କୃତୀ ବିଦ୍ୟାର୍ଥୀଙ୍କୁ ସମ୍ବର୍ଦ୍ଧନା
ଚାନ୍ଦବାଲି : ଚଳିତ ବର୍ଷ ମାଟ୍ରିକ ପରୀକ୍ଷାରେ ଚାନ୍ଦବାଲି ବ୍ଲକ୍ ଶିବଦୁର୍ଗା ହାଇସ୍କୁଲର ଛାତ୍ରୀ ସ୍ୱୟଂପ୍ରଭା ନାୟକ ସର୍ବାଧିକ ନମ୍ବର ରଖି ଭଦ୍ରକ ଜିଲ୍ଲାରେ ଟପ୍ପର ହୋଇଥିବା ବେଳେ ଅନ୍ୟ ଦୁଇ କୃତି ଛାତ୍ରଛାତ୍ରୀ ଦ୍ୱିତୀୟ ଓ ତୃତୀୟ ସ୍ଥାନ ଅଧିକାର କରିଛନ୍ତି । ଯାହାକୁ ନେଇ ଶିକ୍ଷକ ସମନ୍ୱୟ ସମିତି ଓ ଚାନ୍ଦବାଲି ବରିଷ୍ଠ ନାଗରିକ ପକ୍ଷରୁ ତିନି କୃତି ବିଦ୍ୟାର୍ଥୀଙ୍କୁ ମାନପତ୍ର ଓ ନଗଦ ପୁରସ୍କାର ରାଶି ଦେଇ ସମ୍ବର୍ଦ୍ଧିତ କରାଯିବା ସହ ସେମାନଙ୍କ ଉଜ୍ଜ୍ୱଳ ଭବିଷ୍ୟତ କାମନା କରାଯାଇଛି । ଚାନ୍ଦବାଲିର ଝିଅ ଭଦ୍ରକ ଜିଲ୍ଲାର ଟପ୍ପର ହୋଇ ଚାନ୍ଦବାଲିକୁ ସମଗ୍ର ଓଡ଼ିଶାରେ ପରିଚିତ କରିବା ସହିତ ରାଜ୍ୟରେ ୧୦ ନମ୍ବର ତାଲିକାରେ ତାଙ୍କ ନାମ ସ୍ଥାନ ପାଇଛି ଏବଂ ଏଭଳି କୃତି ବିଦ୍ୟାର୍ଥୀଙ୍କୁ ନେଇ ଚାନ୍ଦବାଲି ବାସୀ ଗର୍ବ କରୁଛନ୍ତି ବୋଲି ଶିକ୍ଷକ, ନେତା ତଥା ବରିଷ୍ଟ ନାଗରିକ ପ୍ରଫୁଲ୍ଲ ଦାସ କହିଛନ୍ତି । ସେହିପରି ଓଷ୍ଟା ପକ୍ଷରୁ ମଧ୍ୟ ତିନିଜଣ କୃତି ବିଦ୍ୟାର୍ଥୀଙ୍କୁ ଶିବଦୁର୍ଗା ହାଇସ୍କୁଲ ପରିସରରେ ସମ୍ମାନିତ କରାଯାଇଥିବା ବେଳେ ଚାନ୍ଦବାଲିର ଝିଅ ଜିଲ୍ଲାରେ ଟପ୍ପର ହେବା ଗର୍ବ ଓ ଗୌରବ ବୋଲି ଓଷ୍ଟାର ଜିଲ୍ଲା ସମ୍ପାଦକ କହିଛନ୍ତି ।