ଚିତ୍ରକୂଟ ମନ୍ଦିର ପରିଚାଳନା କମିଟି ଗଠିତ
ତାଳଚେର: ତାଳଚେରର ବହୁ ପୁରାତନ ଶୈବ ମନ୍ଦିର ଭାବେ ପରିଚିତ ଚିତ୍ରକୂଟ ମନ୍ଦିର ଏବେ ନିଶା ସେବନକାରୀଙ୍କ ଆଡ୍ଡାସ୍ଥଳୀ ପାଲଟିଛି ବୋଲି ଅଭିଯୋଗ ହୋଇଆସୁଛି । ଫଳରେ ଶ୍ରଦ୍ଧାଳୁଙ୍କ ସଂଖ୍ୟା ଧୀରେ ଧୀରେ ହ୍ରାସ ପାଇବାକୁ ବସିଲାଣି । ଏହାକୁ ଦୃଷ୍ଟିରେ ରଖି କିଛି ଉଦ୍ୟମୀ ତଥା ଆଧ୍ୟାତ୍ମିକ ଚିନ୍ତାଧାରାର ବ୍ୟକ୍ତି ଏହାର ବିରୋଧ କରି ଏବଂ ମନ୍ଦିର ପରିବେଶକୁ ସଜାଡ଼ିବା ଲକ୍ଷ୍ୟରେ ଉକ୍ତ ମନ୍ଦିର ପ୍ରାଙ୍ଗଣରେ ଏକ ବୈଠକ ଆୟୋଜନ କରିଥିଲେ । ନଗରପାଳ ପବିତ୍ର ଭୁତିଆ ଏଥିରେ ଯୋଗ ଦେଇ ଏହି ମନ୍ଦିରର ଉନ୍ନତି ପାଇଁ ସମସ୍ତେ ଏକତ୍ରିତ ହୋଇ ଆଗକୁ ଆସିବା ପାଇଁ ପରାମର୍ଶ ଦେଇଥିଲେ । ଉପସ୍ଥିତ ସମସ୍ତ ସଦସ୍ୟମାନେ ମନ୍ଦିରର ପରିବେଶ ସୁରକ୍ଷା, ଉନ୍ନତିକରଣ ପରିଚାଳନା ପାଇଁ ଅର୍ଥ ବ୍ୟବସ୍ଥା ଉପରେ ଆଲୋଚନା କରିଥିଲେ । ତେବେ ଏହି ସବୁ କାର୍ଯ୍ୟ ସମ୍ପାଦନ ପାଇଁ ନୂତନ କମିଟିର ଆବଶ୍ୟକତା ଥିବାରୁ ଏହା ଉପରେ ଆଧାରିତ କାର୍ଯ୍ୟକ୍ରମ କରାଯାଇ କର୍ମକର୍ତ୍ତା ଚୟନ କରାଯାଇଥିଲା । ଏଥିରେ ସଭାପତି ଭାବେ ନଗରପାଳ ପବିତ୍ର ଭୁତିଆ, ଉପସଭାପତି ଭାବେ ଆଠ ନମ୍ବର କାଉନସିଲର ସନ୍ତୋଷ ବେହେରା, ସାଧାରଣ ସମ୍ପାଦକ ଭାବେ ନଅ ନମ୍ବର ୱାର୍ଡ କାଉନସିଲର ମମତା ରାଉତ, ସହ ସମ୍ପାଦକ ସମୀର ସାହୁ, କୋଷାଧ୍ୟକ୍ଷ ଭାବେ ସୁଧୀର ପଟ୍ଟନାୟକ ଓ ଶରତ ବାରିକଙ୍କୁ ମନୋନୀତ କରାଯାଇଥିଲା । ସେହିପରି ଉପଦେଷ୍ଟା ଭାବେ୨୧ ଜଣ ବ୍ୟକ୍ତିଙ୍କୁ ଚୟନ ଯାଇଥିଲା । ଏହି ନୂତନ କମିଟି ମନ୍ଦିରର ଉନ୍ନତି, ପରିଚାଳନା, ସୌନ୍ଦର୍ଯ୍ୟକରଣ ଏବଂ ପରିବେଶର ସୁରକ୍ଷା ନେଇ କାର୍ଯ୍ୟ କରିବ ବୋଲି ନୂତନ ସଭାପତି ଶ୍ରୀ ଭୁତିଆ ପ୍ରକାଶ କରିଥିଲେ । ଆଜିର ବୈଠକରେ ଦେବୀ ମିଶ୍ର, ବିକାଶ ସାହୁ, ସନ୍ତୋଷ ଅଗ୍ରୱାଲ, ଲୁଲୁ ରାଉତ, ପଂଚାନନ ସାହୁ, ଭାଗ୍ୟରଥୀ ମହାପାତ୍ର,ବାବୁଲି ମହାରଣା, ତପନ ମହାରଣା, ଟୁକୁନା ସ୍ୱାଇଁ, ମେଘନାଦ ପରିଡା, ବଳରାମ କୁଣ୍ଡ, ଗୋପୀନାଥ ସାହୁ, ବଳରାମ ବେହେରା, କାବୁଲି ସେନ, ଜିତେନ୍ଦ୍ର ଦାସ, ପ୍ରକାଶ ସାହୁ, ବାବୁନି ସ୍ୱାଇଁ ପ୍ରମୁଖଙ୍କ ସମେତ ବହୁ ସଦସ୍ୟମାନେ ଯୋଗ ଦେଇଥିଲେ । ପରବର୍ତ୍ତୀ ବୈଠକ ଆସନ୍ତା ୨୭ ତାରିଖରେ ହେବ ବୋଲି କମିଟି ପକ୍ଷରୁ ସୂଚନା ମିଳିଛି ।