‘ଡେମୋଗ୍ରାଫିକ କଣ୍ଟେଷ୍ଟନ୍ସ ଆଣ୍ଡ୍ ଲେଜିସଲେଟିଭ୍  ପ୍ରୋସେସ୍ ଇନ୍ ଇଣ୍ଡିଆ’ ଉନ୍ମୋଚିତ

 ଭୁବନେଶ୍ୱର/ନୂଆଦିଲ୍ଲୀ:   ରାଜ୍ୟସଭାର ଯୁଗ୍ମ ସଚିବ ତଥା ଲେଖକ ଡଃ ରାଘବ ପ୍ରସାଦ ଦାଶଙ୍କ ଦ୍ୱାରା ଲିଖିତ ଇଂରାଜୀ ପୁସ୍ତକ ‘ଡେମୋଗ୍ରାଫିକ କନଟେଷ୍ଟସନ୍ସ ଆଣ୍ଡ୍ ଲେଜିସଲେଟିଭ୍ ପ୍ରୋସେସ୍ ଇନ୍ ଇଣ୍ଡିଆ’ ପୁସ୍ତକର ଉନ୍ମୋଚନ ଉତ୍ସବ ଅନୁଷ୍ଠିତ ହୋଇଛି । କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଶୁକ୍ରବାର ନୂଆଦିଲ୍ଲୀ ଠାରେ ଏହି ପୁସ୍ତକ ଉନ୍ମୋଚନ କରିବା ସହ ଏହି ପୁସ୍ତକଟି ଗଣତନ୍ତ୍ରର ବିକାଶରେ ଉତ୍ପ୍ରେରକ ଭାବରେ କାର୍ଯ୍ୟ କରିବ ବୋଲି ମତବ୍ୟକ୍ତ କରିଥିଲେ ।
ଧର୍ମେନ୍ଦ୍ର କହିଥିଲେ ଯେ, ଭାରତୀୟ ସଂସଦ ହେଉଛି ଗଣତନ୍ତ୍ରର ଏକ ପ୍ରକୃତ ମନ୍ଦିର, ଯାହାର ବହୁମୁଖୀ ଭୂମିକା ରହିଛି । ଏହା କେବଳ ଆଇନ ପ୍ରଣୟନରେ ସୀମିତ ନୁହେଁ ବରଂ ଲୋକଙ୍କ ସ୍ୱରକୁ ବ୍ୟବସ୍ଥାରେ ଥିବା ଲୋକଙ୍କ ପାଖରେ ପହଞ୍ଚାଇବା ପାଇଁ ଏକ ପ୍ରମୁଖ ମାଧ୍ୟମ । ଏହିପରି ଭାବେ ପୁସ୍ତକ କେବଳ ବର୍ତ୍ତମାନର ପିଢିକୁ ନୁହେଁ ନୂଆପିଢିକୁ ମଧ୍ୟ ପ୍ରେରିତ କରିଥାଏ । ପୁସ୍ତକ  ଭବିଷ୍ୟତ ପିଢ଼ି ପାଇଁ ଜ୍ଞାନର ଭଣ୍ଡାର ମଧ୍ୟ । ଭାରତର ସଂସଦୀୟ ପ୍ରକ୍ରିୟାକୁ ବୁଝିବାରେ ଏହି ଉଲ୍ଲେଖନୀୟ ଅବଦାନ ପାଇଁ ଡଃ ଦାଶଙ୍କୁ ଶ୍ରୀ ପ୍ରଧାନ ଧନ୍ୟବାଦ ଜଣାଇଛନ୍ତି । ସେ କହିଛନ୍ତି ଡଃ ଦାଶଙ୍କ ଦ୍ୱାରା  ଲିଖିତ ପୁସ୍ତକ, ଭାରତରେ ଗଣତାନ୍ତ୍ରିକ ପ୍ରତିଦ୍ୱନ୍ଦିତା ଏବଂ ବିଧାୟିକ ପ୍ରକ୍ରିୟା ବିଷୟରେ ଦିଗଦର୍ଶନ ପ୍ରଦାନ କରିବ । ବାବାସାହେବଙ୍କ ପାଇଁ ଭାରତୀୟ ସମ୍ବିଧାନର ପ୍ରସ୍ତୁତ ହେଲା, ଯାହା ଗଣତନ୍ତ୍ରରେ ବଡ ଉପଲବ୍ଧି । ଭାରତର ଶାସନ ବ୍ୟବସ୍ଥା ସମ୍ବିଧାନ ପ୍ରଦତ୍ତ ବ୍ୟବସ୍ଥାରେ ତିଆରି ହୋଇଛି । ଏହିଭଳି ଏକ ବିଷୟରେ ସରଳ ଓ ସାବଲୀଳ ଭାଷାରେ ଦସ୍ତାବିଜ ପ୍ରସ୍ତୁତ କରି ପୁସ୍ତକର ରୂପ ଦିଆଯାଇଛି, ଯାହା ଖୁବ୍ ପ୍ରଶଂସନୀୟ ବୋଲି ଧର୍ମେନ୍ଦ୍ର କହିଛନ୍ତି । କାର୍ଯ୍ୟକ୍ରମରେ ସାଂସଦ ଭର୍ତ୍ତୃହରି ମହତାବ ମଧ୍ୟ ଉପସ୍ଥିତ ଥିଲେ ।