ଅସହାୟ ପରିବାରକୁ ସହାୟତା ଦାବି
ରାଜକନିକା : ପରିବାରର ଦାୟାଦ ଭାବେ ପୁଅ ପାଇଁ ଲୋକେ ମାନସିକ କରିଥାନ୍ତି । ଅବଶ୍ୟ ଆଜି ଦିନରେ ଝିଅ-ପୁଅ ମଧ୍ୟରେ ଫରକ୍ ନାହିଁ । ତଥାପି କୂଳରକ୍ଷା ପାଇଁ ପୁଅର ଆବଶ୍ୟକତା ନ୍ୟାୟରେ ପୁଅ ହିଁ ଜନ୍ମ ନେଲା । ହେଲେ ଜନ୍ମରୁ ସମ୍ପୂର୍ଣ୍ଣ ବିକଳାଙ୍ଗ । ଦଇବ ଯେମିତି ଦାଉ ସାଧିଲା । ତଥାପି ଭାଗ୍ୟ ଓ ବିଧାତାକୁ ସାକ୍ଷୀ ରଖି ବଡ ହେଲା । ହେଲେ ନା' ସେ କଥା କହିପାରୁଛି, ନା' ସେ ଶୁଣିପାରୁଛି, ନା' ମସ୍ତିଷ୍କ କାମ କରୁଛି, ନା' ସେ ଠିକରେ ନିଜର ନିତ୍ୟକର୍ମ କରିିପାରୁଛି । ସରକାରୀ ସହାୟତା କହିଲେ କେବଳ ବିକଳାଙ୍ଗ ଭତ୍ତା ମାତ୍ର ୧୨ଶହ ଟଙ୍କା । ବ୍ଲକ ସଦର ବାଘବୁଦା ପଞ୍ଚାୟତ ଆରସା ଗାଁର ବୈଦ୍ୟନାଥ ସାହୁଙ୍କ ଏକମାତ୍ର ପୁଅ ବିକାଶ ଚନ୍ଦ୍ର ସାହୁ(୧୩) । ଏକ ଭଙ୍ଗା ଦଦରା ଝାଟିମାଟି କୁଡିଆରେ ରହିଆସୁଛନ୍ତି ବୈଦ୍ୟନାଥଙ୍କ ପରିବାର । ପରିବାର କହିଲେ ସ୍ତ୍ରୀ କୁନିତା, ଅକ୍ଷମ ପୁଅ ବିକାଶ ଓ ୫ ବର୍ଷର ଝିଅ । ବୈଦ୍ୟନାଥ ପରଘରେ ମୂଲ ଲାଗିଲେ ନିଜଘରେ ଚୁଲି ଜଳେ । କେବେ କେମିତି କାମ ନ ମିଳିଲେ ଉପବାସରେ ରହିବାକୁ ପଡେ । ସରକାରୀ ସହାୟତା କହିଲେ ପରିବାରର ୩ ଜଣକୁ ମାସିକ ୧୫ କିଲୋ ଚାଉଳ । ଝିଅର ନାମ ରାସନ କାର୍ଡରେ ଉଠିନାହିଁ । ଅରକ୍ଷିତକୁ ଦଇବା ସାହା ନ୍ୟାୟରେ କଷ୍ଟେମଷ୍ଟେ ଚଳିଯାଏ ପରିବାର । ପୁଅ ସମ୍ପୂର୍ଣ୍ଣ ଅକ୍ଷମ ହୋଇଥିଲେ ମଧ୍ୟ କେନ୍ଦ୍ରାପଡା ମେଡିକାଲ କର୍ତ୍ତୃପକ୍ଷଙ୍କ ପକ୍ଷରୁ ତାଙ୍କୁ ୭୫% ଅକ୍ଷମତାର ପ୍ରମାଣ ପତ୍ର ଯୋଗାଇ ଦିଆଯାଇଛି । ଯଦି ସମ୍ପୂର୍ଣ୍ଣ ଅକ୍ଷମତାର ପ୍ରମାଣ ପତ୍ର ମିଳିଥିଲେ, ପୁଅ ଅଧିକ ଭତ୍ତା ପାଇପାରନ୍ତା । ପେଟ ପାଇଁ ସଂଘର୍ଷ କରୁଥିବାବେଳେ ଘର କଥା ନ କହିବା ଭଲ । ଆବାସ ଯୋଜନାରେ ଘର ଖଣ୍ଡେ ମିଳିପାରିଲେ ପରିବାର ଖରା, ବର୍ଷା, ଶୀତ ଦାଉରୁ ରକ୍ଷା ପାଇପାରନ୍ତେ ବୋଲି ବୈଦ୍ୟନାଥ କହିଛନ୍ତି । ତେବେ ଏଭଳି ପରିସ୍ଥିତିରେ ଏହି ଗରିବ ପରିବାରକୁ ସରକାର କେବେ ସରକାରୀ ଯୋଜନାରେ ସହାୟତା ଯୋଗାଇ ଦେଉଛନ୍ତି କେବଳ ତାହା ଅପେକ୍ଷା ।