ପୁତୁରାର ଛୁରାମାଡ : ଚିକିତ୍ସାଧିନ ଅବସ୍ଥାରେ ଦାଦାଙ୍କ ମୃତୁ୍ୟ

 ପାପଡାହାଣ୍ଡି : ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ଭିମା ସାହିରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ପୁତୁରାର ଛୁରା ମାଡ଼ରେ ଦାଦାର ମୃତ ଘଟିଛି । ମୃତ ବ୍ୟକ୍ତି ଜଣକ ହେଲେ ରମେଶ ଗୌଡ଼ (୪୫) । ଏ ନେଇ ପାପଡାହାଣ୍ଡି ପୋଲିସ ଅଭିଯୁକ୍ତ ପୁତୁରାକୁ ଥାନାରେ ଅଟକ ରଖିଛି ।
ସୂଚନା ଅନୁଯାୟୀ, ପାପଡାହାଣ୍ଡି ଭିମା ସାହିରେ ରମେଶ ଗୌଡ଼ ସ୍ତ୍ରୀ ନମିତା ସାହୁ ସହ ରୁହନ୍ତି । ରମେଶ ଗୌଡ଼ଙ୍କ ପୁତୁରା କୃଷ୍ଣ ଗୌଡ଼ ଓ ତାଙ୍କ ମା’ ନିତିଦିନ ରମେଶ ଘରକୁ ଖାଇବାକୁ ଯାଆନ୍ତି । ଗତ ଶନିବାର  ରମେଶଙ୍କ ସ୍ତ୍ରୀ ନମିତା ଘରେ ରୋଷେଇ କରିବା ସମୟରେ କୃଷ୍ଣ ଓ ତାଙ୍କ ମା’ ଖାଇବାକୁ ମାଗିଥିଲେ । ରୋଷେଇ ହୋଇନଥିବାରୁ କିଛି ସମୟ ପରେ ଆସିବାକୁ ନମିତା ଦୁହେଁଙ୍କୁ  କହିଥିଲେ । ଏଥିରେ ରାଗି ଯାଇ ଦୁହେଁ ନମିତାକୁ ଗାଳି ଗୁଲଜ କରିବା ସହ କୃଷ୍ଣ ନମିତାକୁ ମାଡ଼ ମାରିଥିଲେ । ନମିତା ତଳେ ପୋଡିଯିବା ଦେଖି ରମେଶ ନମିତାକୁ ଉଦ୍ଧାର କରିଥିଲେ । ଏଥିରେ ନିଜ ପୁତୁରାକୁ ବୁଝେଇବା ଚେଷ୍ଟା କରିଥିଲେ ।  କିନ୍ତୁ ପୁତୁରା ରାଗରେ ଏକ ଧରୁଆ ଛୁରୀ ଆଣି ରମେଶର ମୁଣ୍ଡରେ ଆଘାତ କରିଥିଲେ । ଏହା ପରେ ରମେଶ ଗୁରୁତର ଅବସ୍ଥାରେରେ ତଳେ ଟଳି ପଡିଥିଲେ ।  ଗୁରୁତର ରମେଶକୁ ନମିତା  ଉଦ୍ଧାର କରି ପାପଡାହାଣ୍ଡି ଗୋଷ୍ଠୀ ସ୍ୱାସ୍ଥକେନ୍ଦ୍ର ଠାରେ ଭର୍ତ୍ତି କରିଥିଲେ । ପ୍ରାଥମିକ ଚିକିତ୍ସା ପରେ ସ୍ୱାସ୍ଥ୍ୟ ଅବସ୍ଥା ସଂକଟାପନ୍ନ ରହିଥିବାରୁ ରମେଶକୁ ପ୍ରଥମେ ନବରଙ୍ଗପୁର ଜିଲ୍ଲା ମୁଖ୍ୟ ଚିକିସôାଳୟ ତାହା ପରେ କୋରାପୁଟ ଶହୀଦ ଲକ୍ଷଣ ନାୟକ ମେଡିକାଲକୁ ସ୍ଥାନାନ୍ତର କରାଯାଇଥିଲା । ରବିବାର ସ୍ୱାସ୍ଥ୍ୟାବସ୍ଥା ବିଗିଡିବାରୁ ତାଙ୍କୁ ବ୍ରହ୍ମପୁର ମେଡିକାଲକୁ ସ୍ଥାନାନ୍ତର କରାଯାଇଥିଲା । ହେଲେ ବ୍ରହ୍ମପୁର ଯିବା ସମୟରେ ରାୟଗଡା ନିକଟରେ ତାଙ୍କ ମୃତୁ୍ୟ ଘଟିଥିଲା । ଏ ନେଇ ନମିତା ପାପଡାହାଣ୍ଡି ଥାନାରେ ଲିଖିତ ଅଭିଯୋଗ କରିବା ପରେ ଅଭିଯୋଗକୁ ଭିତ୍ତି କରି  କେସ ନଂ ୮୬/୨୫ରେ ଏକ ହତ୍ୟା ମାମଲା  ରୁଜୁ କରି ଶବ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଥିବା ତଦନ୍ତ ଅଧିକାରୀ ସବ୍ ଇନ୍ସପେକ୍ଟର ସନ୍ତୋଷ କୁମାର ମାଝୀ ସୂଚନା ଦେଇଛନ୍ତି ।