ମିଶ୍ରିଲାଲ କମ୍ପାନୀରେ ସୁରକ୍ଷିତ ନୁହେଁ ଶ୍ରମଜୀବୀ , କଟାଗଲା ଦୁର୍ଘଟଣାରେ ଗୁରୁତର ଶ୍ରମିକର ହାତ 

ଯଖପୁରା: କଳିଙ୍ଗନଗର ଶିଳ୍ପାଞ୍ଚଳରେ ଅବସ୍ଥିତ ମିଶ୍ରିଲାଲ କମ୍ପାନୀ ଶ୍ରମଜୀବୀଙ୍କ ପାଇଁ ସୁରକ୍ଷିତ ନୁହେଁ । ଶ୍ରମଜୀବୀଙ୍କ ବିନା ସୁରକ୍ଷା ସାମଗ୍ରୀରେ କାର୍ଯ୍ୟ କରାଉଥିବା କମ୍ପାନୀରେ କୈାଣସି ଦୁର୍ଘଟଣା ଘଟେ ତାହା ଜୀବନହାନି ଘଟାଇଥାଏ କିମ୍ବା ଶ୍ରମଜୀବୀଙ୍କୁ ସବୁଦିନ ପାଇଁ ଅକ୍ଷମ ହେବାକୁ ପଡ଼ିଥାଏ । ବାରମ୍ବାର ଏଭଳି କିଛି ଘଟଣା ଘଟୁଥିଲେ ହେଁ କମ୍ପାନୀ କର୍ତ୍ତୃପକ୍ଷ ନିଜ ସ୍ୱାର୍ଥ ପାଇଁ ଘଟଣାକୁ ଚାପି ଦେବାକୁ ସମର୍ଥ ହେଉଥିବା ବେଳେ ଯାଜପୁର ରୋଡ଼ରେ କାର୍ଯ୍ୟ କରୁଥିବା କାରଖାନା ଓ ବାଷ୍ପିତ୍ର ଉପନିଦେ୍ର୍ଦଶକ(ଫ୍ୟାକ୍ଟି୍ର ଆଣ୍ଡ ବଏଲର)ଙ୍କ କାର୍ଯ୍ୟାଳୟ ନିରବଦ୍ରଷ୍ଟା ସାଜିଥାଏ । ଯାହା ଫଳରେ ଶ୍ରମିଜୀବୀ ଏଠାରେ ପେଟପାଟଣା ପାଇଁ ବିନା ସୁରକ୍ଷା ସାମଗ୍ରୀରେ କାର୍ଯ୍ୟ କରିବାକୁ ପଡ଼ିଥାଏ । କମ୍ପାନୀ ଅଧିକାରୀଙ୍କ ମନମାନୀ ଶ୍ରମିକ ମାନଙ୍କୁ ଶୋଷଣ ଏଠାରେ ସୀମା ଟପିଲାଣି ବୋଲି ହୁଏ ଅଭିଯୋଗ ।ଶ୍ରମିକ ମାନଙ୍କ ଅଧିକାରକୁ ଖୁଲମ୍ ଖୁଲା ଉଲଂଘନ କରୁଥିବା କମ୍ପାନୀ ପାଇଁ ଅଘଟଣର ଶୀକାର ହେଉଥିବା ଶ୍ରମିକ ପରିବାର ତାର ହକ ପାଇବା ପାଇଁ ସଙ୍ଘର୍ଷ କରୁଥିଲେ ହେଁ ନିରାଶ ହେବାକୁ ପଡ଼ୁଛି । କଳିଙ୍ଗନଗର ଥାନା ଅନ୍ତର୍ଗତ ମିଶ୍ରୀଲାଲ କମ୍ପାନୀ ଏହାର ଏକ ବଡ଼ ଉଦାହରଣ ସାଜିଛି । ଆଜକୁ ଛଅ ଦିନ ପୂର୍ବରୁ ମିଶ୍ରିଲାଲ୍ କମ୍ପାନୀରେ ଏଲେକ୍ଟ୍ରିକାଲ ହେଲ୍ପର ଭାବରେ ପ୍ରାୟ ୮ବର୍ଷ ହେବ କାର୍ଯ୍ୟ କରୁଥିବା ପଙ୍କପାଳ ଗ୍ରାମର ମାଧବାନନ୍ଦ ରାୟଙ୍କ ଏକ ମାତ୍ର ପୁଅ ରାକେଶ (୩୨) ଏଲେକ୍ଟ୍ରି କରେଣ୍ଟ ଲାଗି ଗୁରୁତର ଆହତ ହୋଇଥିଲେ । ଆହତ ହେବା ପରେ ରାକେଶକୁ ପ୍ରଥମେ ଟାଟା ମେଡ଼ିକା ହସ୍ପିଟାଲ ପରେ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ କଟକର ଏକ ଘରୋଇ ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଛି । ପ୍ରାୟ ଛଅ ଦିନର ଚିକିତ୍ସା ହେବା ପରେ ବିଦୁ୍ୟତ୍ ଆଘାତ ଲାଗି ଗୁରୁତର ହୋଇପଡ଼ିଥିବା ଡାହାଣ ହାତକୁ ଡାକ୍ତରଙ୍କୁ କାଟିବାକୁ ପଡ଼ିଛି । କାରଣ ବିଦୁ୍ୟତ୍ ଆଘାତରେ ଗୁରୁତର ହୋଇଥିବା ହାତଟି କାର୍ଯ୍ୟ କରିବା ବନ୍ଦ କରିଦେଇଥିଲା । ବିଦୁ୍ୟତ୍ ଆଘାତରେ ତାଙ୍କର ମୁଣ୍ଡ, ଦୁଇ ହାତ ଓ ଗୋଡ଼ରେ ଆଘାତ ଲାଗିଥିଲା । 
ଏତେ ବଡ ଦୁର୍ଘଟଣା ଘଟିଥିଲେ ମଧ୍ୟ କମ୍ପାନୀ ତରଫରୁ ସେମିତି କିଛି ବ୍ୟବସ୍ଥା କରାଯାଇ ନାହିଁ । ବରଂ ଘଟଣାକୁ ଚାପିବାକୁ କମ୍ପାନୀ ପକ୍ଷରୁ ଚେଷ୍ଟା କରାଯାଉଛି । ଦୁଇ ଦିନ ତଳୁ ତାଙ୍କର ହାତ କଟା ଯାଇଛି ମାତ୍ର କମ୍ପାନୀ ଏହାକୁ ଲୁଚାଇବାକୁ ପ୍ରୟାସ କରୁଛି । ମିଶ୍ରିଲାଲ କମ୍ପାନୀରେ ଏହା ପ୍ରଥମ ଘଟଣା ନୁହେଁ । ପୂର୍ବରୁ ମଧ୍ୟ କାରଖାନା ମଧ୍ୟରେ ଯେତେ ସବୁ ଘଟଣା ଘଟିଛି କମ୍ପାନୀ କାହାରିକୁ କୌଣସି ସୁବିଧା ଦେଇନାହିଁ ବୋଲି ପୂର୍ବରୁ ଅଭିଯୋଗ ରହିଛି । ବର୍ଷେ ପୁର୍ବରୁ ମିଶ୍ରିଲାଲ କମ୍ପାନୀରେ କାର୍ଯ୍ୟ କରୁଥିବା ସମୟରେ ପଙ୍କପାଳ ପଞ୍ଚାୟତର ହନୁମନ୍ତ ପାଟଣା ଗ୍ରାମର ସନ୍ତୋଷ ରାୟଙ୍କ ମୃତୁ୍ୟ ଘଟିଥିଲା । ମୃତୁ୍ୟ ପରେ କମ୍ପାନୀ ତରଫରୁ ତାଙ୍କ ପରିବାରକୁ ଯେଉଁ ପ୍ରତିଶ୍ରୁତି ଦିଆଯାଇଥିଲା ପରେ ସେ ସବୁ ପ୍ରତିଶ୍ରୁତି ଭୁଲି ଗଲା । କେବଳ କିଛି ଆର୍ଥôକ ଅର୍ଥ ଛଡା ତାଙ୍କ ସ୍ତ୍ରୀଙ୍କୁ ଚାକିରି ଦେବା କହି ଆଜି ପର୍ଯ୍ୟନ୍ତ କମ୍ପାନୀ ଠକି ଚାଲିଛି । ଫଳରେ ତାଙ୍କ ପରିବାର କମ୍ପାନୀକୁ ଦୌଡ଼ି ଦୌଡ଼ି ନୟାନ୍ତ ହେଲେଣି । ଏଥି ପାଇଁ ପରିବାରର ଅବସ୍ଥା ଜଟିଳ ହୋଇପଡିଛି । ଯେତେ ନେହୁରା ହେଲେ ମଧ୍ୟ କମ୍ପାନୀ ନଶୁଣି ତାର ମନମାନି ଜାରି ରଖିଛି । ସେହିପରି ମିଶ୍ରିଲାଲ କମ୍ପାନୀର ମନମାନି ପାଇଁ ସ୍ଥାନୀୟ ଅଂଚଳର ଭୂତଳ ଜଳ ଦିନକୁ ଦିନ କମିବାରେ ଲାଗିଛି । ଫଳରେ ସ୍ଥାନୀୟ ଅଞ୍ଚଳରେ ଜଳ ସମସ୍ୟା ଦେଖାଦେଉଛି । ଉଚ୍ଚ କ୍ଷମତା ସମ୍ପନ୍ନ ମେସିନ ଲଗାଇ ଭୂତଳ ଜଳକୁ କମ୍ପାନୀ କାର୍ଯ୍ୟରେ ବ୍ୟବହାର କରୁଛି । ଯାହା ସରକାରଙ୍କ କମ୍ପାନୀ ନୀତି ବିରୁଦ୍ଧ । ଯାହାକୁ ପ୍ରାୟ କିଛି ମାସ ତରଫରୁ ମିଶ୍ରିଲାଲ କମ୍ପାନୀର ଜନ ଶୁଣାଣିରେ ସ୍ଥାନୀୟ ବାସିନ୍ଦା ବିରୋଧ କରିଥିଲେ । କାରଖାନାରେ କାର୍ଯ୍ୟ କରୁଥିବା ଶ୍ରମିକ ମାନଙ୍କ ସୁରକ୍ଷା ପାଇଁ ସେମିତି କିଛି ବ୍ୟବସ୍ଥା କରାଯାଉ ନାହିଁ । ଶ୍ରମିକ ସୁରକ୍ଷା ପାଇଁ ଜୋତା ଠାରୁ ଆରମ୍ଭ କରି ସେପ୍ଟି ଜ୍ୟାକେଟ ଦିଆଯାଉ ନାହିଁ । ପୁଣିବଡ଼ ଗୁରୁତର କଥା କି କମ୍ପାନୀରେ କାର୍ଯ୍ୟ କରୁଥିବା ଶ୍ରମିକ ମାନଙ୍କ ପାଇଁ କୌଣସି କ୍ୟାଣ୍ଟିନ୍ର ବ୍ୟବସ୍ଥା ନାହିଁ । ଯେଉଁଥି ପାଇଁ କମ୍ପାନୀରେ କାର୍ଯ୍ୟ କରୁଥିବା ଶ୍ରମିକ ଖାଇବା ପାଇଁ ସ୍କୁଲର ଛାତ୍ରଛାତ୍ରୀଙ୍କ ପରି ମଧ୍ୟାହ୍ନରେ ଘରକୁ ଖାଇବାକୁ ଯାଉଛନ୍ତି । ଏଠାରେ ପ୍ରଶ୍ନ ଉଠିଛି କି ଯଦି ମଧ୍ୟାହ୍ନ ରେ ଘରକୁ ଖାଇବାକୁ ଯାଉଥିବା ବେଳେ ଯଦି କମ୍ପାନୀ ପରିସର ବାହାରେ କୌଣସି ଅଘଟଣ ଶ୍ରମିକ ମାନଙ୍କ କ୍ଷେତ୍ରରେ ଘଟୁଛି ତେବେ ସେ କ୍ଷେତ୍ରରେ କମ୍ପାନୀ ଏହାକୁ ଗ୍ରହଣ କରୁ ନାହିଁ । ଯଦି କମ୍ପାନୀ ଏହାକୁ ଗ୍ରହଣ କରୁ ନାହିଁ ତେବେ କମ୍ପାନୀ ତରଫରୁ ଶ୍ରମିକ ମାନଙ୍କ ଖାଇବା ପାଇଁ କାହିଁକି କ୍ୟାଣ୍ଟିନ୍ କରାଯାଉନାହିଁ? ଏହାକୁ ନେଇ ଶ୍ରମିକ ମାନଙ୍କ ମଧ୍ୟରେ ଅସନ୍ତୋଷ ରହିଛି । ବାରମ୍ବାର ଶ୍ରମିକ ମାନଙ୍କୁ ଦାବିକୁ ଅଣଦେଖା କରୁଛି କମ୍ପାନୀ । ଏଠାରେ କହିରଖୁଛୁ କି ରାକେଶ ରାୟ ତାଙ୍କ ପିତାମାତାଙ୍କ ଏକ ମାତ୍ର ପୁଅ । ସେ ମଧ୍ୟ ତାଙ୍କ ପରିବାରର ଏକ ମାତ୍ର ରୋଜଗାରକ୍ଷମ ଥିଲେ । ତାଙ୍କ ରୋଜଗାରରେ ପରିବାର ପ୍ରତିପୋଷଣ ହେଉଥିଲା । ତାଙ୍କର ଏଅବସ୍ଥାକୁ ଦେଖି ପରିବାର ଲୋକ ଭାଙ୍ଗି ପଡିଛନ୍ତି ।