ବରିଷ୍ଠ ସାମ୍ବାଦିକଙ୍କ ପରଲୋକ 

  କୋଣାର୍କ :  କୋଣାର୍କ ଅଞ୍ଚଳର ବରିଷ୍ଠ ସାମ୍ବାଦିକ ତ୍ରିବିକ୍ରମ ରାମକୃଷ୍ଣ ମହାପାତ୍ର(୬୬)ଙ୍କର ପରଲୋକ ହୋଇଯାଇଛି । ସେ ଗତ କିଛି ଦିନ ହେଲା ଅସୁସ୍ଥ ଥିବାରୁ ଭୁବନେଶ୍ୱର ସମ୍ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ । ଗତ ବୁଧବାର ପୂର୍ବାହ୍ନରେ ତାଙ୍କ ମୃତୁ୍ୟ ଖବର ପ୍ରଚାରିତ ହେବା ପରେ କୋଣାର୍କ ଓ ଏହାର ଆଖପାଖ ଅଞ୍ଚଳରେ ଶୋକରେ ଛାୟା ଖେଳିଯାଇଥିଲା । ସେ ଦୀର୍ଘ ୪୦ବର୍ଷ ଧରି ସାମ୍ବାଦିକତା କ୍ଷେତ୍ରରେ ପୁରୀ ଜିଲ୍ଲାରେ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିଲେ । ସାମ୍ବାଦିକ ତ୍ରିବିକ୍ରମଙ୍କ ପରଲୋକରେ ନିମାପଡ଼ା ପୂର୍ବତନ ବିଧାୟକ ସମୀର ରଞ୍ଜନ ଦାଶ, କାକଟପୁର ବିଧାୟକ ତୁଷାରକାନ୍ତ ବେହେରା, ବିଜୁଜନତା ଦଳର ପୂର୍ବତନ ସାଧାରଣ ସଂପାଦକ ସତ୍ୟବ୍ରତ ପାତ୍ର, ପୁରୀଜିଲ୍ଲା ପରିଷଦ ଉପାଦକ୍ଷ ସ୍ୱାଧୀନ କୁମାର ନାୟକ, କାକଟପୁର ପୂର୍ବତନ ବିଧାୟକ ସୁରେନ୍ଦ୍ର ସେଠୀ, ଉକôଳ ସାମ୍ବାଦିକ ସଂଘ ରାଜ୍ୟ ସଭାପତି ବିଭୂତି ଭୁଷଣ କର, କୋଣାର୍କ ଏନ୍ଏସି ଅଧ୍ୟକ୍ଷା ସଂଯୁକ୍ତା ତ୍ରିପାଠୀ, କୋଣାର୍କ ନଗର ବିଜେଡି ସଭାପତି ଗୋପାଳ ଚନ୍ଦ୍ର ବେହେରା, ପୁରୀ ଜିଲ୍ଲା ସାମ୍ବାଦିକ ସଂଘ ସଭାପତି ଅକ୍ଷୟ କୁମାର ନାୟକ, କୋଣାର୍କ ପ୍ରେସ କ୍ଲବ, କୋଣାର୍କ ସାମ୍ବାଦିକ ସଂଘ,ଗୋପ ସାମ୍ବାଦିକ ସଂଘ, ନିମାପଡ଼ା ପ୍ରେସ କ୍ଲବ, ଚାରିଛକ ସାମ୍ବାଦିକ ସଂଘ, କାକଟପୁର ପ୍ରେସ କ୍ଲବ, ଅସ୍ତରଙ୍ଗ ସାମ୍ବାଦିକ ସଂଘ ସମେତ ବିଭିନ୍ନ ସାମାଜିକ ସଂଗଠନର କର୍ମକର୍ତ୍ତା ଓ ବ୍ୟକ୍ତି ବିଶେଷ ଶୋକ ସନ୍ତପ୍ତ ପରିବାର ବର୍ଗଙ୍କ ପ୍ରତି ଗଭୀର ସମବେଦନା ଜଣାଇଛନ୍ତି । ତାଙ୍କ ମରଶରୀର ଭୁବନେଶ୍ୱରରୁ କୋଣାର୍କ ପହଞ୍ଚିବା ପରେ ଶୋଭାଯାତ୍ରାରେ କୋଣାର୍କ ବଜାର ପରିକ୍ରମା କରାଯାଇ କୁରୁଜଙ୍ଗ ଓ ରାଉଳପାଟଣା ନିକଟସ୍ଥ ବାସଭବନକୁ ନିଆଯାଇଥିଲା । ପରେ ପୁରୀ ସ୍ୱର୍ଗଦ୍ୱାର ଠାରେ ଶେଷକୃତ୍ୟ ସମ୍ପନ୍ନ କରାଯାଇଥିଲା । କନିଷ୍ଠ ପୁତ୍ର ସମ୍ପଦ ମହାପାତ୍ର ମୁଖାଗ୍ନି ଦେଇଥିଲେ ।