ପୁଣି ଆନେ୍ଦାଳନରତ ଡାକ୍ତରଙ୍କୁ ଡକାଇଲେ ମମତା


ାା ଏଜେନ୍ସି ।ା କୋଲକାତା : ଆନେ୍ଦାଳନରତ ଡାକ୍ତରଙ୍କୁ ମନାଇବା ପାଇଁ ପୁଣି ଥରେ ଟିଏମସି ସରକାରଙ୍କ ପ୍ରୟାସ । ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଆଲୋଚନା ପାଇଁ ପଞ୍ଚମ ଥର ପାଇଁ ଆନେ୍ଦାଳନରତ ଜୁନିୟର ଡାକ୍ତରଙ୍କୁ ନିମନ୍ତ୍ରଣ କରିଛନ୍ତି । ପୂର୍ବରୁ ବିଭିନ୍ନ କାରଣ ନେଇ ମୁଖ୍ୟମନ୍ତ୍ରୀ ଏବଂ ଜୁନିୟର ଡାକ୍ତରଙ୍କ ମଧ୍ୟରେ ଆଲୋଚନା ବିଫଳ ହେବା ପରେ ପଞ୍ଚମ ଥର ପାଇଁ ନିମନ୍ତ୍ରଣ କରାଯାଇଛି । ଜୁନିୟର ଡାକ୍ତରମାନଙ୍କୁ ଏକ ଇମେଲରେ ମୁଖ୍ୟ ଶାସନ ସଚିବ ମନୋଜ ପନ୍ତ କହିଛନ୍ତି, "ସେପ୍ଟେମ୍ବର ୯ରେ ସୁପ୍ରିମକୋର୍ଟଙ୍କ ନିଦେ୍ର୍ଦଶ ଅନୁସାରେ ଡାକ୍ତରମାନେ ପୁନର୍ବାର କାର୍ଯ୍ୟ ଆରମ୍ଭ କରିବା ନିହାତି ଆବଶ୍ୟକ । ମୁଖ୍ୟମନ୍ତ୍ରୀ ଏବଂ ଆପଣଙ୍କ (ଆନେ୍ଦାଳନରତ ଡାକ୍ତରଙ୍କ) ପ୍ରତିନିଧିଙ୍କ ମଧ୍ୟରେ ବୈଠକ ପାଇଁ ଏହା ହେଉଛି ପଞ୍ଚମ ତଥା ଅନ୍ତିମ ନିମନ୍ତ୍ରଣ ।’
ଇମେଲରେ ଆହୁରି କୁହାଯାଇଛି, "ପୂର୍ବର ଆଲୋଚନା ଅନୁଯାୟୀ, ଆମେ ଆପଣଙ୍କୁ ମୁଖ୍ୟମନ୍ତ୍ରୀଙ୍କ ସହ ଏକ ବୈଠକକୁ ନିମନ୍ତ୍ରଣ କରୁଛୁ । ଖୋଲା ମନ ସହ ଆଲୋଚନା ପାଇଁ ମୁଖ୍ୟମନ୍ତ୍ରୀଙ୍କ କାଳିଘାଟ ସ୍ଥିତ ବାସଭବନକୁ ଆସନ୍ତୁ ।’ ପ୍ରକାଶ ଥାଉକି, ଆରଜି କର ମେଡିକାଲ କଲେଜ ଓ ହସ୍ପିଟାଲରେ ଟ୍ରେନି ଡାକ୍ତରଙ୍କୁ କୁକର୍ମ ଓ ହତ୍ୟା ଘଟଣାରେ ନ୍ୟାୟ ଦାବିରେ ଅଡ଼ି ବସିଛନ୍ତି ଜୁନିୟର ଡାକ୍ତର । ଯେପର୍ଯ୍ୟନ୍ତ ନ୍ୟାୟ ନ ମିଳିଛି ସେପର୍ଯ୍ୟନ୍ତ କାର୍ଯ୍ୟରେ ଯୋଗ ଦେବେନାହିଁ ବୋଲି କହିଛନ୍ତି । ସୁପ୍ରିମକୋର୍ଟ ମଧ୍ୟ ସେପ୍ଟେମ୍ବର ୯ରେ ଡାକ୍ତରମାନଙ୍କୁ ସେମାନଙ୍କ କାର୍ଯ୍ୟରେ ଯୋଗଦେବାକୁ ନିଦେ୍ର୍ଦଶ ଦେଇଥିଲେ, ତଥାପି ଆନେ୍ଦାଳନ ପ୍ରତ୍ୟାହାର କରାଯାଉ ନାହିଁ । ସେପଟେ ଡାକ୍ତରଙ୍କ ଅଭାବ କାରଣରୁ ହସ୍ପିଟାଲରେ ରୋଗୀଙ୍କ ଜୀବନ ଯାଉଥିବା ସ୍ୱାସ୍ଥ୍ୟ ବିଭାଗ ରିପୋର୍ଟ କରିଛି । ଏଥିପାଇଁ ଆନେ୍ଦାଳନରତ ଡାକ୍ତରଙ୍କ ସହ ଆଲୋଚନା ପାଇଁ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ସେମାନଙ୍କୁ ନିମନ୍ତ୍ରଣ କରିଥିଲେ । ମାତ୍ର ଡାକ୍ତରମାନେ ଆଲୋଚନାକୁ ଆସୁନାହାନ୍ତି । ଫଳରେ ନିକଟରେ ମମତା ବାନାର୍ଜୀ ଆନେ୍ଦାଳନସ୍ଥଳକୁ ଯାଇ ଡାକ୍ତରମାନଙ୍କୁ ଭେଟିଥିଲେ । ତଥାପି ଆନେ୍ଦାଳନ ପ୍ରତ୍ୟାହାର ହୋଇ ପାରୁନାହିଁ ।