କଂଗ୍ରେସର ରଣନୀତି ୨୭ରେ ବିଧାନସଭା ଘେରାଉ
ଭୁବନେଶ୍ୱର: ମହିଳା ଅତ୍ୟାଚାର ପ୍ରସଙ୍ଗକୁ ନେଇ କଂଗ୍ରେସ ନୂଆ ରଣନୀତି କରିଛି । ବିଧାନସଭା ଭିତରେ ଓ ବାହାରେ ଦଳ ଏହାକୁ ପ୍ରସଙ୍ଗ କରିଥିବାବେଳେ ଆଗାମୀ ୨୭ରେ ବିଧାନସଭା ଘେରିବାକୁ ନିଷ୍ପତ୍ତି ନେଇଛି । ଦଳର ଉଚ୍ଚସ୍ତରୀୟ ବୈଠକରେ ଏହି ନିଷ୍ପତ୍ତି ହୋଇଛି । ସେପଟେ ଲୋକସଭାରେ କୋରାପୁଟ ସାଂସଦ ସପ୍ତଗିରି ଉଲାକା ମହିଳା ଅତ୍ୟାଚାର ଓ ତାରା ବାହିନୀପତିଙ୍କ ନିଲମ୍ବନ ପ୍ରସଙ୍ଗ ଉଠାଇଛନ୍ତି ।
ଆଜି ପ୍ରଦେଶ କଂଗ୍ରେସ କାର୍ଯ୍ୟାଳୟ ଠାରେ ସଭାପତି ଭକ୍ତ ଚରଣ ଦାସଙ୍କ ଅଧ୍ୟକ୍ଷତାରେ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ଓଡ଼ିଶା ପ୍ରଭାରୀ ଅଜୟ କୁମାର ଲଲୁ ଓ ବରିଷ୍ଠ ନେତ୍ରୀ ରୋଜାଲିନା ତିର୍କୀ ଯୋଗ ଦେଇଥିଲେ । ବିଜେପି ଶାସନ ସମୟରେ ନାରୀ ଓ କୋମଳମତି ବାଳିକାଙ୍କ ଉପରେ ହେଉଥିବା ଅତ୍ୟାଚାର ଓ ଦୁଷ୍କର୍ମ ବିରୋଧରେ ଦଳ ଆହୁରି ପ୍ରଭାବୀ ଢଙ୍ଗରେ ଆନେ୍ଦାଳନକୁ ଓହ୍ଲାଇବା ପାଇଁ ଆହ୍ୱାନ ଦେଇଥିଲେ ।
ବିଧାନସଭା ଭିତରେ କଂଗ୍ରେସ ବିଧାୟକମାନେ ଏହାର ପ୍ରତିବାଦ କରିବାକୁ ଗଲାବେଳେ ସେମାନଙ୍କ ଉପରେ ଆକ୍ରମଣ କରାଯିବା ଓ ବରିଷ୍ଠ ବିଧାୟକ ତାରାଙ୍କୁ ୭ ଦିନ ପାଇଁ ନିଲମ୍ବନ କରିବା ଘଟଣାକୁ ଭକ୍ତ ନିନ୍ଦା କରିବା ସହିତ ଏହାର ଦୃଢ଼ ପ୍ରତିବାଦ କରାଯିବ ବୋଲି ଚେତାବନୀ ଦେଇଥିଲେ । ସେହିପରି କଂଗ୍ରେସ ବିଧାୟକ ଦଳ ନେତା ରାମଚନ୍ଦ୍ର କାଡାମ ମଧ୍ୟ ବିଜେପିକୁ ଟାର୍ଗେଟ୍ କରିଥିଲେ । ଏହି ଅବସରରେ ପୂର୍ବତନ ପିସିସି ସଭାପତି ଜୟଦେବ ଜେନା ଦିବଂଗତଙ୍କ ବିୟୋଗରେ ଶୋକ ପ୍ରସ୍ତାବ ଆଗତ କରିଥିଲେ । ବୈଠକରେ ଓଡ଼ିଶାରେ କଂଗ୍ରେସ ଦଳକୁ ଶକ୍ତିଶାଳୀ କରିବା ପାଇଁ ବରିଷ୍ଠ କଂଗ୍ରେସ ନେତାମାନେ ବିଭିନ୍ନ ପ୍ରସ୍ତାବ ଦେଇଥିଲେ । ସାମାଜିକ ନ୍ୟାୟ, ଖଣି ଦୁର୍ନୀତି, ଜାତିଗତ ଜନଗଣନା, ମଦର ପ୍ରସାର, ଓଡ଼ିଶାର ପ୍ରାକୃତିକ ସମ୍ପଦକୁ ଲୁଟ୍, କୃଷକମାନଙ୍କ ସମସ୍ୟା ଓ ପଞ୍ଚାୟତ ନିର୍ବାଚନ ଆଦି ପ୍ରସଙ୍ଗକୁ ନେଇ ଆଲୋଚନା ହୋଇଥିଲା । ସେହିପରି ନାରୀ ନିର୍ଯ୍ୟାତନା ବିରୋଧରେ ଓ ନାରୀ ସଶକ୍ତିକରଣକୁ ମୁଖ୍ୟ ପ୍ରସଙ୍ଗ କରି ଆସନ୍ତା ମାର୍ଚ୍ଚ ୨୭ରେ ବିଧାନସଭା ଘେରିବା ପାଇଁ ବୈଠକରେ ସର୍ବସମ୍ମତ ନିଷ୍ପତ୍ତି ହୋଇଥିଲା । ଆଜିର ଏହି ବୈଠକରେ ବରିଷ୍ଠ ନେତା ଗିରିଧର ଗମାଙ୍ଗୋ, ନିରଞ୍ଜନ ପଟ୍ଟନାୟକ, ପ୍ରସାଦ ହରିଚନ୍ଦନ, ଶ୍ରୀକାନ୍ତ ଜେନା, ଜଗନ୍ନାଥ ପଟ୍ଟନାୟକ, ଅନନ୍ତ ପ୍ରସାଦ ସେଠୀ, ରାମଚନ୍ଦ୍ର ଖୁଟିଆ, ତାରା ବାହିନୀପତି, ସବୁ କଂଗ୍ରେସ ବିଧାୟକ, ସୁରେଶ ରାଉତରାୟ, ସନ୍ତୋଷ ସିଂ ସାଲୁଜା, ଦେବାଶିଷ ପଟ୍ଟନାୟକ, ମହମ୍ମଦ ମୁକିମ୍, ବିଶ୍ୱରଞ୍ଜନ ମହାନ୍ତି, ନବଜ୍ୟୋତି ପଟ୍ଟନାୟକ, ମାନସ ଚୌଧୁରୀ, ଉଦିତ ନାରାୟଣ ପ୍ରଧାନ, ମୀନାକ୍ଷୀ ବାହିନୀପତି, ରଞ୍ଜିତ ପାତ୍ର ପ୍ରମୁଖ ଉପସ୍ଥିତ ଥିଲେ ।