ଖଣି ଅଞ୍ଚଳରେ ଅବାଧ ନିଶା କାରବାର

କାଳିଆପାଣି: କାଳିଆପାଣି ଖଣି ଅଞ୍ଚଳରେ ବଢିଚାଲିଛି ନିଶା କାରବାର । ନିଶା ବେପାରୀ ବିନା କୌଣସି ଭୟରେ ଘରେ ଘରେ ଦେଶୀ ମହୁଲି ମଦ ଠାରୁ ଆରମ୍ଭ କରି ବିଦେଶୀ ମଦ ଏବଂ ଗଞ୍ଜେଇ ବିକ୍ରି କରିଚାଲିଛନ୍ତି । ଏକଥା ଆମେ କହୁନୁ, ଖଣି ଅଞ୍ଚଳର ମହିଳାଙ୍କ ଅଭିଯୋଗ କହୁଛି । ମହିଳା ମାନେ ଲିଖିତ ଅଭିଯୋଗ କଲେ ପୁଲିସ କିଛି ଶୁଣିଲାନି । ଥାନା ଘେରିଲେ ତଥାପି ପୁଲିସ ଉପରେ ପଡ଼ୁନି କିଛି ପ୍ରଭାବ । ମହିଳାଙ୍କ ଅଭିଯୋଗ ନିଶା କାରଣରୁ ଗାଁ ଗଣ୍ଡାରେ ଅଶାନ୍ତିର ବାତାବରଣ ଦେଖାଯାଉଛି । ଶନିବାର ସାରୁଆବିଲି ମୁଣ୍ଡା ସାହିରେ ଏହାକୁ ନେଇ ଗାଁର ମହିଳାମାନେ କାଳିଆପାଣି ଥାନାର ଦ୍ୱାରସ୍ଥ ହୋଇଥିଲେ । ଗାଁ ମଝିରେ ଅବାଧରେ ଜଣେ ମହିଳା ଏବଂ ତାଙ୍କ ସ୍ୱାମୀ ବିଦେଶୀ ମଦ କାରବାର କରୁଥିବାରୁ ଗାଁର ଏକତା ଆଉ ଶାନ୍ତି ଭଙ୍ଗ ହେଉଥିବାର ଅଭିଯୋଗ ଆଣିଥିଲେ । ଏପରିକି ମଦ ବିକିଲେ ଥାନାବାଲା ମୋର କିଛି କରି ପାରିବେ ନାହିଁ ବୋଲି ଓଲଟା ଗାଁ ସ୍ତ୍ରୀ ଲୋକଙ୍କୁ ଜବାବ ଦେଇଥିଲେ । ୪ଦିନ ବିତି ଯାଇଥିଲେ ସୁଦ୍ଧା ଅଭିଯୁକ୍ତଙ୍କ ବିରୁଦ୍ଧରେ ପୁଲିସ କୌଣସି କାର୍ଯ୍ୟାନୁଷ୍ଠାନ ନେଇ ନଥିଲା । ନିରାଶ ମହିଳା ପୁଣି ଗତକାଲି କାଳିଆପାଣି ଥାନାକୁ ଆସି କାହିଁକି ଏପର୍ଯ୍ୟନ୍ତ ମଦ ବେପାରୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନିଆଯାଇନି ବୋଲି ପଚାରିଥିଲେ । କାଳିଆପାଣି ଭାରପ୍ରାପ୍ତ ଅଧିକାରୀ  ଥାନାରେ ଅନୁପସ୍ଥିତ ଥିବାରୁ ନିରାଶ ହୋଇ ଫେରିଥିଲେ । ଥାନାରୁ ଫେରିଥିବା ମହିଳା ପୁଲିସ ନଶୁଣିଲେ ଏସପି ଏବଂ ଜିଲାପାଳଙ୍କ ଦ୍ୱାରସ୍ଥ ହେବେ ବୋଲି କହିଛନ୍ତି । ମହିଳାମାନେ କାଳିଆପାଣି ଥାନାର ଜଣେ ପୁଲିସ ଏହି କାରବାରରେ ସାମିଲ ଅଛନ୍ତି ବୋଲି ସିଧାସଳଖ ଅଭିଯୋଗ ଆଣିଛନ୍ତି ସାରୁଆବିଲି ଗାଁର କୁନି ହାଁସଦା, କନକଲତା ବାନାରା, ମିକି ବାନାରା, ସମ୍ବାରି ବନାସିଂ, ସମ୍ବାରି ବାନାରା, ରିଷା ଚାମ୍ପିୟା, ବିରବଲ ଦାସ, ସିମତୀ ଦାସ, ଜମାଦାର ବାନାରା ଏବଂ ଶଙ୍କର ସେଠି ପ୍ରମୁଖ । ନିଶା କାରବାରକୁ ନେଇ ଗାଁରେ ଉତେଜନା ସୃଷ୍ଟି ହେଉଥିବାରୁ ପୁଲିସ ତ୍ୱରିତ ପଦକ୍ଷେପ ନେବା ଦରକାର ।