରାଜ୍ୟ ସଂଯୋଜକ ଜଗନ୍ନାଥ ଗଡ଼ନାୟକ ପ୍ରମୁଖ ଯୋଗ ଦେଇ ରାଜ୍ୟ ସରକାରଙ୍କର ବିଭିନ୍ନ ଯୋଜନା ଓ କାର୍ଯ୍ୟକାରିତା ଉପରେ ଆଲୋକପାତ କରିଥିଲେ । ପ୍ରାକ୍ତନ ଜିଲ୍ଲା ସଭାପତି ଦିଲେଶ୍ୱର ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିବାବେଳେ ବିଜେପିର ସମସ୍ତ ପଦାଧିକାରୀଙ୍କ ସମେତ ଶତାଧିକ ଜନସାଧାରଣ ଉପସ୍ଥିତ ଥିଲେ ।