ବଢୁଛି ସାଇବର ଠକେଇ, ୫ ବର୍ଷରେ ୬୦ ମାମଲା

 ନୂଆପଡ଼ା: ନୂଆପଡ଼ା ଜିଲ୍ଲାରେ ଦିନକୁ ଦିନ ସାଇବର ଠକେଇ ବଢ଼ିବାରେ ଲାଗିଛି । ଏଭଳି ୫ବର୍ଷରେ ୬୦ ଗୋଟି ମାମଲା ରୁଜୁ ହୋଇଥିବାବେଳେ ହାରାହାରି ୮୫ଲକ୍ଷ ଟଙ୍କା ଠକେଇ ହୋଇଥିବା ଅଭିଯୋଗ ହୋଇଛି ।
 ଗତ ୨୦୨୦ରେ ୧୩ଟି ମାମଲାରେ ୧୩ଲକ୍ଷ ୨୧ହଜାର ୩୭୧ ଟଙ୍କା, ୨୦୨୧ରେ ୧୩ଟି ମାମଲାରେ ୨୭ଲକ୍ଷ ୬୬ହଜାର ୩୭୦ଟଙ୍କା, ୨୦୨୨ରେ ୧୧ଟି ମାମଲାରେ ୧୪ଲକ୍ଷ ୫ହଜାର ୫୭ଟଙ୍କା, ୨୦୨୩ରେ ୨୦ଟି ମାମଲାରେ ୧୮ଲକ୍ଷ ୨୮ହଜାର ୯୫୯ଟଙ୍କା, ୨୦୨୪ରେ ୩ଟି ମାମଲାରେ ୧୧ଲକ୍ଷ ୯୩ହଜାର ୮୯୦ ଟଙ୍କା ଠକେଇ ହୋଇଥିବା ଜିଲ୍ଲାର ବିଭିନ୍ନ ଥାନାରେ ଲିଖିତ ଅଭିଯୋଗ ହୋଇଛି । ଗରିବ, ମଧ୍ୟବିତ୍ତ ଶ୍ରେଣୀର ଲୋକେ ଠକେଇ ଶିକାର ହୋଇ ସର୍ବସ୍ୱାନ୍ତ ହେଉଛନ୍ତି । ଏ ନେଇ ପୁଲିସ ପ୍ରଶାସନ ନିକଟରେ ଅଭିଯୋଗ ଦାଖଲ କରିଥିଲେ ବି ବର୍ଷବର୍ଷ ଧରି ଅଭିଯୋଗ ଫାଇଲ୍ ତଳେ ଚାପି ହୋଇ ରହୁଛି । ଘଟଣାର ତଦନ୍ତ କରି ସାଇବର ଠକଙ୍କୁ ଗିରଫ କରିବା ବଦଳରେ ପୁଲିସ ହାତ ବାନ୍ଧି ବସୁଥିବା ଅଭିଯୋଗ ହେଉଛି । ଏକାଉଣ୍ଟରୁ ଥରେ ଟଙ୍କା କଟିଗଲେ ଫେରି ପାଇବା କଷ୍ଟସାଧ୍ୟ । ଏଭଳି ସ୍ଥିତିରେ  ଅନେକ ଲୋକେ ଠକେଇର ଶିକାର ହେଉଥିଲେ ବି ପୁଲିସ ନିକଟରେ ଅଭିଯୋଗ କରୁନାହାନ୍ତି । ଏଠାରେ ଅଭିଯୋଗ କଲେ ବି କୌଣସି ସୁଫଳ ମିଳୁନଥିବାରୁ ପୁଲିସ ଉପରୁ ଲୋକଙ୍କ ଆସ୍ଥା ତୁଟିଯାଉଛି । ଜିଲ୍ଲାର ୬୦ଟି ମାମଲାରୁ କେବଳ ଗୋଟିଏ ମାମଲାରେ ପୁଲିସକୁ ସଫଳତା ମିଳିଛି । ପ୍ରକାଶଥାଉକି, ଗତ ଡିସେମ୍ବର ୮ରେ ବୋଡ଼ନ ଥାନା ବରଗାଁର ଭବେଶ କୁମାର ମେହେରଙ୍କ ମୋବାଇଲକୁ ଇସିମ୍ ପାଇଁ ଏକ ମେସେଜ ଆସିଥିଲା । ମେସଜକୁ ଭବେଶ କ୍ଲିକ କରିବାରୁ ଟଙ୍କା କଟିବା ଆରମ୍ଭ ହୋଇଥିଲା । ଏଭଳି ଦୁଇ ଦିନରେ ୧୨ଟି କିସ୍ତିରେ ୧ଲକ୍ଷ ୭୮ହଜାର ଟଙ୍କା କଟି ଯାଇଥିଲା । ଉକ୍ତ ଟଙ୍କାକୁ ଠିକ୍ ଆମାଜନ ଆପ୍ ଜରିଆରେ ସାମଗ୍ରୀ କିଣିଥିଲା । ଡିସେମ୍ବର ୧୩ରେ ବୋଡେନ ଥାନାରେ ଭବେଶ ଏନେଇ ଲିଖିତ ଅଭିଯୋଗ କରିଥିଲେ । ଏସପି ଜିଆର ରାଘବେନ୍ଦ୍ରଙ୍କ ତତ୍ତ୍ୱାବଧାନରେ ଏକ ସ୍ୱତନ୍ତ୍ର ପୁଲିସ ଟିମ ଗଠନ କରାଯାଇ ଘଟଣାର ତଦନ୍ତ କରାଯାଇଥିଲା । ପରେ ପୁଲିସ ଉକ୍ତ ଠକକୁ ଚିହ୍ନଟ କରିବା ସହ ଠିକଣା ବାହାର କରିଥିଲା  । ଉକ୍ତ ତଥ୍ୟ ଆଧାରରେ ପୁଲିସର ସ୍ୱତନ୍ତ୍ର ଟିମ୍ ଝାରଖଣ୍ଡ ରାଜ୍ୟ ଦେବଘର ସହରରୁ ଅଭିଜିତ ମେହେରାଙ୍କୁ ଗିରଫ କରି ୫ଟି ବ୍ୟାଙ୍କ ଏକାଉଣ୍ଟକୁ ଜବତ କରି ଫ୍ରିଜ କରିଥିଲା । ଅଭିଯୁକ୍ତ ଅଭିଜିତର ଏକାଉଣ୍ଟରେ ପ୍ରାୟ ୨ଲକ୍ଷ ଟଙ୍କା ଜମା ରହିଥିଲା  । ଜମା ଟଙ୍କାକୁ ବ୍ୟାଙ୍କ ସହାୟତାରେ ଉଠାଣ କରି ଠକେଇର ଶିକାର ଯୁବକଙ୍କୁ ଦିଆଯିବ ବୋଲି ଏସ୍ପି ଶ୍ରୀ ରାଘବେନ୍ଦ୍ର ପ୍ରକାଶ କରିଛନ୍ତି । ତେବେ ଅନ୍ୟ ମାମଲା ଗୁଡ଼ିକର ମଧ୍ୟ ତଦନ୍ତ କରି ଠକଙ୍କୁ ଠାବ କରିବାକୁ ଜିଲ୍ଲା ପୁଲିସ ନିକଟରେ ଦାବି ହେଉଛି । ଗତବର୍ଷ ସାଇବର କ୍ରାଇମ ଉପରେ ସଚେତନ ସପ୍ତାହ ପାଳନ ହୋଇଥିଲା । ଏଣୁ ଦୟାକରି ମିଥ୍ୟା ମେସଜ ଲିଙ୍କକୁ କ୍ଲିକ କରନ୍ତୁ ନାହିଁ ଓ ତାକୁ ଡିଲିଟ କରିଦିଅନ୍ତୁ ।  ଏଭଳି କିଛି ମେସେଜ କିମ୍ବା ଫୋନ କଲ ଆସିଲେ ପୁଲିସର ସହାୟତା ନେବାକୁ ଏସ୍ପି ଶ୍ରୀ ରାଘବେନ୍ଦ୍ର ଅନୁରୋଧ କରିଛନ୍ତି ।