ଜିଲ୍ଲାସ୍ତରୀୟ ପ୍ରାକୃତିକ ବିପର୍ଯ୍ୟୟ କମିଟି ବୈଠକ

ଯାଜପୁରଟାଉନ : ଶନିବାର ଜିଲା ପରିଷଦ ସମ୍ମିଳନୀ କକ୍ଷ ଠାରେ ଜିଲ୍ଲାସ୍ତରୀୟ ପ୍ରାକୃତିକ ବିପର୍ଯ୍ୟୟ କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ଜିଲାପାଳ ପି. ଅନ୍ୱେଷା ରେଡ୍ଡୀ ଅଧ୍ୟକ୍ଷତା କରି ଆଗାମୀ ସମ୍ଭାବ୍ୟ ବାତ୍ୟା ଓ ବନ୍ୟାର ମୁକାବିଲା ପାଇଁ ପ୍ରଶାସନ ସମ୍ପୂର୍ଣ୍ଣ ସଜାଗ ଓ ପ୍ରସ୍ତୁତ ରହିବା ପାଇଁ ଅଧିକାରୀ ମାନଙ୍କୁ ପରାମର୍ଶ ଦେଇଥିଲେ । ବୈଠକରେ ସାଂସଦ ଡା.ରବୀନ୍ଦ୍ର ନାରାୟଣ ବେହେରା, ବିଞ୍ଝାରପୁର ବିଧାୟିକା ପ୍ରମିଳା ମଲ୍ଲିକ, ଯାଜପୁର ବିଧାୟିକା ସୁଜାତା ସାହୁ, ଜିଲା ପରିଷଦ ସଭାପତି ନଳିନୀପ୍ରଭା ଜେନା, ଉପ ସଭାପତି ଗଣେଶ୍ୱର ବରାଳ ପ୍ରମୁଖ ଯୋଗଦେଇ ନଦୀବନ୍ଧ ସୁଦୃଢ଼ୀକରଣ, ଚୋରାବାଲି ଚାଲାଣ ବନ୍ଦ କରିବା, ଘେରୀବନ୍ଧର ସୁରକ୍ଷା, ଡ଼୍ରେନେଜ୍ ଗୁଡିକ ସଫା ରଖିବା ସମ୍ପର୍କରେ ଗୁରୁତ୍ୱ ଆରୋପ କରିଥଲେ । ଅତିରିକ୍ତ ଜିଲାପାଳ, ରାଜସ୍ୱ ତଥା ମୁଖ୍ୟ ନିର୍ବାହୀ ଅଧିକାରୀ, ଜିଲା ବିପର୍ଯୟ ପରିଚାଳନା କର୍ତୁପକ୍ଷ ଶିବାନନ୍ଦ ସ୍ୱାଇଁ କାର୍ଯ୍ୟସୂଚୀ ଅନୁଯାୟୀ ପୁଙ୍ଖାନୁପୁଙ୍ଖ ଆଲୋଚନା କରିଥିଲେ । ଜିଲା କାର୍ଯ୍ୟାଳୟ, ବ୍ଲକ୍, ତହସିଲ ଏବଂ ଅନ୍ୟାନ୍ୟ କାର୍ଯ୍ୟାଳୟରେ ୨୪ ଘଣ୍ଟିଆ ନିୟନ୍ତ୍ରଣ କକ୍ଷଖୋଲା ରହିବା, ନଦୀବନ୍ଧ ସୁଦୃଢ଼ୀକରଣ, ପୂର୍ବରୁ ଘାଇ ହୋଇଥିବା ନଦୀ ଓ କେନାଲ ବନ୍ଧ ମରାମତି, ଡ୍ରେନ ଗୁଡିକ ସଫା ରଖିବା, ବର୍ଷା ପରିମାଣ ରେକର୍ଡ କରିବା, ପାଣିପାଗ ସୂଚନା ଦେବା, ୱାୟରଲେସ ଷ୍ଟେସନ କାର୍ଯ୍ୟକାରିତା, ଟେଲି ଯୋଗାଯୋଗ, ପାୱାର ବୋଟ ଓ କଣ୍ଟ୍ରିବୋଟ ନିୟୋଜିତ କରିବା, ଅସୁରକ୍ଷିତ/ଆଭ୍ୟନ୍ତରୀଣ ଅଞ୍ଚଳରେ ଖାଦ୍ୟ ସୁରକ୍ଷିତ ରଖିବା, ଶୁଖିଲା ଖାଦ୍ୟ, ଜରୁରୀ ସାମଗ୍ରୀ ମହଜୁଦ ରଖିବା, ଶୁଦ୍ଧ ପାନୀୟ ଜଳ ଯୋଗାଣ, ବନ୍ୟା ଓ ବାତ୍ୟା ଆଶ୍ରୟ ସ୍ଥଳୀର ଜିନିଷ ପତ୍ର ସହ ପଲିଥିନ ସିଟ୍, ଟେଂଟ, ବନ୍ୟା ଅଂଚଳରେ ଫସଲ ସୁରକ୍ଷା, ବନ୍ୟା ଅଂଚଳରେ ସ୍ୱାସ୍ଥ୍ୟ ସୁରକ୍ଷା, ଗୋରୁ ଗାଇଙ୍କ ପାଇଁ ଗୋଖାଦ୍ୟ ମହଜୁଦ ରଖିବା, ୨୬ଟି ବନ୍ୟା ଓ ବାତ୍ୟା ଆଶ୍ରୟସ୍ଥଳୀ ପ୍ରସ୍ତୁତ ରଖିବା, ସ୍କୁଲ୍ ଗୃହ, କମୁ୍ୟନିଟି ହଲ, ଅଙ୍ଗନୱାଡି କେନ୍ଦ୍ର ଭଳି ଅସ୍ଥାୟୀ ଆଶ୍ରୟସ୍ଥଳୀ ଗୁଡିକରେ ପିଇବା ପାଣି ଓ ପରିମଳ ବ୍ୟବସ୍ଥା ସୁନିଶ୍ଚିତ କରିବା, ତଳିଆ ଅଂଚଳ, ଜଳମଗ୍ନ ଅଂଚଳ ଚିହ୍ନଟ କରାଯାଇ ଲୋକମାନଙ୍କୁ ସ୍ଥାନାନ୍ତରଣ, ଓଡରାଫ, ଏନ୍ଡିଆରଏଫ୍, ଅଗ୍ନିସମ ସେବା ନିୟୋଜନ, ହେଲିପ୍ୟାଡ ରିଲିଫ ଓ ଉଦ୍ଧାରକାର୍ଯ୍ୟ ଅତ୍ୟାବଶ୍ୟକୀୟ ବ୍ୟବସ୍ଥା ଯଥା ବିଦୁ୍ୟତ୍, ଟେଲି ଯୋଗାଯୋଗ ଓ ରାସ୍ତାଘାଟ ପୁନରୁଦ୍ଧାର, କ୍ଷେତ୍ରୀୟ ଅଧିକାରୀଙ୍କ ସହିତ ସମନ୍ୱୟ, ସିଭିଲ ସୋସାଇଟି ସଂଗଠନ, ଏସଏଚ୍ଜି ଜନ ପ୍ରତିନିଧିଙ୍କ ସହଯୋଗ, କ୍ଷୟକ୍ଷତି ନିର୍ଦ୍ଧାରଣ, ଟ୍ରାଫିକ ନିୟନ୍ତ୍ରଣ ଏବଂ ବରିଷ୍ଠ ଅଧିକାରୀଙ୍କୁ ତଦାରଖ ଦାୟିତ୍ୱ ସମ୍ପର୍କରେ ପୁଙ୍ଖାନୁପୁଙ୍ଖ ଆଲୋଚନା ହୋଇଥିଲା । ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ, ଜିଲା ପରିଷଦ ଅଶୋକ କୁମାର ବେହୁରିଆ ଧନ୍ୟବାଦ୍ ଅର୍ପଣ କରିଥିଲେ ।ବୈଠକରେ ଉପ ଜିଲ୍ଲାପାଳ ତାପସ ରଞ୍ଜନ ଦେହୁରୀ, ଦୁଇଟି ମୁ୍ୟନିସିପାଲଟିର ଅଧ୍ୟକ୍ଷା ଓ ଅଧ୍ୟକ୍ଷ, ତହସିଲଦାର, ଜିଲାସ୍ତରୀୟ ଅଧିକାରୀ, କ୍ଷେତ୍ରୀୟ ଅଧିକାରୀ ଉପସ୍ଥିତ ଥିଲେ । ପ୍ରାରମ୍ଭରେ ଜିଲ୍ଲା ଜରୁରୀ କାଳୀନ ଅଧିକାରୀ ଅଶୋକ କୁମାର ବେହେରା ସ୍ୱାଗତ ସୂଚନା ପ୍ରଦାନ କରିଥିଲେ ।