ତେଜୁଛି ବୈତରଣୀ ନଦୀ ବଞ୍ଚାଅ ଆନେ୍ଦାଳନ : ୬ଦଫା ଦାବି ନେଇ ହେବ ବୈତରଣୀ ପଞ୍ଚାୟତ
ଚମ୍ପୁଆ : ଦିନକୁ ଦିନ ବୈତରଣୀ ନଦୀ ନିଜର ଅସ୍ଥିତ୍ୱ ହରାଇବା ଆରମ୍ଭ କରିଥିବା ବେଳେ, ଏହାକୁ ବଞ୍ଚାଇବା ପାଇଁ ବିଭିନ୍ନ ମହଲରେ ଆନେ୍ଦାଳନ ମୁଣ୍ଡ ଟେକିଲାଣି । ଚାଷୀ ଚାଷକୁ ପାଣି ପାଉ ନ ଥିବା ବେଳେ, ସାଧାରଣ ଲୋକ ଜଳକଷ୍ଠ ଭୋଗିବା ଏକ ପ୍ରକାର ନିଶ୍ଚିତ ହୋଇଗଲାଣି । ଏହି ପରିପ୍ରେକ୍ଷିରେ ଯୋଡା ବ୍ଲକ୍ କଣ୍ଡରା ହାଟପଡ଼ିଆଠାରେ ସୁନା, କାର ଓ ବୈତରଣୀ ନଦୀ ବଞ୍ଚାଅ ଅଭିଯାନ ଅନୁଯାୟୀ ଏକ ସଭା ଅନୁଷ୍ଠିତ ହୋଇଯାଇଛି । ଏହି ସଭାରେ ସାରା ଭାରତରେ ଜଳ ମାନବ ଭାବେ ପରିଚିତ ଡାକ୍ତର ରାଜେନ୍ଦ୍ର ସିଂ, ବିଶିଷ୍ଟ ପରିବେଶବିତ୍ ପ୍ରଫୁଲ୍ଲ ସାମନ୍ତରା, ମହାନଦୀ ବଞ୍ଚାଅ ଆନ୍ଦୋଳନର ଆବାହକ ସୁଦର୍ଶନ ଦାସ, ନଦୀ ବଞ୍ଚାଅ ଆନ୍ଦୋଳନ ପ୍ରମୁଖ ସଦସ୍ୟା ବ୍ରତୀନ୍ଦି ଜେନା, ନଦୀ ବଞ୍ଚାଅ ଆନ୍ଦୋଳନର କେନ୍ଦୁଝର ଜିଲ୍ଲାର ପ୍ରମୁଖ ସଦସ୍ୟ ଅଶୋକ ଠକ୍କର, ଭଦ୍ରକର ବିଶିଷ୍ଟ ପରିବେଶବିତ ପ୍ରତାପ ପାଢ଼ୀ, ଜିଲ୍ଲା ପରିଷଦ ସଦସ୍ୟ ଡମ୍ବରୁଧର କୁଦାଦା, କଣ୍ଡରା ସରପଞ୍ଚ ରିନା ନାଏକ, କରଞ୍ଜିଆ ସରପଞ୍ଚ ସୁପ୍ରିୟା ମୁଣ୍ଡା, ପୂର୍ବତନ ଯୋଡା ବ୍ଲକ୍ ଅଧ୍ୟକ୍ଷ ଗିରିଧାରୀ ନାଏକ ପ୍ରମୁଖ ଯୋଗଦେଇ ସରକାର ବୈତରଣୀ ନଦୀ ବଞ୍ଚାଇବା ପାଇଁ ଶ୍ୱେତପତ୍ର ପ୍ରକାଶ କରିବାକୁ ଦାବି କରିଛନ୍ତି । ନଦୀ ମଧ୍ୟରେ ଶିଳ୍ପ କମ୍ପାନୀ ମାନଙ୍କର ଇନ୍.ଟେକ୍ ୱେଲ ନିର୍ମାଣକୁ ଘର ବିରୋଧ କରଯାଇଥିଲା । ଏହି କାନପୁର ନଦୀବନ୍ଧ ପ୍ରକଳ୍ପ ପାଇଁ ଭିଟାମାଟି ହରାଇଥିବା ଲୋକଙ୍କୁ ଏଯାବତ୍ ସେମାନଙ୍କର ସମ୍ପୂର୍ଣ ଥଇଥାନ ସରକାର କରି ନଥିବା ବେଳେ ଶିଳ୍ପକୁ ଜଳ ଆବଣ୍ଟନ ପାଇଁ ପୂର୍ବ ସରକାର ଚୁକ୍ତିକୁ ଘୋର ବିରୋଧ କରାଯାଉଛି । ବୈତରଣୀ ନଦୀ ବଞ୍ଚାଅ ଅଭିଯାନ ପକ୍ଷରୁ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଚାଷୀ ଏବଂ ଟ୍ରକ୍ ମାଲିକ ସମେତ ବହୁ ଲୋକ ଯୋଗଦେଇଥିଲେ । ବୈତରଣୀ ନଦୀ ବଞ୍ଚାଅ ସମ୍ମିଳନୀରେ ୬ଟି ପ୍ରସ୍ତାବ ଆଗତ କରାଯାଇଥିଲା । ସୁଦର୍ଶନ ଦାସ ଦେଇଥିବା ସୂଚନା ଅନୁଯାୟୀ, ଅତୀତରେ ଜଳ କେତେ ଥିଲା ଏବଂ ଏବେ କେତେ ଅଛି ନଦୀରେ ଜଳ ପ୍ରବାହର ଗତି ସମ୍ପର୍କିତ ସୂଚନା ଶ୍ୱେତପତ୍ର ଜାରି କରି ସରକାର ଜନସାଧାରଣଙ୍କୁ ଅବଗତ କରାନ୍ତୁ । ନଦୀ ସୁରକ୍ଷା ପାଇଁ ରାଜ୍ୟ ସରକାର ନଦୀ ନୀତି ଆଣନ୍ତୁ । ବୈତରଣୀ ନଦୀର ନିର୍ମଳ ଜଳକୁ ସ୍ଲରୀ ପାଇପ ଲାଇନ ଜରିଆରେ ବ୍ୟବହାର କରନ୍ତୁ ନାହିଁ, ପୂର୍ବ ସରକାରଙ୍କ ସମୟରେ ଶିଳ୍ପକୁ ଜଳ ଦେବା ଚୁକ୍ତିକୁ ବାତିଲ କରନ୍ତୁ, ଶିଳ୍ପ ଓ ଖଣିର ବର୍ଜ୍ୟ ବସ୍ତୁର ନିଷ୍କାସନର ଜରିଆ ନଦୀ ନହେଉ, ଭାଗିଦାରୀ ମାନଙ୍କ ସହିତ ସରକାର ନଦୀ ବଞ୍ଚାଇବାର ଦାୟିତ୍ୱ ନିଅନ୍ତୁ, ଖଣିକୁ ନିୟନ୍ତ୍ରିତ କରାଯାଇ ସରକାର ଖଣି ପରିଚାଳନା କରନ୍ତୁ ବୋଲି ପ୍ରସ୍ତାବ ଆଗତ ହୋଇଥିଲା । ଜନତାଙ୍କ ସହିତ ନ୍ୟାୟିକ ପ୍ରକ୍ରିୟା କରାଯାଇ ଅନ୍ୟାୟ ବିରୁଦ୍ଧରେ ଲଢେଇ କରିବା ପାଇଁ ଜଳ ମାନବ ରାଜେନ୍ଦ୍ର ସିଂ କହିଥିଲେ । ବୈତରଣୀ ନଦୀର ସୁରକ୍ଷା ପାଇଁ ଆଗାମୀ ଦିନରେ ବୈତରଣୀ ନଦୀର ଉତ୍ପତ୍ତି ସ୍ଥଳ ଗୋନାସିକାଠାରୁ ଭଦ୍ରକ ଜିଲ୍ଲାର ଧାମରାଠାରେ ଥିବା ବଙ୍ଗୋପସାଗରର ସଙ୍ଗମ ସ୍ଥଳ ପର୍ଯ୍ୟନ୍ତ ପଦଯାତ୍ରା କରି ଜନ ଆନେ୍ଦାଳନକୁ ପରିବ୍ୟାପ୍ତ କରାଯିବ ବୋଲି ସୁଦର୍ଶନ ଦାସ ସୂଚନା ଦେଇଥିଲେ ।