ସକ୍ରିୟ ଗୋରୁ ମାଫିଆ, ନୀରବ ପ୍ରଶାସନ

 ଗୋଲାମୁଣ୍ଡା : କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକରେ ଗାଁ ଗାଁରେ ଗୋରୁ ମାଫିଆମାନେ ବର୍ତ୍ତମାନ ସକ୍ରିୟ । ଏହି ଗୋରୁ ମାଫିଆମାନେ ଗ୍ରାମ ଗୁଡିକରେ ବସବାସ କରୁଥିବା ନିରୀହ ଲୋକଙ୍କ ଗାଈଗୋରୁ କମ ଦାମରେ କିଣି ବଜାର ବଜାର ପହଞ୍ଚାଇ ଅନ୍ୟ ସ୍ଥାନ ଓ ଅନ୍ୟ ରାଜ୍ୟ ଗୁଡିକୁ ଚାଲାଣ କରି ଅଧିକ ଲାଭବାନ ହେଉଛନ୍ତି ଗୋ ମାଫିଆ ।  ଦିବାଲୋକରେ ଟ୍ରକରେ ପରିବା ଓ ସାମଗ୍ରୀ ବୋଝେଇ କଲାଭଳି ଗୋରୁ ମାନଙ୍କୁ ଅତ୍ୟନ୍ତ ଦୟନୀୟ ଭାବେ ଚାଲାଣ କରାଯାଉଛି । କିନ୍ତୁ ପ୍ରଶାସନ ପକ୍ଷରୁ କୌଣସି ପଦକ୍ଷେପ ଗ୍ରହଣ କରାନଯିବା ଚିନ୍ତାର କାରଣ ହେଇଛି । ପୁଲିସ ଓ ପ୍ରଶାସନ ନଜର ହଟାଇବା ପାଇଁ ବ୍ୟବସାୟୀମାନେ ଗାଁ ଗାଁରୁ ଗୋରୁ ସଂଗ୍ରହ କରିବା ପରେ ପାଦରେ ଚଲାଇ ଚଲାଇ ହାଟକୁ ନେବା ପରେ ସେଠାରେ ଗାଡ଼ିରେ ବୋଝେଇ କରି ବାହାରକୁ ଚାଲାଣ କରୁଥିବା ଅଭିଯୋଗ ହେଉଛି  । ଅତ୍ୟନ୍ତ ଅମାନବୀୟ  ଭାବେ ଏହି କାର୍ଯ୍ୟକଳାପ ଦୀର୍ଘ ଦିନ ହେବ ଚାଲିଥିଲେ ମଧ୍ୟ ପ୍ରଶାସନ ଓ ପୁଲିସର ନିରବତା ଯୋଗୁଁ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଏଠି ପଶୁ ସୁରକ୍ଷା ଆଇନର ଖୋଲା ଉଲ୍ଲଘଂନ କରାଯାଇ ଗୋରୁ ଚାଲାଣ ହେଉଥିଲେ ବି ପୁଲିସ ପ୍ରଶାସନ କାହିଁକି ନୀରବ, ତାକୁ ନେଇ ଅନେକ ଚର୍ଚ୍ଚା ହେଉଛି । ସୂଚନା ଅନୁଯାୟୀ ଗୋଲାମୁଣ୍ଡା ବ୍ଲକର ଅନେକ ଗ୍ରାମର ଗାଁ ଗାଁରୁ ଗୋରୁ ଦଲାଲମାନେ ପ୍ରତି ସପ୍ତାହର ମଙ୍ଗଳବାର, ବୁଧବାର ଶହ ଶହ ଗୋରୁ କିଣି ଗୋରୁ ମାନଙ୍କୁ ପାଦରେ ଚଲାଇ ଚଲାଇ ଧର୍ମଗଡ଼ ବଜାର ନେଇ ସେଠାରେ  ଅମାନୁଷିକ  ଭାବରେ ଟ୍ରକ ଗାଡି ଗୁଡିକରେ ବୋଝାଇ ବାହାରକୁ ଚାଲାଣ କରୁଥିବା ବିଶେଷ ସୂତ୍ରରୁ ଜଣାପଡିଛି । ଏଣୁ ଜିଲ୍ଲା ପ୍ରଶାସନ ପକ୍ଷରୁ ଗୋରୁ ଚାଲାଣକୁ ରୋକା ନ ଗଲେ ଆଗାମୀ ଦିନରେ ବିଭିନ୍ନ ସଂଗଠନ ଆନେ୍ଦାଳନ ପାଇଁ ସଜବାଜ ହେଉଥିବା ଆଲୋଚନାରୁ ଜଣାପଡିଛି ।