ସଡ଼କ ଦୁର୍ଘଟଣାରେ ଯୁବ ସରପଞ୍ଚଙ୍କ ମୃତୁ୍ୟ

ପଟ୍ଟାମୁଣ୍ଡାଇ :  ପଟ୍ଟାମୁଣ୍ଡାଇ ବ୍ଲକର ଅନ୍ୟତମ ଲୋକପ୍ରିୟ ନୀଳକଣ୍ଠପୁର ପଞ୍ଚାୟତର ଯୁବ ସରପଞ୍ଚ ଜ୍ଞାନରଞ୍ଜନ ଖଣ୍ଡାୟୀଙ୍କର( ୪୬ ) ଏକ ସଡ଼କ ଦୁର୍ଘଟଣାରେ ମୃତୁ୍ୟ ହୋଇଯାଇଛି  । ଖବର ପ୍ରଚାରିତ ହେବା ପରେ ପଟ୍ଟାମୁଣ୍ଡାଇର ବିଭିନ୍ନ ମହଲରେ ଶୋକ ପ୍ରକାଶ ପାଇଛି । ପ୍ରକାଶ ଯେ, ଗତକାଲି ଅପରାହ୍ନରେ ଶ୍ରୀ ଖଣ୍ଡାୟୀ ନିଜ ବୁଲେଟ ଯୋଗେ କେନ୍ଦ୍ରାପଡ଼ା ଅଭିମୁଖେ ଯାଉଥିବା ସମୟରେ ଚୂନଢିହ ଠାରେ ବିପରୀତ ଦିଗରୁ ଦ୍ରୁତ ବେଗରେ ଆସୁଥିବା ଏକ ଟାଟା ପିକ ଅପ ଭ୍ୟାନ ତାଙ୍କୁ ମୁଁହାମୁହିଁ ଧକ୍କା ଦେଇଥିଲା  । ଯାହାଫଳରେ ଶ୍ରୀ ଖଣ୍ଡାୟୀ ବୁଲେଟ ମୋଟର ସାଇକେଲରୁ ଛିଡକି ରାସ୍ତା ଉପରେ ପଡି ଯିବା ପରେ ପିକ ଅପ ଭ୍ୟାନଟି ତାଙ୍କ ଉପରେ ଚଢି ଯିବାରୁ ତାଙ୍କ ବାମ ହାତ କହୁଣୀ ପାଖରୁ ହାତ କଟି ଯାଇ ପ୍ରଚୁର ରକ୍ତସ୍ରାବ ହୋଇଥିଲା ଓ ତାଙ୍କ ବାମ ହାତ ପ୍ରାୟ କଟି ଯାଇଥିଲା  । ପରେ ଆମ୍ବୁଲାନ୍ସ ଯୋଗେ ତାଙ୍କୁ କଟକ ଅଶ୍ୱିନୀ ହସ୍ପିଟାଲ ନିଆଯାଇଥିଲା । ଖବର ପାଇ କେନ୍ଦ୍ରାପଡ଼ା ବିଧାୟକ ଗଣେଶ୍ୱର ବେହେରା, ପଟ୍ଟାମୁଣ୍ଡାଇ ବ୍ଲକ ଅଧକ୍ଷ ପ୍ରଦ୍ୟୁମ୍ନ ସାମନ୍ତରାୟ, ସରପଂଚ ସଂଘ ସଭାନେତ୍ରୀ ଲଷ୍ମୀପ୍ରିୟା ଷଢଙ୍ଗୀ ସମ୍ପାଦକ ପ୍ରିୟବ୍ରତ ଓଝା ପ୍ରମୁଖ ପହଂଚି ତାଙ୍କର ଚିକିତ୍ସା ବ୍ୟବସ୍ଥା କରିଥିଲେ । ମାତ୍ର କଟକ ଅଶ୍ୱିନୀ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ରାତି ୧୧ଟା ୫୫ମିନିଟ ସମୟରେ ହୃଦଘାତରେ ଜ୍ଞାନରଞ୍ଜନଙ୍କ ମୃତ୍ୟୁ ଘଟିଥିଲା ।