ଜଗନ୍ନାଥ ମନ୍ଦିର ନିର୍ମାଣ ପ୍ରସ୍ତୁତି ବୈଠକ

କୁଆଖିଆ : ବେରୁଦା ପଞ୍ଚାୟତ ଜଗତପୁର ଠାରେ ନିର୍ମାଣାଧିନ ଜଗନ୍ନାଥ ମନ୍ଦିର ସମ୍ପୁର୍ଣ୍ଣ କରିବା ଲାଗି ମନ୍ଦିର ଟ୍ରଷ୍ଟ ପକ୍ଷରୁ ପ୍ରସ୍ତୁତି ବୈଠକ ସଭାପତି ଧର୍ମେନ୍ଦ୍ର ନାୟକଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ମନ୍ଦିର ନିର୍ମାଣର ପୂର୍ଣ୍ଣାଙ୍ଗ ନିମିତ ଆଲୋଚନା ହୋଇଥିଲା । ମନ୍ଦିର ଖରସ୍ରୋତା ନଦୀ କୁଳରେ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଥିବା ବେଳେ ନଦୀ ପଠାରେ ଥିବା ଆନୁମାନିକ ୮୦ଡେସିମିଲ୍ ଜମି ଉପରେ ମନ୍ଦିର ପାଚେରୀ ନିର୍ମାଣ ହୋଇଛି । ମନ୍ଦିରର ଉଚ୍ଚତା ପ୍ରାରମ୍ଭିକ ପର୍ଯ୍ୟାୟରେ ୭୦ଫୁଟ ରହିବ ବୋଲି ସ୍ଥିର ହୋଇଥିଲା । ଆମେରିକାରେ ଅବସ୍ଥାପିତ ସ୍ଥାନୀୟ ନେଳିପୁର ଗ୍ରାମର ପ୍ରବାସୀ ଭାରତୀୟ ଡାକ୍ତର ଭାସ୍କର ଚନ୍ଦ୍ର ନାୟକଙ୍କ ପୃଷ୍ଠପୋଷକତା ଓ ସ୍ଥାନୀୟ ଲୋକମାନଙ୍କ ସହଯୋଗରେ ମନ୍ଦିର ସମ୍ପୁର୍ଣ୍ଣ ହେବ । ଚଳିତ ବର୍ଷ ରଥଯାତ୍ରା ବେଳକୁ ମନ୍ଦିର କାମ ସାରିବାକୁ ଲକ୍ଷ ଧାର୍ଯ୍ୟ କରାଯାଇଛି । ଏଥିସହିତ ତାଙ୍କ ଅଞ୍ଚଳରେ ଏକ କେନ୍ଦୀୟ ପାଠାଗାର, ଡାକଘର ଓ ବେରୁଦା ଠାରେ ଏକ ଶିଳ୍ପ ତାଲିମ କେନ୍ଦ୍ର ପ୍ରତିଷ୍ଠା ସହିତ ସ୍ଥାନୀୟ ହାଇସ୍କୁଲ୍କୁ ଆଦର୍ଶ ସ୍କୁଲ୍ ଭାବରେ ଉନ୍ନତ କରିବା ତାଙ୍କର ସ୍ୱପ୍ନ ରହିଛି ବୋଲି ନାୟକ ସୂଚନା ପ୍ରଦାନ କରିଥିଲେ । ଏଥିପାଇଁ ଗ୍ରାମବାସୀ ଏବଂ ଆଗ୍ରହୀ ଜଗନ୍ନାଥ ପ୍ରେମୀଙ୍କୁ ନେଇ ଏକ ସମନ୍ୱୟ କମିଟି ଗଠନ ପାଇଁ ବିନୋଦ ବିହାରୀ ନାୟକ ପ୍ରସ୍ତାବ ରଖିଥିଲେ । ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ବଟକୃଷ୍ଣ ସାହୁ, ପ୍ରଫୁଲ୍ଲ ନାୟକ, ଅମୁଲ୍ୟ ବରାଳ, ବଂଶୀଧର ସ୍ୱାଇଁ, ଭରତ ବନ୍ଧୁ ବେହେରା, ଦାମୋଦର ସ୍ୱାଇଁ, ବିଷ୍ଣୁ ଚରଣ ନାୟକ, ଟ୍ରଷ୍ଟ୍ର ମନ୍ଦିର ନୀରିକ୍ଷକ ପ୍ରଭାସ ଚନ୍ଦ୍ର ବାରିକ, ଅଭିମନୁ୍ୟ ପରିଡା ପ୍ରମୁଖ ମତାମତ ରଖିଥିଲେ । ପ୍ରାରମ୍ଭରେ ଟ୍ରଷ୍ଟ ସଦସ୍ୟ ସ୍ୱର୍ଗତ ବିପିନ ବିହାରୀ ନାୟକଙ୍କ ଆତ୍ମାର ସଦଗତି ପାଇଁ ଏକ ମିନିଟ୍ ନିରବ ପ୍ରାର୍ଥନା କରାଯାଇଥିଲା । ନିମାଇଁ ଚରଣ ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ ।