ସଂଘବଦ୍ଧ ଆକ୍ରମଣରେ ଜଣଙ୍କ ମୃତୁ୍ୟ ଘଟଣା , ଭାଇ-ଭଉଣୀ ୩ କୋର୍ଟ ଚାଲାଣ
ାା ପ୍ରଭାନୁ୍ୟଜ ।ା ବ୍ରହ୍ମବରଦା: ସଂଘବଦ୍ଧ ଆକ୍ରମଣରେ ଜଣକର ମୃତୁ୍ୟ ଘଟଣାରେ ବ୍ରହ୍ମବରଦା ପୁଲିସ ୩ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । କୋର୍ଟ ଚାଲାଣ ହୋଇଥିବା ଅଭିଯୁକ୍ତ ମଧ୍ୟରେ ଦୁଇ ଭାଇ ସହ ଭଉଣୀ ରହିଛନ୍ତି । କୋର୍ଟ ଚାଲାଣ ହୋଇଥିବା ଅଭିଯୁକ୍ତ ନୂଆକୂଳ ଗ୍ରାମର ନିତ୍ୟାନନ୍ଦ ବେହେରାଙ୍କ ଦୁଇ ପୁଅ ଅଭିନାଶ(୩୨) ଅଭିଳାଷ(୩୦) ଓ ତାଙ୍କ ବିବାହିତ ଝିଅ ଗାୟତ୍ରୀ ପ୍ରଧାନ (୩୪) ବୋଲି ପୁଲିସ ସୂଚନା ଦେଇଛି । ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଗତ ଗୁରୁବାର ସନ୍ଧ୍ୟାରେ ହୋଇଥିବା ସଂଘ ବଦ୍ଧ ଆକ୍ରମଣ ଘଟଣାରେ ବ୍ରହ୍ମବରଦା ଥାନା ଅଧିନ ଛେନାଖିଆ ପାଟଣା ଗ୍ରାମର ମୃତ ଅକ୍ଷୟ ଗିରିଙ୍କ ମୃତୁ୍ୟ ଘଟିଥିଲା । ମୃତ ଅକ୍ଷୟଙ୍କ ବ୍ୟବଚ୍ଛେଦ ରିପୋର୍ଟକୁ ଉଭୟ ପୁଲିସ ଓ ପରିବାର ଅପେକ୍ଷା କରି ରହିଛନ୍ତି । କିନ୍ତୁ ଅକ୍ଷୟଙ୍କ ମୃତୁ୍ୟକୁ ନେଇ ପୁଲିସର ତଦନ୍ତରେ ଏତେଟା ତତ୍ପରତା ପରିଲକ୍ଷିତ ହେଉ ନଥିବା ଅକ୍ଷୟଙ୍କ ପରିବାର ଲୋକେ ଅଭିଯୋଗ ଆଣିଛନ୍ତି । କାରଣ ମୃତ ଅକ୍ଷୟଙ୍କ ପରିବାର ଲୋକଙ୍କ ମତରେ କୋର୍ଟ ଚାଲାଣ ହୋଇଥିବା ୩ ଜଣଙ୍କ ବ୍ୟତୀତ ଅନ୍ୟ ଅଭିଯୁକ୍ତ ଖୁଲମଖୁଲା ବୁଲୁଛନ୍ତି । ଯେଉଁ ମାନଙ୍କ ବିରୁଦ୍ଧରେ ସେମାନେ ଥାନାରେ ଅଭିଯୋଗ କରିଛନ୍ତି । ସେମାନଙ୍କ କହିବା କଥା ଗାୟତ୍ରୀ ଉକ୍ତ ଘଟଣା ଘଟିବା ଦିନ ମୃତ ଅକ୍ଷୟଙ୍କ ବଡ ପୁଅ ଚନ୍ଦନ ଗିରିଙ୍କ ନାମରେ ଥାନାରେ ଏକ ଦୁର୍ବ୍ୟବହାର ଜନିତ ଅଭିଯୋଗ କରିଥିଲେ । ଯାହାଦ୍ୱାରା ପୁଲିସ କେସ ନଂ ୧୯୭/୨୪ରେ ଏକ ମାମଲା ରୁଜୁ କରି ଚନ୍ଦନକୁ କୋର୍ଟ ଚାଲାଣ କରିଛି । ସୂଚନାନୁଯାୟୀ ବ୍ରହ୍ମବରଦା ଥାନା ଅଧିନ ଛେନାଖିଆ ପାଟଣା ଗ୍ରାମର ମୃତ ଅକ୍ଷୟଙ୍କ ପୁଅ ବିନୟ ସ୍ଥାନୀୟ ନୂଆକୂଳ ଗ୍ରାମର ନିତ୍ୟାନନ୍ଦ ବେହେରାଙ୍କ ସାନ ଝିଅ ସୁମିତ୍ରାଙ୍କୁ ୨୦୨୧ରେ ପ୍ରେମ ବିବାହ କରିଥିଲେ । ବିବାହ ସମୟରେ ଝିଅ ଘର ତରଫରୁ ପୁଅ ଘରର ଦାବି ମୁତାବକ ସମସ୍ତ ଜାନି ଯୌତୁକ ପ୍ରଦାନ କରାଯାଇଥିଲା । କିନ୍ତୁ ବିବାହର ଏକବର୍ଷ ପରେ ବିନୟଙ୍କ ସ୍ତ୍ରୀ ସୁମିତ୍ରା ମେଡିକାଲରେ ଏକ କନ୍ୟାସନ୍ତାନ ଜନ୍ମ କରିବାର ଠିକ ୪ଦିନ ପରେ ଦୁର୍ଭାଗ୍ୟବଶତଃ ସେହିଠାରେ ହିଁ ମୃତୁ୍ୟ ଘଟିଥିଲା । ସେ ସମୟରେ ସୁମିତ୍ରାଙ୍କ ମୃତୁ୍ୟକୁ ନେଇ ଉଭୟଙ୍କ ପରିବାର ମଧ୍ୟରେ ତିକ୍ତତା ଲାଗି ରହିବା ସହ ଗ୍ରାମର ମୁରବୀମାନଙ୍କ ଉପସ୍ଥିତିରେ ଆପୋସ ବୁଝାବଣା ହୋଇଥିଲା । ସୁମିତ୍ରାଙ୍କ ପରିବାର ଲୋକେ ବିବାହ ସମୟରେ ଦେଇଥିବା ସମସ୍ତ ଜାନି ଯୌତୁକ ଫେରାଇ ନେବା ସହ ନବଜାତ ଶିଶୁ କନ୍ୟାକୁ ମୃତ ସୁମିତ୍ରାଙ୍କ ପରିବାର ଗ୍ରହଣ କରିବାକୁ ମନା କରିଦେଇଥିଲେ ଓ ଶିଶୁ କନ୍ୟାକୁ ବିନୟଙ୍କ ଘରେ ଛାଡି ଦେଇଥିଲେ । ସେବେ ଠାରୁ ଉଭୟଙ୍କ ପରିବାର ମଧ୍ୟରେ ସବୁ ସମ୍ପର୍କ ଛିନ୍ନ ହୋଇଯାଇଥିଲା ଓ ଭବିଷ୍ୟତରେ କେହି କାହା ସହିତ ସମ୍ପର୍କ ରଖିପାରିବେ ନାହିଁ ବୋଲି ଭଦ୍ରଲୋକଙ୍କ ଉପସ୍ଥିତିରେ ନିଷ୍ପତି ନିଆଯାଇଥିଲା । ସେହିଦିନଠାରୁ ହିଁ ଶିଶୁ କନ୍ୟାଟି ବାପା ବିନୟ, ଜେଜେ ଅକ୍ଷୟ ଓ ଜେଜେମା ସଜନୀଙ୍କ ନିକଟରେ ଲାଳିତ ପାଳିତ ହୋଇ ଆସୁଥିଲା । କିନ୍ତୁ ଗତ କିଛିଦିନ ହେବ କେନ୍ଦ୍ରାପଡା ଜିଲ୍ଲା ଡେରାବିଶ ଥାନା ଅଧିନ ବେଳାରପୁର ଗ୍ରାମର ମଳୟ ପ୍ରଧାନଙ୍କ ସ୍ତ୍ରୀ ତଥା ମୃତ ସୁମିତ୍ରାଙ୍କ ବଡ ଭଉଣୀ ଗାୟତ୍ରୀ ଦୂର୍ଗାପୂଜାରେ ନିଜ ବାପଘର ବ୍ରହ୍ମବରଦା ଗ୍ରାମକୁ ବୁଲିବାକୁ ଆସିଥିଲେ । ଗତ ୧୦ ତାରିଖ ସନ୍ଧ୍ୟାରେ ନିଜ ସାନ ଭଉଣୀ ମୃତା ସୁମିତ୍ରାଙ୍କ ଝିଅକୁ ଦେଖିବାକୁ ଅକ୍ଷୟଙ୍କ ଘରକୁ ଯାଇଥିଲେ । ସେଠାରେ ଉଭୟ ଗାୟତ୍ରୀ ଓ ଅକ୍ଷୟଙ୍କ ପରିବାର ସହିତ ପୂର୍ବ କଥାକୁ ନେଇ କଥା କଟାକଟି ହୋଇଥିଲା ଓ ଗାୟତ୍ରୀ ଅକ୍ଷୟଙ୍କ ଘରକୁ ପୁନର୍ବାର ନଆସିବା ପାଇଁ ବାରଣ କରିଥିଲେ । ସେଠାରୁ ଫେରିଆସି ନିଜ ବାପ ଘରେ ଘଟଣା ସମ୍ପର୍କରେ ଜଣାଇଥିଲେ । ଗାୟତ୍ରୀଙ୍କ କଥାରେ ଉତକ୍ଷିପ୍ତ ହୋଇ ନିତ୍ୟାନନ୍ଦଙ୍କ ଦୁଇପୁଅ ଅଭିନାଶ, ଅଭିଳାଷ, ନିଜେ ଗାୟତ୍ରୀ ଓ ଗ୍ରାମର ୧୦ ରୁ ଉର୍ଦ୍ଧ୍ୱ ମହିଳା ଓ ପୁରୁଷ ଲୋକେ ମିଶି ସଙ୍ଗେ ସଙ୍ଗେ ହାତରେ ଠେଙ୍ଗା, ବାଡି, ମାରଣାସ୍ତ୍ର ଓ ଇଟା ପଥର ଧରି ଅକ୍ଷୟଙ୍କୁ ଘର ବାହାରକୁ ଡାକିଆଣି ଅସଭ୍ୟ ଭାଷାରେ ଗାଳିଗୁଲଜ କରିବା ସହ ଅକ୍ଷୟଙ୍କୁ ମରଣାନ୍ତକ ଆକ୍ରମଣ କରିଥିଲେ । ଗୁରୁତର ଆହତ ଅକ୍ଷୟଙ୍କୁ ପରିବାର ଲୋକେଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତି କରିଥିଲେ । ଚିକିତ୍ସାଧିନ ଅବସ୍ଥାରେ ସେଠାରେ ତାଙ୍କର ମୃତୁ୍ୟ ଘଟିଥିଲା । ଯାହାକୁ ନେଇ ଚାପା ଉତେଜନା ପ୍ରକାଶ ପାଇଥିଲା ଓ ଏ ନେଇ ମୃତ ଅକ୍ଷୟଙ୍କ ସ୍ତ୍ରୀ ସଜନୀ ତାଙ୍କ ସ୍ୱାମୀକୁ ହତ୍ୟା କରାଯାଇଥିବା ନେଇ ବ୍ରହ୍ମବରଦା ଥାନାରେ ଏକ ଲିଖିତ ଅଭିଯୋଗ କରିଥିଲେ । ଦୋଷୀକୁ ଗିରଫ କରିବା ସହ ଅଭିଯୁକ୍ତ ମାନଙ୍କ ପ୍ରତି ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଜିଦ ଧରି ବସିଥିଲେ । ଅଭିଯୋଗ ପାଇ ବ୍ରହ୍ମବରଦା ଥାନା ଅଧିକାରିଣୀ ଶ୍ରୀମତୀ ଅଂଶୁମାଳା ଦାସ, ଏସଡିପିଓ ସଞ୍ଜୟ କୁମାର ପଟ୍ଟନାୟକ,ଏସ୍ଆଇ ସୁଶାନ୍ତ ସେଠି ଓ ସହକର୍ମୀ ପୁଲିସ ଘଟଣାସ୍ଥଳରେ ପହଁଚି ମୃତ ବ୍ୟକ୍ତିଙ୍କ ପରିବାର ଓ ଗ୍ରାମବାସୀଙ୍କୁ ବୁଝାସୁଝା କରିବା ସହ ଘଟଣାର ତଦନ୍ତ କରାଯାଇ ଦୋଷୀଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଦୃଢ ପ୍ରତିଶ୍ରୁତି ଦେଇଥିଲେ । ଅକ୍ଷୟଙ୍କ ମୃତୁ୍ୟ ଘଟଣାରେ ପୁଲିସ ଉପରୋକ୍ତ ୩ ଜଣଙ୍କୁ ଗିରଫ କରି କୋର୍ଟଚାଲାଣ କରିଥିବା ବ୍ରହ୍ମବରଦା ଥାନା ଆଇଆଇସି ଅଂଶୁ ମାଳା ଦାସ ସୂଚନା ଦେଇଛନ୍ତି ।