ନବୀକରଣୀୟ ଶକ୍ତି ଆପଣେଇବାକୁ ରାଜ୍ୟପାଳଙ୍କ ଆହ୍ୱାନ
ଭୁବନେଶ୍ୱର : ପାରମ୍ପରିକ ଶକ୍ତି ଉତ୍ସରୁ ନବୀକରଣୀୟ ବିକଳ୍ପକୁ ପରିବର୍ତ୍ତନ କରି ଏହାର ବ୍ୟବହାରକୁ ଗୁରୁତ୍ୱ ଦେଇଛନ୍ତି ରାଜ୍ୟପାଳ । ପରିବେଶ ସୁରକ୍ଷା ଏବଂ ସନ୍ତୁଳିତ ଜୀବନଯାପନ ଦିଗରେ ଏକ ଦୃଢ଼ ପ୍ରୟାସ ଭାବରେ ପ୍ରଦୂଷଣ ହ୍ରାସ କରିବା, ପୃଥିବୀକୁ ସୁରକ୍ଷିତ ରଖିବା ଏବଂ ଅଶୋଧିତ ତୈଳ ଆମଦାନୀ ହ୍ରାସ କରିବା ସହ ବୈଦେଶିକ ମୁଦ୍ରା ସଞ୍ଚୟ କରି ସବୁଜ ଶକ୍ତିକୁ ଆପଣେଇବାକୁ ରାଜ୍ୟପାଳ ଡ. ହରି ବାବୁ କମ୍ଭମ୍ପାଟି ଆହ୍ୱାନ ଜଣାଇଛନ୍ତି । ରାଜଭବନର ନୁ୍ୟ ଅଭିଷେକ ହଲ୍ଠାରେ ଗଣମାଧ୍ୟମ ପ୍ରତିନିଧିଙ୍କ ସହ ଏକ ଆଲୋଚନା ବେଳେ ଏହା ପ୍ରକାଶ କରିଛନ୍ତି ରାଜ୍ୟପାଳ ।
ଶକ୍ତି ଭିତ୍ତିଭୂମି ଉପରେ ରାଜ୍ୟପାଳ କହିଥିଲେ ରାଜଭବନ ପରିସରରେ ୧୫୦ କିଲୋୱାଟ ସୌରଶକ୍ତି ପ୍ଲାଣ୍ଟ କାର୍ଯ୍ୟକ୍ଷମ ହୋଇଛି ଏବଂ ଖୁବ୍ଶୀଘ୍ର ଅତିରିକ୍ତ ୪୦୦ କିଲୋୱାଟ ପ୍ଲାଣ୍ଟ୍ ସ୍ଥାପିତ ହେବାକୁ ଯାଉଛି । ଏହା ରାଜ୍ୟପାଳଙ୍କ ବାସଭବନକୁ ଏକ ନେଟ୍-ଜିରୋ ଶକ୍ତି କ୍ୟାମ୍ପସ୍ କରିବା ଦିଗରେ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ । ସବୁଜ ମିଶନକୁ ଆଗକୁ ବଢ଼ାଇବା ଉଦେ୍ଦଶ୍ୟରେ ଭାରତରେ ନିର୍ମିତ ଦୁଇ ଚକିଆ ଯାନ ଏବଂ ଅଫିସିଆଲ କାର୍ ପ୍ରଚଳନ କରାଯାଇଛି । ଏପରି ଅଗ୍ରଣୀ ପ୍ରୟାସ ସହିତ ରାଜଭବନ କେବଳ ସମଗ୍ର ଦେଶର ସରକାରୀ ପ୍ରତିଷ୍ଠାନ ପାଇଁ ଏକ ଉଦାହରଣ ସୃଷ୍ଟି କରୁନାହିଁ, ବରଂ ଶୀର୍ଷସ୍ତରରୁ ପରିବର୍ତ୍ତନ ଆରମ୍ଭ ହୁଏ ବୋଲି ସ୍ପଷ୍ଟ ବାର୍ତ୍ତା ଦେଉଛି ।
ଏ ଅବସରରେ ରାଜ୍ୟପାଳ କେନ୍ଦ୍ର ସରକାରଙ୍କ ଦ୍ୱାରା ପ୍ରଚଳିତ ‘ପ୍ରଧାନମନ୍ତ୍ରୀ କୁସୁମ ଯୋଜନା’, ‘ପ୍ରଧାନମନ୍ତ୍ରୀ ସୂର୍ଯ୍ୟଘର’ ଭଳି ଯୋଜନା ସମ୍ପର୍କରେ ଆଲୋକପାତ କରିଥିଲେ । ରାଜ୍ୟରେ ଅଧିକ ଲୋକ ସୌର ଶକ୍ତି ବ୍ୟବସ୍ଥା ଆପଣେଇବା ନିମନ୍ତେ ଉତ୍ସାହିତ କରିବା ପାଇଁ ଅତିରିକ୍ତ ସବ୍ସିଡ ପ୍ରଦାନ କରିବା ଦିଗରେ ଓଡ଼ିଶା ସରକାର ନେଇଥିବା ପଦକ୍ଷେପକୁ ରାଜ୍ୟପାଳ ଡ. କମ୍ଭମ୍ପାଟି ପ୍ରଶଂସା କରିଛନ୍ତି । କାର୍ଯ୍ୟକ୍ରମରେ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ, ଶକ୍ତି ବିଭାଗର ପ୍ରମୁଖ ଶାସନ ସଚିବ ବିଶାଳ କୁମାର ଦେବ, ରାଜ୍ୟପାଳଙ୍କ ପ୍ରମୁଖ ଶାସନ ସଚିବ ଏନ୍ବିଏସ୍ ରାଜପୁତଙ୍କ ସମେତ ରାଜଭବନ ଅଧିକାରୀ ଓ କର୍ମଚାରୀମାନେ ସାମିଲ ହୋଇଥିଲେ ।