ରୋହିତଙ୍କୁ ମୋଟା କହି ହରଡ଼ଘଣାରେ କଂଗ୍ରେସ ନେତ୍ରୀ

 ଭୁବନେଶ୍ୱର :  ଭାରତୀୟ କ୍ରିକେଟ ଦଳର କ୍ୟାପଟେନ୍ ରୋହିତ ଶର୍ମାଙ୍କ ଶାରୀରିକ ଗଠନତା ଉପରେ ବିବାଦୀୟ ବୟାନ ଦେଇ ହରଡ଼ଘଣାରେ ପଡ଼ିଛନ୍ତି କଂଗ୍ରେସ ନେତ୍ରୀ ଶମା ମହମ୍ମଦ । ରୋହିତ ଶର୍ମା ଅତ୍ୟଧିକ ମୋଟା ହୋଇଥିବାରୁ ସେ ଭାରତୀୟ କ୍ରିକେଟ ଟିମ୍ରେ ରହିବା ଉଚିତ ନୁହେଁ ବୋଲି ସୋସିଆଲ୍ ମିଡିଆରେ ପୋଷ୍ଟ କରିଥିଲେ । ଶମାଙ୍କ ଏହି ବିବାଦୀୟ ପୋଷ୍ଟ ଯୋଗୁ ଏବେ ତାଙ୍କୁ ସମାଲୋଚନାର ଶିକାର ହେବାକୁ ପଡ଼ିଛି । ଘଟଣାକୁ ନେଇ କଂଗ୍ରେସ ପକ୍ଷରୁ ତାଙ୍କୁ ସମାଲୋଚନା କରାଯିବାରୁ ସେ ଶେଷରେ ପୋଷ୍ଟକୁ ଡିଲିଟ୍ କରି ଦେଇଥିଲେ ।
ଅପରପକ୍ଷେ ଶମାଙ୍କ ଏଭଳି ବୟାନକୁ ନେଇ ତୃଣମୂଳ କଂଗ୍ରେସ ନେତା ସୌଗତ ରାୟ ନିଜର ପ୍ରତିକ୍ରିୟା ରଖିଛନ୍ତି । ଶମା ଦେଇଥିବା ବୟାନରେ ମୁଁ ସହମତି ବୋଲି କହିବା ସହ ଏହା କୌଣସି ରାଜନୈତିକ ପ୍ରଣୋଦିତ ନୁହେଁ ବରଂ ଏହା ତାଙ୍କର ବ୍ୟକ୍ତିଗତ ମତ ବୋଲି ସୌଗତ କହିଛନ୍ତି । ଏହାସହ ସେ କହିଛନ୍ତି ଯେ, ଭାରତୀୟ ଦଳରେ ରୋହିତ ହିଁ ଏକମାତ୍ର ବ୍ୟକ୍ତି ଯାହାଙ୍କ ଓଜନ ସବୁଠାରୁ ଅଧିକ । ଶାରୀରିକ ସୁସ୍ଥତାକୁ ନେଇ ଦେଖିବାକୁ ଗଲେ ଦଳରେ ବୁମରା ଏବଂ ଶ୍ରେୟାସ ଆୟାର୍ ସବୁଠାରୁ ଫିଟ୍ ଓ ସେମାନେ ଦଳର ନେତୃତ୍ୱ ନେବାକୁ ଯୋଗ୍ୟ ବୋଲି ନିଜ ପ୍ରତିକ୍ରିୟାରେ କହିଛନ୍ତି । ତେବେ ସୌଗତଙ୍କ ଏହି ପ୍ରତିକ୍ରିୟାକୁ ନେଇ ତାଙ୍କ ଦଳ ପକ୍ଷରୁ କୌଣସି ପ୍ରତିକ୍ରିୟା ଜଣାପଡ଼ି ନାହିଁ । ତେବେ ଦୀର୍ଘଦିନ ହେଲା କଂଗ୍ରେସ ଏବଂ ତୃଣମୂଳ କଂଗ୍ରେସ ମଧ୍ୟରେ ଛକାପଞ୍ଝା ଲାଗି ରହିଥିବା ବେଳେ ଏଭଳି ସ୍ଥିତିରେ ଜଣେ କଂଗ୍ରେସ ନେତ୍ରୀଙ୍କ ବୟାନରେ ଟିଏମ୍ସି ନେତାଙ୍କ ସହମତିକୁ ନେଇ ପଶ୍ଚିମବଙ୍ଗ ରାଜନୀତି ପାଣିପାଗରେ ଉଷ୍ଣତା ଦେଖାଦେଇଛି ।