ହାବିଲ୍ଦାରଙ୍କ ପ୍ରେମ ନିବେଦନ, ମାମଲା ରୁଜ୍ଜୁ
କେନ୍ଦ୍ରାପଡ଼ା : ମୁଁ ଲକ୍ଷେ ଟଙ୍କା ଦରମା ପାଉଛି । କଣ ଖାଇବୁ କହ, ଚିକେନ୍ ନା ମଟନ ଯାହା ଖାଇବୁ ସବୁ ଦେବି । ମୋ କଥାରେ ରାଜି ହେଇଯା ରାଣୀ କରି ରଖିବି । ମାର୍ଶାଘାଇ ଥାନା ଅଞ୍ଚଳର ଜଣେ ଅସହାୟ ମହିଳାଙ୍କୁ ଏଭଳି ଅଶିଳ ଇଙ୍ଗିତ କରି ବାରମ୍ବାର ଫୋନରେ କଲ କରି ପ୍ରେମ ନିବେଦନ କରିଛନ୍ତି କୁଦାନଗରୀ ଥାନାରେ କାର୍ଯ୍ୟରତ ହାବିଲଦାର ଅଜୟ ସାହୁ । କେନ୍ଦ୍ରାପଡା ମାର୍ଶାଘାଇ ଥାନା ଅଞ୍ଚଳରେ ଜଣେ ମହିଳାଙ୍କୁ ପ୍ରେମ ନିବେଦନ କରି ମାନସିକ ଓ ଶାରୀରିକ ନିର୍ଯାତନା ଦେଇଛନ୍ତି ଜଣେ କାର୍ଯ୍ୟରତ ପୁଲିସ ହାବିଲଦାର । ହାବିଲଦାରଙ୍କ ବିରୋଧରେ ପୀଡ଼ିତା ମହିଳାଜଣକ ମାର୍ଶାଘାଇ ଥାନାରେ ଏତଲା ଦେଇଛନ୍ତି । ପରେ କେନ୍ଦ୍ରାପଡା ଏସପିଙ୍କୁ ନ୍ୟାୟ ପାଇଁ ଅନୁରୋଧ କରିଛନ୍ତି । ପୁଲିସ ଅଭିଯୋଗ ଆଧାରରେ ଶ୍ରୀ ସାହୁଙ୍କ ବିରୋଧରେ ମାମଲା (କେସ୍ ନଂ-୨୫୩/୨୫, ବିଏସ୍ଏଏସ୍ ଦଫା-୧୨୬(୨), ୭୪, ୭୫, ୭୬, ୭୮, ୭୯, ୨୯୬,୩୫୧ (୩)ରୁଜୁ କରାଯାଇଥିବା ଥାନାଧିକାରୀ ତପନ ନାୟକ ସୂଚନା ଦେଇଛନ୍ତି । ପୀଡ଼ିତା ଅଭିଯୋଗରେ ଦର୍ଶାଇଛନ୍ତି ଯେ, ହାବିଲଦାର ଶ୍ରୀ ସାହୁ ତାଙ୍କ ଅସହାୟତାର ସୁଯୋଗ ନେଇ ସବୁବେଳେ ଫୋନ୍ କରି ପ୍ରେମ ନିବେଦନ କରିବା ସହିତ ଅର୍ଥ ଲୋଭ ଦେଖାଇ ଆସୁଥିଲେ । ଏଭଳି ସ୍ଥିତିରେ ଗତ ଶୁକ୍ରବାର ମାର୍ଶାଘାଇ ଜୁଣ ଛକରେ ହଠାତ୍ ସମ୍ପୃକ୍ତ ହାବିଲଦାରଙ୍କ ସହିତ ତାଙ୍କର ଦେଖା ହୋଇଥିଲା । ହାବିଲଦାର ତାଙ୍କୁ ଅଶ୍ଳୀଳ ଇଙ୍ଗିତ କରିଥିଲେ । ପୁଲିସ କର୍ମଚାରୀ ହୋଇଥିବାରୁ ଭୟରେ ସେ ଚୁପ୍ ରହିଥିଲେ । ପରେ ପୁଣି ସେ ଫୋନ୍ କରି ଲକ୍ଷେ ଟଙ୍କା ଦରମା ପାଉଛି ପାସବୁକ ବହି ଦେଖାଇ ଥିଲେ ମୋ କଥାରେ ରାଜି ହେବାକୁ କହିଥିଲେ । ଏପରିକି ତାଙ୍କ ଶରୀରକୁ ନେଇ ଅନ୍ୟ ଜଣେ ସମ୍ପର୍କୀୟ ଭଉଣୀଙ୍କ ଆଗରେ ଖରାପ କଥା କହିବା ସହିତ ରାଜି ନ ହେଲେ ଜୀବନରୁ ମାରିଦେବାକୁ ହାବିଲଦାର ଧମକ ଦେଇଥିବା ପୀଡ଼ିତା ଅଭିଯୋଗରେ ଉଲ୍ଲେଖ କରିଛନ୍ତି ।