ଚେନ୍ନାଇରେ ଦାଦନ ଶ୍ରମିକଙ୍କ ମୃତୁ୍ୟ
ନୂଆପଡ଼ା : ନୂଆପଡ଼ା ଜିଲ୍ଲାରେ ଦାଦନ ଦୁଃଖ ଥମିବାର ନାଁ ନେଉନି । ଚେନ୍ନାଇରେ କୋମନା ଥାନା କୋନାବିରା ଗାଁର ପୂର୍ଣ୍ଣ ପରାଭୁଏ (୩୨)ଙ୍କ ମୃତୁ୍ୟ ହୋଇଛି । ଗତ ୫ମାସ ତଳେ ପୂର୍ଣ୍ଣ ନିଜ ସ୍ତ୍ରୀ ଓ ୩ ଛୁଆକୁ ଧରି ପେଟପାଟଣା ପାଇଁ ରାଜ୍ୟ ବାହାରକୁ ଦାଦନ ଖଟିବାକୁ ଯାଇଥିଲେ । ତାମିଲନାଡୁ ରାଜ୍ୟ ଚେନ୍ନାଇ ସହର ନିକଟ ଅଦମ ପୁଲିସ ଜିଲ୍ଲା ଥିରୁନିରବୁର ଥାନା ଅଞ୍ଚଳର ଏକ ଇଟାଭାଟିରେ କାମ କରୁଥିଲେ । ଆଜି ପୂର୍ବାହ୍ନରେ କାମ କରୁଥିବା ସମୟରେ ବିଦୁ୍ୟତ୍ ସଂସ୍ପର୍ଶରେ ଆସି ଗୁରୁତର ଆହତ ହୋଇଥିଲେ । ସ୍ଥାନୀୟ ଲୋକେ ତାଙ୍କୁ ଉଦ୍ଧାର କରି ନିକଟ ହସ୍ପିଟାଲରେ ଭର୍ତ୍ତି କରିଥିଲେ । ସେଠାରେ ପୂର୍ଣ୍ଣଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ । ଏ ନେଇ ଥିରୁନିରବୁର ଥାନାରେ ଏକ ମାମଲା ରୁଜୁ କରି ପୁଲିସ ତଦନ୍ତ ଚଳାଇଛି । ଏବେ ଚେନ୍ନାଇରେ ସ୍ତ୍ରୀ ଓ ୩ ଛୁଆ ଅସହାୟ ହୋଇ ପଡିଛନ୍ତି । ଏହି ଖବର ପାଇ ପରିବାର ଲୋକେ ମୃତଦେହ ଆଣିବାକୁ ଚେନ୍ନାଇ ଅଭିମୁଖେ ବାହାରିଛନ୍ତି । ଆସନ୍ତାକାଲି ସକାଳେ ମୃତଦେହ ଧରି ପରିବାର ଲୋକ ଫେରିବେ । ପୂର୍ଣ୍ଣ ଜଣେ ଗରିବ ଶ୍ରେଣୀର ଯୁବକ ହୋଇଥିବାରୁ ସରକାରୀ ସହାୟତା ଯୋଗାଇଦେବାକୁ ଜିଲ୍ଲା ପ୍ରଶାସନ ନିକଟରେ ଦାବି କରିଛନ୍ତି । ସୂଚନାଯୋଗ୍ୟ, ପ୍ରତି ବର୍ଷ ଜିଲ୍ଲାରୁ କାମଧନ୍ଦା ଅଭାବରୁ ହଜାର ହଜାର ଶ୍ରମିକ ପରିବାର ପ୍ରତିପୋଷଣ ପାଇଁ ରାଜ୍ୟ ବାହାରକୁ ଚାଲାଣ ହେଉଛନ୍ତି । ଜିଲ୍ଲା ପ୍ରଶାସନର ମନେରଗା ଭଳି ଅନେକ ଯୋଜନା ସତ୍ତ୍ୱେ ଦାଦନ ଚାଲାଣରେ ରୋକ ଲାଗୁନି । ଗତ ୩ମାସରେ ରାଜ୍ୟ ବାହାରେ ଜିଲ୍ଲାର ୫ରୁ ଅଧିକ ଦାଦନ ଶ୍ରମିକଙ୍କ ମୃତୁ୍ୟ ହୋଇସାରିଛି । ଏହାକୁ ନେଇ ସାଧାରଣରେ ଅସନ୍ତୋଷ ଦେଖାଦେଇଛି । ଏଣୁ ତୁରନ୍ତ ଜିଲ୍ଲାରୁ ଦାଦନ ଚାଲାଣ ରୋକିବା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବାକୁ ସାଧାରଣରେ ଦାବି ହେଉଛି ।