ଖିଚିଂ ମହୋତ୍ସବ: ଉଦ୍ୟାପନୀ ସନ୍ଧ୍ୟାରେ ମୁଖ୍ୟମନ୍ତ୍ରୀ ‘ସମଗ୍ର ପାଞ୍ଚପିଢ଼ ଅଞ୍ଚଳର ବିକାଶ ହେବ’

 ଭୁବନେଶ୍ୱର: ୧୨ ବର୍ଷରେ ପଦାର୍ପଣ କରିଥିବା ଖିଚିଂ ମହୋତ୍ସବର ଉଦ୍ୟାପନ ସନ୍ଧ୍ୟାରେ ଯୋଗ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ପ୍ରସିଦ୍ଧ ପର୍ଯ୍ୟଟନ ସ୍ଥଳ ଖିଚିଂ ପ୍ରସିଦ୍ଧ କିଚକେଶ୍ୱରୀ ମନ୍ଦିରର ବିକାଶ ଏବଂ ଉନ୍ନତିକରଣ ପାଇଁ ସମସ୍ତ ବ୍ୟବସ୍ଥା କରାଯିବା ସହିତ ଏଥି ନିମନ୍ତେ ଆନୁଷଙ୍ଗିକ ୫୦ କୋଟି ଟଙ୍କା ମଞ୍ଜୁର ହୋଇଥିବା ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ । ସେହିପରି ପାଞ୍ଚପୀଢ଼ ଉପଖଣ୍ଡ ପାଇଁ ପ୍ରାୟ ୬୫ କୋଟି ଟଙ୍କାର ୫୩ଟି ପ୍ରକଳ୍ପର ଉଦ୍ଘାଟନ କରିଛନ୍ତି । ଏହି ସାଂସ୍କୃତିକ ମହୋତ୍ସବର ଉଦ୍ୟାପନ ସନ୍ଧ୍ୟାରେ ମୁଖ୍ୟମନ୍ତ୍ରୀ ମୁଖ୍ୟଅତିଥି ଭାବେ ଯୋଗ ଦେଇ କହିଛନ୍ତି ଯେ ଏହି ପ୍ରକଳ୍ପ ମଧ୍ୟରେ ମହିଳା ସଶକ୍ତିକରଣ, ଜଳସେଚନ, ଶିକ୍ଷା, ସ୍ୱାସ୍ଥ୍ୟ, ପର୍ଯ୍ୟଟନ ଓ ସଂସ୍କୃତି କ୍ଷେତ୍ର ଇତ୍ୟାଦି ରହିଛି । ଆଗାମୀ ଦିନରେ ଏହି ପ୍ରକଳ୍ପ ଗୁଡ଼ିକ କାର୍ଯ୍ୟକାରୀ ହେଲେ ସମଗ୍ର ପାଞ୍ଚପିଢ଼ ଅଞ୍ଚଳର ବିକାଶ ହେବ । ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଥିଲେଯେ ୧୨ ବର୍ଷରେ ପଦାର୍ପଣ କରିଥିବା ଏହି ସାଂସ୍କୃତିକ ମହୋତ୍ସବ ଆଜି କେବଳ ଖିଚିଂ ନୁହେଁ, ମୟୂରଭଞ୍ଜ ଏବଂ ସାରା ରାଜ୍ୟର ମନ ମୋହିଛି । ଆଦିବାସୀ ଅଧୁ୍ୟଷିତ ବନାଞ୍ଚଳ ପ୍ରବଣ ମୟୂରଭଞ୍ଜ ଜିଲ୍ଲା ଅନ୍ତର୍ଗତ ପଞ୍ଚପୀଢ଼ ଉପଖଣ୍ଡର ଖିଚିଂ କଳା ଓ ସଂସ୍କୃତି ପରିପୁଷ୍ଟ ଏକ ସମୃଦ୍ଧ କ୍ଷେତ୍ର । ଏହି କିଚକେଶ୍ୱରୀ ପୀଠ ମାଟିରେ ପ୍ରତିବର୍ଷ ପାଳନ କରାଯାଉଥିବା ଖିଚିଂ ମହୋତ୍ସବ କେବଳ ମୟୂରଭଞ୍ଜ ଜିଲ୍ଲା ନୁହେଁ ପଡୋଶୀ ଜିଲ୍ଲା କେନ୍ଦୁଝର ପାଇଁ ମଧ୍ୟ ଏକ ପରମ୍ପରାରେ ପରିଣତ ହୋଇ ସାରିଛି ।
ପ୍ରସିଦ୍ଧ ପର୍ଯ୍ୟଟନ ସ୍ଥଳ ଖିଚିଂରେ କଳା, ସଂସ୍କୃତି ଓ ପରମ୍ପରା ବହନ କରୁଥିବା ଶିଳ୍ପୀଙ୍କ କଳା ମୁଗୁନି ପଥର କାରୁକାର୍ଯ୍ୟ ଅତ୍ୟନ୍ତ ମନୋରମ । କେନ୍ଦ୍ର ସରକାରଙ୍କ ପ୍ରସାଦ ଯୋଜନାରେ ଆମ ଖିଚିଂ ମନ୍ଦିର ମଧ୍ୟ ସ୍ଥାନୀତ ହୋଇଛି । ଯେଉଁଥିରେ ବିଶେଷ ସୁବିଧା ମଧ୍ୟରେ ପାର୍କିଂ, ରାସ୍ତା, ଶୌଚାଳୟ, ଆଲୋକୀକରଣ, ପର୍ଯ୍ୟଟନ ସୂଚନା କେନ୍ଦ୍ର ଅନ୍ତର୍ଭୁକ୍ତ ହେବ । ଏହା ମଧ୍ୟ ଆତିଥ୍ୟ, ଟୁର୍ ଗାଇଡ୍ ଏବଂ ପରିବହନ ପରି କ୍ଷେତ୍ରଗୁଡିକରେ ସ୍ଥାନୀୟ ବାସିନ୍ଦାଙ୍କୁ ନିଯୁକ୍ତି ଯୋଗାଇବ । ରାଷ୍ଟ୍ରପତି ପୂର୍ବରୁ ମାଆ କିଚକେଶ୍ୱରୀ ମନ୍ଦିରର ଉନ୍ନତିକରଣ ପାଇଁ ୫୨ କୋଟି ମଞ୍ଜୁର କରିବା ପାଇଁ ନିଦେ୍ର୍ଦଶ ଦେଇଥିବା ବେଳେ ଆହୁରି ୫୦ କୋଟି ଟଙ୍କା ମିଶାଇ ସମୁଦାୟ ୧୦୨ କୋଟି ଟଙ୍କା ମଞ୍ଜୁର ପାଇଁ ମୁଖ୍ୟମନ୍ତ୍ରୀ ଘୋଷଣା କରିଥିଲେ । ପର୍ଯ୍ୟଟନ, ଓଡ଼ିଶାର ଅର୍ଥନୈତିକ ବିକାଶ ଓ ନିଯୁକ୍ତି ସୃଷ୍ଟିର ଏକ ପ୍ରମୁଖ ଚାଳକ । ଏଣୁ ଏକ ସନ୍ତୁଳିତ ଏବଂ ସମାବେଶୀ ଦୃଷ୍ଟିଭଙ୍ଗୀରେ ପର୍ଯ୍ୟଟନ ଭିତ୍ତିଭୂମିର ସମନ୍ୱୟ ବିକାଶ ଓ ପରିଚାଳନା ପାଇଁ ୩ ଶହ ୫୫ କୋଟି ଟଙ୍କା ବ୍ୟୟ କରିବାକୁ ପ୍ରସ୍ତାବ ଦିଆଯାଇଛି । ଓଡ଼ିଶାର ଐତିହ୍ୟକୁ ପାଳନ କରିବା ଏବଂ ନିବେଶ ସୁଯୋଗକୁ ପ୍ରୋତ୍ସାହିତ କରିବା ପାଇଁ ୧୦ଟି ଜିଲ୍ଲାରେ ଜିଲ୍ଲା ଐତିହ୍ୟ ଓ ପର୍ଯ୍ୟଟନ କମ୍ପ୍ଲେକ୍ସ ନିର୍ମାଣ କରାଯିବ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ ।
କାର୍ଯ୍ୟକ୍ରମରେ ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗ ମନ୍ତ୍ରୀ ଇଂ ଗଣେଶ ରାମ ସିଂ ଖୁଣ୍ଟିଆ କହିଥିଲେ ଯେ କଥା ଦେଇ କଥା ରଖିବାର ପରମ୍ପରା ଆମ ନୂଆ ସରକାର ଆରମ୍ଭ କରିଛି ଏବଂ ଏହି ପରିପ୍ରେକ୍ଷୀରେ ରାଜ୍ୟର ସର୍ବାଙ୍ଗୀନ ବିକାଶ ହେଉଛି ଆମ ସରକାରର ମୂଳ ଲକ୍ଷ୍ୟ । କାର୍ଯ୍ୟକ୍ରମରେ ରାଜ୍ୟସଭା ସାଂସଦ ମମତା ମହାନ୍ତ, ଲୋକସଭା ସାଂସଦ ନବ ଚରଣ ମାଝୀ, ରାଇରଙ୍ଗପୁର ବିଧାୟକ ଜଲେନ ନାଏକ, କରଞ୍ଜିଆ ବିଧାୟକ  ପଦ୍ମ ଚରଣ ହାଇବୁରୁ, ବିଧାୟକ, ପାଟଣା, ଅଖିଳ ଚନ୍ଦ୍ର ନାୟକ, ଏବଂ ବିଧାୟକ ତେଲକୋଇ ଡଃ ଫକୀର ମୋହନ ନାଏକ ଉଦବୋଧନ ଦେଇ ରାଜ୍ୟର ବିକାଶ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଅଶେଷ ପ୍ରଶଂସା କରିଛନ୍ତି । ଜିଲ୍ଲାପାଳ ହେମକାନ୍ତ ସୟ ସ୍ୱାଗତ ଭାଷଣ ଦେବା ସହ ଧନ୍ୟବାଦ ଅର୍ପଣ କରିଥିଲେ ।